ରାୟଗଡା: ଯେଉଁ ସ୍କୁଲରେ ଶିକ୍ଷକ ପାଠ ପଢାଇବା ପାଇଁ ସରକାରଙ୍କ ଠାରୁ ଦରମା ନେଉଛି, ସେହି ଦରମା ସେମାନଙ୍କୁ ଅଣ୍ଟୁ ନଥିବାରୁ ସ୍କୁଲରେ ପିଲାଙ୍କୁ ପାଠ ନ ପଢାଇ ଠିକାଦାରିରେ ମାତିଛନ୍ତି। ଆମେ କହୁଛୁ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଉପର କୋଡିଗାଁ ବିଦ୍ୟାଳୟର କଥା। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ମୋଟ ୩୪୦ ଜଣ ହଷ୍ଟେଲ ଛାତ୍ରଛାତ୍ରୀ ସମେତ ୨୦ ଜଣ ଡେ ସ୍କୋଲାର ପିଲା ଅଧ୍ୟୟନ କରୁଛନ୍ତି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୪୦ ଜଣ ଛାତ୍ର ହୋଇଥିବା ବେଳେ ୨୦୦ ଜଣ ଛାତ୍ରୀ। ବିଦ୍ୟାଳୟଟି ଆଶ୍ରମ ବିଦ୍ୟାଳୟ ହୋଇଥିବାରୁ ଏଠାରେ ହଷ୍ଟେଲର ସୁବିଧା ମଧ୍ୟ ରହିଛି। ସେହିପରି ଏହି ବିଦ୍ୟାଳୟରେ ୭ ଜଣ ଶିକ୍ଷକ ରହିଛନ୍ତି। ଏହି ଉପର କୋଡିଗାଁ ଅଞ୍ଚଳଟି ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ଅଧ୍ୟୟନ କରୁଛନ୍ତି। ପିଲା ମାନଙ୍କୁ ପାଠ ପଢାଇବା ବଦଳରେ ଶିଶୁ ଶ୍ରମିକ ଭାବେ କାମ କରାଯାଉଥିବା ଦେଖିବାକୁ ମିଳିଛି। ନିଜେ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ପିଲାଙ୍କୁ ଗ୍ୟାସ ବୋହିବାକୁ ବାଧ୍ୟ କରୁଛନ୍ତି। ପିଲା ମାନେ ପାଠ ପଢା ଛାଡି ଶ୍ରମିକ ଭାବେ ସ୍କୁଲରେ କାମ କରୁଛନ୍ତି। ଯାହା ଆଇନ ବିରୋଧୀ କାମ। ସ୍କୁଲ କର୍ତ୍ତୃପକ୍ଷ ଖୋଲାଖୋଲି ଭାବେ ଏହାକୁ ଉଲଘଂନ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି, ଏହି ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ଠିକାଦାର କାମରେ ବ୍ୟସ୍ତ ରହୁଛନ୍ତି।

Advertisment

publive-image Sambad

ପିଲାଙ୍କୁ ପାଠ ପଢାଇବା ବଦଳରେ ବ୍ଲକ ବ୍ଲକ ବୁଲି କୋଟି କୋଟି ଟଙ୍କାର ଠିକାଦାର କାମ କରୁଛନ୍ତି। ଯାହାକୁ ବିଭାଗ ଜାଣି ମଧ୍ୟ ଚୁପ ରହିଥିବା ବେଳେ ରାଜନୈତିକ ଚାପ ପକାଇ ଦୁଇ ଶିକ୍ଷକ ବିଭାଗୀୟ ଅଧିକାରୀ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧମକାଉଥିବା ମଧ୍ୟ ଜଣାପଡିଛି। ତେବେ ଶିକ୍ଷକ ଯଦି ଠିକାଦାରି କରିବ ତେବେ ପିଲା ପାଠ ନ ପଢି ଶ୍ରମିକ ହେବା ସ୍ବାଭାବିକ। ଏନେଇ ବିଭାଗୀୟ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା। ଅନ୍ୟଦିଗରେ ଏହି ଆଶ୍ରମ ବିଦ୍ୟାଳଯରେ ଡାଇନିଂ ହଲ ରହିଥିଲେ ମଧ୍ୟ ଡାଇନିଂ ହଲରେ ସବୁବେଳେ ଚାବି ପଡି ରହୁଥିବା ଦେଖିବାକୁ ମିଳିଛି। ସେଥିପାଇଁ ପିଲାମାନେ ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରୀ ଭୋଜନ ବାହାରେ ବସି ଖାଉଥିବା ଦେଖିବାକୁ ମିଳିଛି। ଏବେ ବର୍ଷାଦିନ ଆସିଥିବାରୁ ପିଲା କୋଉଁଠି ବସି ଖାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରଙ୍କ ତରଫରୁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ କାହିଁ କେତେ ସୁବିଧା ସୁଯୋଗ କରାଯାଇଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ ପିଲାମାନେ ବିଦ୍ୟାଳୟରେ ଏବଂ ହୋଷ୍ଟେଲରେ ଅତି ଦୟନୀୟ ଭାବେ ରହୁଛନ୍ତି।

publive-image Sambad

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ହିଆଲଙ୍କୁ ପଚାରିବାରୁ ସେ ହୋଷ୍ଟେଲ ହସ୍ତାନ୍ତର ହୋଇନଥିବା କହିଥିଲେ। ଏହି ହଷ୍ଟେଲକୁ ଦୁଇ ଜଣ ଠିକାଦାର କରିଥିବା ସହ ଭିତରେ ଡାଇନିଂ ଟେବୁଲ ମଧ୍ୟ ନଥିବା କହିଥିଲେ। ସେହିପରି ପିଲାଙ୍କୁ କିପରି ଶ୍ରମିକ ଭାବେ କାମ କରାଉଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ ଏହାକୁ ସେ ବେଆଇନ ବୋଲି ସ୍ବୀକାର କରିଥିଲେ ମଧ୍ୟ ଏମିତି କାମ କରୁଛନ୍ତି ବୋଲି କହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ହଷ୍ଟେଲରେ କାମ କରିବା ପାଇଁ ୪ ଜଣ ମହିଳା ଏବଂ ୩ ଜଣ ପୁରୁଷ କର୍ମଚାରୀ ରହିଛନ୍ତି। ଏତେ ଜଣ ଥିଲେ ମଧ୍ୟ ଶିକ୍ଷକ କିପରି ପିଲାଙ୍କୁ କାମରେ ଲଗାଉଛନ୍ତି ତାହା ତଦନ୍ତ ସାପେକ୍ଷ। ଏହି ବିଦ୍ୟାଳୟରେ ଶିକ୍ଷାଦାନ ବଦଳରେ ହେଉଥିବା ଅନିୟମିତତା ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି କୁହାଯାଇଛି। ଏହାର ବିହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବିଭାଗୀୟ ଅଧିକାରୀଙ୍କୁ ଏନେଇ ପଚରାଗଲେ ଜାଣିନଥିବା ଉତ୍ତର ମିଳିବା ସହ ତଦନ୍ତ କରାଯିବ ବୋଲି କହି ଖସିଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।