ରାୟଗଡା: ସ୍କୁଲରେ ଗୃହ ନଥିଲେ, ଶିକ୍ଷକ ନଥିଲେ, ମଧ୍ୟାହ୍ନ ଭୋଜନ ମିଳୁ ନଥିଲେ, ଖେଳ ପଡିଆ ନଥିଲେ, ପାଚେରୀ ନଥିଲେ, ପାଣି ନଥିଲେ ଅଭିଭାବକ କିମ୍ବା ଗ୍ରାମବାସୀ ସ୍କୁଲରେ ତାଲା ପକାଇ ପ୍ରତିବାଦ କରୁଥିବା ଘଟଣା ପ୍ରୟାତଃ ଦେଖିବାକୁ ମିଳିଥାଏ। କିନ୍ତୁ ଜଣେ ଠିକାଦାର ବିଦ୍ୟାଳୟରେ ଶୌଚାଳୟ କାମ ସାରିଥିଲେ ମଧ୍ୟ ତାଙ୍କୁ ଟଙ୍କା ନ ମିଳିବାରୁ ସେ ସ୍କୁଲରେ ତାଲା ପକାଇ ଦେଇଥିବା ଘଟଣା ପ୍ରଥମ ବୋଲି ଆଲୋଚନା ଜୋର ହେଉଛି। ଏଭଳି ଘଟଣା ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ମାଇକଞ୍ଚ ପଞ୍ଚାୟତର ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

Advertisment

କିଶୋର ଦିଶାରି ନାମକ ଜୈନକ ଠିକାଦାର ବିଦ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ପ୍ରଶାସନ ତରଫରୁ ଟଙ୍କା ପ୍ରଦାନ କରାଯାଉ ନାହିଁ। ସେ ଶୌଚାଳୟ କାମ ସାରି ପ୍ରାୟ ସାତ ଆଠ ମାସ ହେଲାଣି। ଆଜି ପର୍ଯ୍ୟନ୍ତ ଏହି କାମର ବିଲ୍ ନକରି ସମ୍ପୃକ୍ତ ଯନ୍ତ୍ରୀ ବୁଲାଉଥିଲେ। ଯେତେବେଳେ ବାରମ୍ବାର କହିଲେ ସେତେବେଳେ ଏହାର ମାପ ନକରି ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ସୁନିଲ ପାତ୍ର ବିଲର ପରିମାଣ କମ୍ କରି ଦେଇଥିଲେ ବୋଲି ଠିକାଦାର ଅଭିଯୋଗ କରିଥିଲେ। ପରେ ଠିକାଦାର ଶ୍ରୀ ଡିଶାରି କାମ କରିବାର ଉଚିତ ମୂଲ୍ୟ ପାଇ ନ ଥିବାରୁ ରାଗି ଯାଇ ସ୍କୁଲର ସମସ୍ତ ଶ୍ରେଣୀ ଗୃହରେ ତାଲା ପକେଇ ଦେଇଥିଲେ। ଯାହାଫଳରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଲିଖିତ ଅଭିଯୋଗ ଶ୍ରୀ ଦିଶାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନିଷା ଦାସଙ୍କୁ ଦେଇଥିବା କହିଥିଲେ। ଏ ନେଇ ବ୍ଲକ ପ୍ରଶାସନ ତରଫରୁ ତଦନ୍ତ କରାଯାଇ ଏହାର ତୁରନ୍ତ ସମାଧାନ କରି ସ୍କୁଲ ଖୋଲା ଯିବ କୁହାଯାଇଛି।

publive-image Sambad

ଅନ୍ୟଦିଗରେ ଠିକାଦାର କହିଛନ୍ତି ଯେ ପର୍ଯ୍ୟନ୍ତ ଆମକୁ ବିଲ୍ ନମିଳିବ ସେ ପର୍ଯ୍ୟନ୍ତ ଆମେ ସ୍କୁଲରେ ତାଲା ପକେଇବୁ ବୋଲି ସଫା ସଫା କହିଥିଲେ। ଏ ନେଇ ଆମେ କାଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ଦିପ୍ତିମୟୀ ସିଂହଙ୍କୁ ପଚାରିବାରୁ ସେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ସେ ତାଙ୍କର କିରାଣୀ ରାମକୃଷ୍ଣ ହୋତାଙ୍କୁ ଏହାର ଉତ୍ତର ଦେବାକୁ କହିଥିଲେ। କାରାଣୀ ଶ୍ରୀ ହୋତା ଆମକୁ ଗୋଷ୍ଠୀ ଶିକ୍ଷାଧିକାରୀ କିଛି ଦିନ ହେଲା ଦାୟିତ୍ବ ନେଇଛନ୍ତି। ସେ କିଛି ଜାଣିନଥିବା ସେ ସଫେଇ ଦେଇଥିଲେ। ପୁଣି ଏନେଇ ଏବିଇଓ କୁଳ ରଞ୍ଜନ ସୁନା ଏହାର ତଦନ୍ତ ପାଇଁ ସେହି ସ୍କୁଲରେ ପହଞ୍ଚିଥିବା ସେ କହିଥିଲେ। ସବୁଠୁ ବଡ଼ କଥା ହେଲେ ଗୋଟେ କାର୍ଯ୍ୟର ବିଲ୍ ନ ହେବାରୁ ବିଦ୍ୟାଳୟରେ ତାଲା ପଡ଼ିଛି ମାତ୍ର ଏହାକୁ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ବର ସହ ନେଉନଥିବା ହାସ୍ୟାସ୍ପଦ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଶିକ୍ଷା ବ୍ୟବସ୍ଥାକୁ କିଭଳି ବୈମାତୃକ ଭାବେ ବ୍ୟବହାର କରାଯାଉଛି ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି। ଏ ନେଇ ଛାତ୍ରଛାତ୍ରୀ ଗତକାଲି ଶୁକ୍ରବାରଠୁ ସ୍କୁଲ ଛୁଟି କରିବା ନେଇ ପ୍ରସ୍ତୁତି ଚଳାଇଥିବା ସୂତ୍ରରୁ ଜଣାପଡିଛି।