ରାୟଗଡା ଶିଶୁ ମନ୍ଦିରରେ ଅଭାବନୀୟ ଘଟଣା: ଛାତ୍ର ଓ ଅଭିଭାବକଙ୍କୁ ପିଟିଲେ ଶିକ୍ଷକ

ରାୟଗଡା: ଛାତ୍ରଙ୍କ ମଧ୍ୟରେ ଲାଗିଥିବା କଳହକୁ କେନ୍ଦ୍ର କରି ରାୟଗଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ଘଟଣାର ସମାଧାନ କରିବାକୁ ଯାଇ ଶିକ୍ଷକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଛାତ୍ର ଓ ଅଭିଭାବକଙ୍କୁ ମାଡ଼ ମାରିଛନ୍ତି। ଏପରିକି ଛାତ୍ରଙ୍କ ତଣ୍ଟି ଚିପି ତଳେ ଘୋଷାଡି ନେଇଥିବା ଶିକ୍ଷକଙ୍କ ନାଁରେ ଅଭିଯୋଗ ହୋଇଛି, ଯାହା ରାୟଗଡାରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଭାବକ ଏ ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଶିକ୍ଷକ ଡି. ଅନୀଲ କୁମାରକୁ ପୁଲିସ୍‌ ଅଟକ ରଖି ପଚରା ଉଚରା କରୁଛି।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି ଏ. ଶୁଭ୍ରାଂଶୁ ରାଜ। ମଧ୍ୟାହ୍ନ ଭୋଜନ ପରେ ଶୁଭ୍ରାଂଶୁ କ୍ଲାସରେ ବସି ପଢୁଥିବା ବେଳେ କିଛି ସହଯୋଗୀ ତାଙ୍କ ଖାତାରେ ଅଶ୍ଲୀଳ ଭାଷା ଲେଖିଥିଲେ। ଶୁଭ୍ରାଂଶୁ ଏହାର ପ୍ରତିବାଦ କରିବା ସହ ଏ ସଂପର୍କରେ ଶିକ୍ଷକ ଡି. ଅନୀଲ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିକ୍ଷକ କ୍ଲାସରୁମକୁ ଆସି ଶୁଭ୍ରାଂଶଙ୍କ ସହଯୋଗୀକୁ ପଚରା ଉଚରା କରିଥିଲେଯ କିନ୍ତୁ ସେମାନେ କିଛି ଲେଖି ନ ଥିବା କହିବା ପରେ ଶିକ୍ଷକ ଚାଲି ଯାଉଥିଲେ। ଏହି ସମୟରେ ଶୁଭ୍ରାଂଶୁ ପୁଣି ଶିକ୍ଷକଙ୍କୁ ଅନୁରୋଧ କରିବା ପରେ ଏଥିରେ ଉତ୍ତ୍ୟକ୍ତ ହୋଇ ଶୁଭ୍ରାଂଶୁ ଚାପୁଡା ମାରିବା ସହ କ୍ଲାସରୁମରୁ ବାହାରକୁ ନେଇ ସାର୍ଟ ଚିରି ଦେଇଥିଲେ।

ମାଡ଼ ମାରିବା ପରେ ଶୁଭ୍ରାଂଶର ତଣ୍ଟିକୁ ଧରି କ୍ଲାସରୁମରେ ବାହାରେ ତଳେ ଘୋଷାଡି ନେଇଥିଲେ। ସ୍କୁଲ୍‌ ଛୁଟି ହେବା ପରେ ଶୁଭ୍ରାଂଶୁ କାନ୍ଦି କାନ୍ଦି ସ୍କୁଲରୁ ବାହାରକୁ ଆସୁଥିବା ଦେଖି କିଛି ଅଭିଭାବକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଶୁଭ୍ରାଂଶଙ୍କ ମାଆ ଅପରାଜିତା ସିଂ ସ୍କୁଲରେ ପହଞ୍ଚି ଘଟଣା ସଂପର୍କରେ ଶିକ୍ଷକ ଅନୀଲକୁ ପଚାରୁଥିବା ସମୟରେ ଶିକ୍ଷକ ଅନୀଏ ଅପରାଜିତାଙ୍କୁ ର୍ଦୁବ୍ୟବହାର କରିଥିଲେ। ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପୁଣି ଶିକ୍ଷକ ଜଣଙ୍କ ଅପରାଜିତାଙ୍କ ଚାପୁଡା ମାରିଥିଲେ। ପ୍ରତିବାଦ ସ୍ୱରୂପ ଅପରାଜିତା ମଧ୍ୟ ଶିକ୍ଷକଙ୍କୁ ପିଟିବା ସହ ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନା ପାଇ ଟାଉନ୍‌ ଥାନା ପୁଲିସ୍‌ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶିକ୍ଷକ ଅନିଲକୁ ଥାନାକୁ ନେଇ ଅଟକ ରଖିଛି।

ସମ୍ବନ୍ଧିତ ଖବର