ରାୟଗଡ଼ା: ଅନଲାଇନ୍ ପରୀକ୍ଷା ଦାବିରେ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଦରେ ଅଟଳ ଛାତ୍ରୀ ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିବା ଯୋଗୁ ଆଜି ଗଣିତ ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି। ଆପୋଷ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ ସପ୍ତାହକ ପରେ ଅଫଲାଇନରେ ପରୀକ୍ଷା ଦେବାକୁ ଛାତ୍ରୀ ରାଜି ହୋଇଛନ୍ତି। ଗତ ୪ ଦିନ ତଳେ ଯୁକ୍ତତିନି କଳା ବିଭାଗର ଦ୍ବିତୀୟବର୍ଷ ଛାତ୍ରୀଙ୍କ ମିଡ୍ ସେମିଷ୍ଟାର୍ ପରୀକ୍ଷା ଆରମ୍ଭ ହୋଇଛି। ୨୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାର ସମସ୍ତ ବିଷୟ ପାଇଁ ପରୀକ୍ଷା ଶେଷ ହୋଇଥିବା ବେଳେ ଆଜି ଗଣିତ ପରୀକ୍ଷା ଥିଲା। କରୋନା ପାଇଁ କଲେଜ ବନ୍ଦ ଥିବାରୁ ଅନଲାଇନରେ ପଢ଼ା ଯାଇଥିବାରୁ ଗଣିତ ପରୀକ୍ଷା ଅନଲାଇନରେ କରିବାକୁ ଛାତ୍ରୀ ଦାବି କରିଥିଲେ। ମହାବିଦ୍ୟାଳୟର ଅଧିକାଂଶ ଛାତ୍ରୀ ଅପହଞ୍ଚ ଇଲାକାରେ ରହୁଥିବାରୁ ନେଟୱାର୍କ ସମସ୍ୟା ଯୋଗୁ ଅନଲାଇନ୍ କ୍ଲାସ କରି ପାରିନଥିଲେ। ଫଳରେ ଆଜି ଗଣିତ ପରୀକ୍ଷା ଅଫଲାଇନରେ ଦାବିକୁ ଛାତ୍ରୀ ରାଜି ହୋଇ ନଥିଲେ। ପରୀକ୍ଷା ଆରମ୍ଭ ପୂର୍ବରୁ ହିଁ କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଥିଲେ।

Advertisment

କଲେଜ ଅଧ୍ୟକ୍ଷା ଡଃ. ଅର୍ଚ୍ଚନା ପଟ୍ଟନାୟକ ଫାଟକ ସମ୍ମୁଖରେ ପହଞ୍ଚି ଧାରଣାରତ ଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ। ଅନଲାଇନ୍ ପରୀକ୍ଷା ନିଷ୍ପତ୍ତି ବିଶ୍ବବିଦ୍ୟାଳୟ ଉପରେ ନିର୍ଭର କରୁଥିବାରୁ କଲେଜ କର୍ତ୍ତୃପକ୍ଷ କିଛି କରି ପାରିବେନି ବୋଲି ଅଧ୍ୟକ୍ଷା ଛାତ୍ରୀଙ୍କୁ ବୁଝାଇଥିଲେ। ଛାତ୍ରୀ ଜିଦରେ ଅଟଳ ରହିବା ଯୋଗୁ ଅଧ୍ୟକ୍ଷା ଏ ସଂପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ କଥା ହୋଇଥିଲେ। କିନ୍ତୁ ମିଡ୍ ସେମିଷ୍ଟାରର ଅନ୍ୟ ୪ ବିଷୟ ଅଫଲାଇନରେ ହୋଇଥିବାରୁ ଗଣିତ ପରୀକ୍ଷା ମଧ୍ୟ ଅଫଲାଇନରେ ହିଁ ହେବ ବ‌ୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଏହାପରେ ଧାରଣାରତ ଛାତ୍ରୀଙ୍କୁ କଲେଜ ଭିତରକୁ ଡାକି ଅଧ୍ୟକ୍ଷା ଗାଇଡଲାଇନ୍ ସଂପର୍କରେ ବୁଝାଇଥିଲେ। ଅଫଲାଇନ୍ ପରୀକ୍ଷା ବଦଳରେ ଆଉ ୭ ଦିନ କ୍ଲାସ କରିବା ପରେ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲେ। କଲେଜ ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ, ହଷ୍ଟେଲ୍ ସୁପରିଟେଣ୍ଡଣ୍ଟ୍ ଯୋଗମାୟା ମିଶ୍ର, ଅଧ୍ୟାପିକା ଡଃ. ସରିତା ମିଶ୍ରଙ୍କ ବୁଝାଶୁଝା ପରେ କଲେଜ ଛାତ୍ରୀ ମାନିବା ସହ ଧାରଣାରେ ଉଠି ଯାଇଥିଲେ। ଆଜି ବାତିଲ୍ ହୋଇଥିବା ଗଣିତ ପରୀକ୍ଷା ଆସନ୍ତା ସୋମବାର ହେବା ପାଇଁ ନିଷ୍ପତ୍ତି ହୋଇଛି।