ଖୋର୍ଦ୍ଧା: ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ସଚେତନତା କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଉଛି। ବିଦ୍ୟାଳୟର ରୂପାନ୍ତରୀକରଣ ମଧ୍ୟ ଜୋରସୋରରେ ଚାଲୁଛି। ଏଭଳି ସ୍ଥିତିରେ ୮୬.୮୮ ପ୍ରତିଶତ ଶିକ୍ଷିତ ହାର ଥିବା ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ କିନ୍ତୁ ତୃତୀୟ ଶ୍ରେଣୀର ୧୦୦କୁ ୩୮ଜଣ ଛାତ୍ରଛାତ୍ରୀ ସ୍କୁଲର କାନ୍ଥରେ ଲାଗିଥିବା ପୋଷ୍ଟର, ଗୀତ ଆଦି ପଢ଼ିପାରନ୍ତି ନାହିଁ। ୫ମ ଶ୍ରେରୀର ୧୦୦ରୁ ୪୨ଜଣ ଛାତ୍ରଛାତ୍ରୀ ମିଶାଣ ଫେଡ଼ାଣ ଆଦି କରିପାରନ୍ତି ନାହିଁ। ୮ମ ଶ୍ରେଣୀର ୧୦୦ରୁ ୬୩ଜଣ ଛାତ୍ରଛାତ୍ରୀ ଦଶମିକ, ଭଗ୍ନାଂଶ ଆଦିର ଗଣିତ କରିପାରନ୍ତି ନାହିଁ। ୧୦ ଶ୍ରେଣୀର ୧୦୦ଜଣରେ ୭୨ଜଣ ମିନ୍, ମେଡିଆନ୍, ମୋଡ୍ ଆଦି ଅଙ୍କକଷି ପାରନ୍ତି ନାହିଁ। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ନ୍ୟାସନାଲ୍ ଆଚିଭମେଣ୍ଟ ସର୍ଭେ ଅନୁସାରେ ଜିଲ୍ଲାରେ ମୋଟ ୨୧୮୮ଟି ପ୍ରଥମରୁ ୧୦ମ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, କେନ୍ଦ୍ର ସରକାରଙ୍କ ଅଧୀନ ବିଦ୍ୟାଳୟ ଓ ଘରୋଇ ଅଣସହାୟତା ମଞ୍ଜୁରପ୍ରାପ୍ତ ବିଦ୍ୟାଳୟର ରହିଛି। ମୋଟ ୧୩୪୫ଟି ସରକାରୀ ବିଦ୍ୟାଳୟରେ ୮୨୪୨ଜଣ ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି ବିଦ୍ୟାଳୟ ପିଛା ହାରାହାରି ୬ଜଣ ଶିକ୍ଷକ ଅଛନ୍ତି। ଅପରପକ୍ଷରେ, ଜିଲ୍ଲାରେ ଥିବା ୬୪୧ଟି ଘରୋଇ ମଞ୍ଜୁରପ୍ରାପ୍ତ ଅଣସହାୟତା ବିଦ୍ୟାଳୟରେ ୮୮୫୪ଜଣ ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି ବିଦ୍ୟାଳୟ ପିଛା ୧୪ଜଣ ଶିକ୍ଷକଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ୧୨ଟି ବିଦ୍ୟାଳୟର ଏହି ଅନୁପାତ ୨୧ ଅଟେ। ଏଥିରୁ ଜିଲ୍ଲାରେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନର ଦୁଃସ୍ଥିତିର ଏକ ସ୍ଥୁଳଚିତ୍ର ସ୍ପଷ୍ଟ ହେଉଥିବା ବେଳେ ପାଠପଢ଼ାରେ ମଧ୍ୟ ସରକାରୀ ସ୍କୁଲ ଅନ୍ୟ ବିଦ୍ୟାଳୟ ଠାରୁ ଢେର ପଛରେ ରହିଛି। ଭାଷା ଜ୍ଞାନ, ଗଣିତ, ପରିବେଶ ବିଜ୍ଞାନ, ମାତୃଭାଷା, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀରେ ଜାତୀୟ ହାର ଠାରୁ ଖୋର୍ଦ୍ଧାର ଛାତ୍ରଛାତ୍ରୀଙ୍କ ଜ୍ଞାନ ଅଧିକ ରହିଥିଲେ ମଧ୍ୟ ରାଜଧାନୀ ଥିବା ଦେଶର ଅନ୍ୟ ଜିଲ୍ଲା ଗୁଡ଼ିକ ଠାରୁ ଯଥେଷ୍ଟ ପଛରେ ରହିଛି। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଓ ବୋଧଗମ୍ୟ କ୍ଷେତ୍ରରେ ଜିଲ୍ଲାର ୩ୟ ଶ୍ରେଣୀର ୨୮ ପ୍ରତିଶତ ଛାତ୍ରଛାତ୍ରୀ ବହିପଢ଼ି ବିଷୟ ବୁଝି ପାରନ୍ତି ନାହିଁ। ୫ମ ଓ ୮ମ ଶ୍ରେଣୀରେ ଏହି ସଂଖ୍ୟା ୩୫ ପ୍ରତିଶତ ରହିଛି। ତୃତୀୟ ଶ୍ରେଣୀର ୪୮ ପ୍ରତିଶତ ଛାତ୍ରଛାତ୍ରୀ ୯୯୯ ନମ୍ବର ଯାଏଁ ଲେଖି ପାରନ୍ତି ନାହିଁ। ୫ମ ଶ୍ରେଣୀର ୬୧ପ୍ରତିଶତ ଛାତ୍ରଛାତ୍ରୀ, ତ୍ରିଭୂଜ, ଚତୁର୍ଭୁଜ, ଆୟତକ୍ଷେତ୍ର ଆଦିର ସାଧାରଣ ତ୍ରିକୋଣମିତି ବୁଝିପାରନ୍ତି ନାହିଁ। ୮ମ ଶ୍ରେଣୀର ୫୧ ପ୍ରତିଶତ ଛାତ୍ରଛାତ୍ରୀ ବୀଜଗଣିତର ସୂତ୍ରର ପ୍ରୟୋଗ ଜାଣନ୍ତି ନାହିଁ। ଯଦିଓ ଉପରୋକ୍ତ ତଥ୍ୟ ସମସ୍ତ ବିଦ୍ୟାଳୟର କିନ୍ତୁ ଘରୋଇ ବିଦ୍ୟାଳୟ ଠାରୁ ଅଧିକାଂଶ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ଅନେକ ପରିମାଣରେ କମ୍। ଏହି କାରଣରୁ ଜିଲ୍ଲାରେ ଥିବା ୬୧ ପ୍ରତିଶତ ସରକାରୀ ସ୍କୁଲରେ ଜିଲ୍ଲାର ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫ ପ୍ରତିଶତ ହିଁ ପାଠ ପଢ଼ୁଥିବା ବେଳେ ୨୯ ପ୍ରତିଶତ ଘରୋଇ ସ୍କୁଲରେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/school-student.jpg)