କଣ୍ଟାବାଞ୍ଜି: ପରୀକ୍ଷାରେ କମ୍ ନମ୍ବର ମିଳିବାରୁ ତାତିଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଧାମନଡଙ୍ଗାସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ର ଛାତ୍ରଛାତ୍ରୀ। ପ୍ରାକ୍ଟିକାଲ ପରୀକ୍ଷାରେ ସେମାନଙ୍କୁ ଜାଣିଶୁଣି କମ୍ ନମ୍ବର ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଗୁରୁବାର ଆଇଟିଆଇରେ ତାଲା ଠୁଙ୍କିଥିଲେ। ଅଭିଯୋଗ ଅନୁସାରେ, ଗତ କିଛିଦିନ ଆଗରୁ ଏହି ଆଇଟିଆଇରେ ଅଲ୍ଇଣ୍ଡିଆ ଟ୍ରେଡ୍ ଟେଷ୍ଟ ପ୍ରାକ୍ଟିକଲ୍ ପରୀକ୍ଷା କରାଯାଇଥିଲା। ଏଥିରେ ଇଲେକ୍ଟ୍ରିକାଲ, ଆର୍ଏସି ଓ ଫିଟର ବିଭାଗର ଛାତ୍ରଛାତ୍ରୀମାନଙ୍କର ୨୫୦ ନମ୍ବରର ପରୀକ୍ଷା କରାଯାଇଥିଲା। ଏହା ପରେ ବଲାଙ୍ଗୀରରେ ଆଉ ଏକ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ ନିଜର ପ୍ରସ୍ତୁତି ମଧ୍ୟ ଜାରି ରଖିଥିଲେ। ହେଲେ ପ୍ରାକ୍ଟିକାଲ୍ ପରୀକ୍ଷାରେ ଅଧିକ ନମ୍ବର ଥିଲେ ବଲାଙ୍ଗୀରରେ ହେବାକୁ ଥିବା ପରୀକ୍ଷାରେ ଭଲ ନମ୍ବର ରଖି ହେବ ବୋଲି ଆଶା ରଖିଥିଲେ। ତେବେ କଣ୍ଟାବାଞ୍ଜିର ତାଲିମ ଅଧିକାରୀ ସୁଶାନ୍ତ ଡାକୁଆ ବାହାରୁ ଆସିଥିବା ଟ୍ରେନର୍ଙ୍କ ସହ ମିଶି ପୁଣି ଏହାକୁ କମ୍ କରିଦେଇ ୬୦ରୁ ୬୫ ନମ୍ବର ଲେଖାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି।
ଶତାଧିକ ପରୀକ୍ଷାର୍ଥୀ ଆଜି ଏହାକୁ ବିରୋଧ କରିବା ସହ ପୂର୍ବରୁ ଦିଆଯାଇଥିବା ନମ୍ବର ତାଙ୍କୁ ଦେଲେ ଭଲ ହେବ ବୋଲି କହିଥିଲେ। ତାଲିମ ଅଧିକାରୀ ଆକ୍ରୋଶମୂଳକ ଭାବେ ହଇରାଣ କରୁଥିବା ଏମାନେ ଅଭିଯୋଗ କରିଛନ୍ତି। ଆଜି ଆଇଟିଆଇର ଶତାଧିକ ଛାତ୍ରଛାତ୍ରୀ ମୁଖ୍ୟ ଫାଟକରେ ତାଲା ଠୁଙ୍କି ନିଜର ଏହି ସମସ୍ୟା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଖବର ପାଇ କଣ୍ଟାବାଞ୍ଜି ପୁଲିସ ଏସ୍ଆଇ ସୁରେନ୍ଦ୍ର ଛତ୍ରିଆ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ। ଏହି ଆଇଟିଆଇ ଦାୟିତ୍ୱରେ ଥିବା ବଲାଙ୍ଗୀର ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ମିଳନ ସାହୁ ପହଞ୍ଚି ଏଠାରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ ତାଙ୍କର କଣ ସବୁ ଅସୁବିଧା, ନମ୍ବରକୁ ନେଇ ରହିଛି ତା ବିଷୟରେ ପଚାରି ବୁଝିଥିଲେ। ଆଉଥରେ ଅନୁଧ୍ୟାନ କରି ନମ୍ବର ନେଟ୍ରେ ଅପ୍ଲୋଡ୍ କରାଯିବ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଆଶ୍ବାସନା ଦେଇଥିଲେ।