ଖୋର୍ଦ୍ଧା: ଓଡ଼ିଶାର ଲୋକପ୍ରିୟ ଓ ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ ସମ୍ବାଦରେ ପ୍ରାକାଶିତ ହୋଇଥିବା ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଶାସକ ବିଜେଡି ଦଳର ଆକ୍ରୋଶମୂଳକ ପଦକ୍ଷେପକୁ ବିରୋଧ କରି ଆଜି ଖୋର୍ଦ୍ଧା ଛାତ୍ର ସଂଗଠନ ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ୩ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ସମ୍ବାଦକୁ ନିଜର ସମର୍ଥନ ଜଣାଇବା ସହ ସମ୍ବାଦ ବିରୋଧରେ ମିଥ୍ୟାମାମଲାରେ ଚଢ଼ାଉକୁ ତୀବ୍ର ନିନ୍ଦା କରିଥିଲେ। ଆନ୍ଦୋଳନର ନେତୃତ୍ବ ନେଇଥିବା ମହାବିଦ୍ୟାଳର ପୂର୍ବତନ ଛାତ୍ର ସଂସଦ ସଭାପତି ବିଶ୍ବଭୂଷଣ ସାହୁ କହିଛନ୍ତି ଯେ ଓଡ଼ିଶାର ସାଧାରଣ ଜନତାଙ୍କ ସ୍ବର ହେଉଛି ସମ୍ବାଦ। ସମ୍ବାଦ ଯେଭଳି ଲୋକଙ୍କ ସମସ୍ୟା ଓ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଦାୟିତ୍ବବାନ ଭାବେ ଲେଖେ ଅନ୍ୟ କୌଣସି ଖବରକାଗଜ ସେଭଳି ଲେଖନ୍ତିନାହିଁ। ରାଜ୍ୟର ସାମ୍ପ୍ରିତିକ ସ୍ଥିତିକୁ ନେଇ ଏହାର ସମ୍ବାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ରାଜ୍ୟ ସରକାର ସହ୍ୟ କରିପାରିନାହାନ୍ତି। ଆକ୍ରୋଶମୂଳକ ଭାବେ ମିଥ୍ୟାମାମଲାରେ ସଂସ୍ଥା ବିରୋଧରେ ଇଓଡବ୍ଲୁକୁ ଲଗାଇଛନ୍ତି।
ଏହାକୁ ଖୋର୍ଦ୍ଧାର ଛାତ୍ର ସଂଗଠନ ବିରୋଧ କରୁଛି ବୋଲି କହିବା ସହ ଏହି ଲଢ଼େଇରେ ସମ୍ବାଦ ସହ ସେମାନେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟଜଣେ ଛାତ୍ର ମୃତ୍ୟୁଞ୍ଜୟ ରଥ କହିଛନ୍ତି ଯେ ଖବରକାଗଜ ହେଉଛି ସମ୍ବିଧାନ ଦେଇଥିବା ବାକ୍ ସ୍ବାଧୀନତାର ପ୍ରତିକ। ସମ୍ବାଦ ଭଳି ଏକ ଖବରକାଗଜ ଉପରେ ଆକ୍ରମଣ ଏକ ନାଗରିକର ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଅଟେ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବିକ୍ଷୋଭରେ ଛାତ୍ରଛାତ୍ରୀମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ରାସ୍ତାକଡ଼ରେ ଠିଆ ହୋଇ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାନ୍ତନୁ ଦାସ, ଜଗମୋହନ ସାହୁ, ସିଲୁ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ଜୀତେନ୍ଦ୍ର ପ୍ରଧାନ, ଫରଦିନ ଖାଁ, ଅରସାଦ ଅହମ୍ମଦ, ଫରହାନ୍ ଖାଁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/sambad-Sapakhyare-Khordha-Chhatra-sangathan-ra-Bikhyobha-2.jpg)