ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଷଡ଼ଙ୍ଗବାହାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ଗତ ଦୁଇଦିନ ହେଲା ଅଭିଭାବକମାନେ ‌ନିଜ ପିଲାଙ୍କୁ ବିଦ୍ୟାଳୟକୁ ନ ଛାଡ଼ିବାରୁ ପାଠପଢ଼ା ଠପ୍‌ ହୋଇଯାଇଥିଲା। ବିଭାଗୀୟ ଅଧିକାରୀମାନେ ବିଦ୍ୟାଳୟକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି।

Advertisment

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ପ୍ରଧାନଶିକ୍ଷକ ଠିକ ସମୟରେ ବିଦ୍ୟାଳୟକୁ ଆସୁନାହାନ୍ତି। ଅବିଭାବକଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ମାର୍ଗଦର୍ଶିକା ଅନୁସାରେ ମଧ୍ୟାହ୍ନଭୋଜନ ଦେଉନାହାନ୍ତି। ମନଇଚ୍ଛା ଛୁଟିରେ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଗତ ୭ ତାରିଖରେ ଗ୍ରାମବାସୀ ପାଟଣା ବ୍ଲକ୍‌ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ। ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ଆଉ ସ୍କୁଲ ଛାଡ଼ୁ ନାହାନ୍ତି। ଏବିଇଓ ସଚ୍ଚିଦାନନ୍ଦ ସେଠୀ, ସିଆର୍‌ସିସି ବିଭୂତି ପ୍ରଧାନ ବିଦ୍ୟାଳୟକୁ ଯାଇ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଯାଇଥିବା କହିଥିଲେ। ଆଜିଠାରୁ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି।