ଶିମିଳିପାଳ ଆଜି ବି ଜଳୁଛି, ନିଆଁ ଲିଭାଇଲେ ବିଶ୍ବବିଦ୍ୟାଳୟ ଛାତ୍ର ଗୋଷ୍ଠୀ

କିଏ ହେବେ ଉତ୍ତରଦାୟୀ, କୁଆଡ଼େ ଗଲା ଅଧିକାରୀଙ୍କ ଦାୟିତ୍ବ 

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁ ଏବେ ସମ୍ପୂର୍ଣ୍ଣ ଆୟତରେ ଅଛି। ମାତ୍ର ୨ ବର୍ଗ କିମିରେ ଲାଗିଥିବା ନିଆଁରେ ସେପରି କୌଣସି କ୍ଷତି ‌ହୋଇନାହିଁ। କୌଣସି ବନ୍ୟପ୍ରାଣୀ କିମ୍ବା ଗଛ ଏଥିରେ କ୍ଷତିଗ୍ରସ୍ତ ହୋଇନଥିବା ପିସିସିଏଫ୍‌ ଶଶୀ ପଲ୍‌ ତାଙ୍କର ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ସାରି ମତ ରଖିଛନ୍ତି। ଏନେଇ ସେ ସରକାରଙ୍କୁ ରିପୋର୍ଟ ଦେବେ‌ ବୋଲି କହିଛନ୍ତି। ମାତ୍ର ଶିମିଳିପାଳ ସହିତ ଜିଲ୍ଲାର ଅନ୍ୟାନ୍ୟ ବନଖଣ୍ଡରେ ଲାଗିଥିବା ନିଆଁ ଲିଭିଯାଇଛି ବୋଲି କେଉଁ ତଥ୍ୟ ଆଧାରରେ ପିସିସିଏଫ୍‌ ମତ ରଖୁଛନ୍ତି ବୋଲି ପ୍ରଶ୍ନ ଉଠିଛି। କାରଣ ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ସୋସିଆଲ୍‌ ୱାର୍କ ବିଭାଗର ବଳଭଦ୍ର ମହାନ୍ତ, ଦୀପକ କୁମାର ମିଶ୍ର, ଅମିତ କୁମାର ସେନାପତି, ସନ୍ଦିପ କୁମାର ସାହୁ, ଶ୍ରୀକୁମାର ମଲ୍ଲିକ, ବିବେକ କୁମାର ବେହେରା, ରବୀନ୍ଦ୍ର କୁମାର ସାହୁଙ୍କ ଭଳି ଛାତ୍ରଗୋଷ୍ଠୀ କପ୍ତିପଦା ପଥରବଣୀ ନେଦାମ ଅଞ୍ଚଳକୁ ଯାଇ ଜଙ୍ଗଲ ନିଆଁ ଲିଭାଇବାର ପ୍ରୟାସ କରିଥିଲେ।

ବିଭାଗୀୟ ମୁଖ୍ୟ ଶୁଭେନ୍ଦୁ କୁମାର ଶତପଥୀଙ୍କ ନେତୃତ୍ବରେ ଯାଇଥିବା ଉକ୍ତ ଛାତ୍ରଗୋଷ୍ଠୀଙ୍କ ସୂଚନା ଅନୁଯାୟୀ ଏବେବି ଜଙ୍ଗଲରେ ନିଆଁ ଜଳୁଛି। ବନ ବିଭାଗ ନିଆଁକୁ ଗୋଟିଏ ସ୍ଥାନରେ ଲିଭାଉଥିବାବେଳେ ଅନ୍ୟ ସ୍ଥାନରେ ସ୍ବତଃପ୍ରବୃତ୍ତ ଭାବେ ନିଆଁ ଲାଗୁଛି। ଅଧିକାଂଶ ସ୍ଥାନରେ ଜଙ୍ଗଲ ଏବେବି ନିଆଁ ଆଁରେ ଥିବା ପ୍ରକାଶ। ତେଣୁ କ୍ଷେତ୍ର ପରିଦର୍ଶନ କରିଥିବା ଉକ୍ତ ଛାତ୍ରଗୋଷ୍ଠୀଙ୍କ ତଥ୍ୟକୁ ଧରିଲେ ପିସିସିଏଫ ଦେଇଥିବା ବୟାନ କେତେ ସତ କେତେ ମିଛ ତାହା ସ୍ପଷ୍ଟ ହେଉଛି। ସେହିପରି ଶିମିଳିପାଳ ସୁରକ୍ଷା ଉପରେ କାମ କରୁଥିବା ଗିରି ରାଓଙ୍କ ମଧ୍ୟ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି ବନାଗ୍ନି ପରବର୍ତ୍ତୀ ସମୟରେ ପ୍ରାକୃତିକ ସନ୍ତୁଳନ ବିଗାଡ଼ିବାର ଏକ ପ୍ରମୁଖ କାରଣ ପାଲଟିବ ।

ସେହିପରି ନିଆଁର ବିପଦ ଏବେ ବି ରହିଛି, ଏନେଇ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ମିଶି ବନାଗ୍ନିକୁ ନିୟନ୍ତ୍ରଣ କରିବାକୁ ଶ୍ରୀ ରାଓ ପରାମର୍ଶ ଦେଇଛନ୍ତି। ତେବେ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ କିଏ ନେବ ଉତ୍ତରଦାୟିତ୍ବ। ପିସିସିଏଫ୍‌ ମତ ଅନୁସାରେ ବହଳ ପତ୍ରରେ ଲାଗିଥିଲେ ମଧ୍ୟ କିପରି ଏକାଧିକ ଦିନ ପର୍ଯ୍ୟନ୍ତ ବନାଗ୍ନି ଜାରି ରହିଲା। ତାହା ତଦନ୍ତସାପେକ୍ଷ। କଣ ପାଇଁ ବନ ବିଭାଗ ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀମାନେ କିପରି ଏତେ ଖାମଖିଆଲି ମନୋଭାବ ଦେଖାଇଲେ। ଯଦି ପ୍ରତିବର୍ଷ ଏପରି ନିଆଁ ଲାଗେ‌, ତେବେ କିପରି ଅଧିକାରୀମାନେ ପୂର୍ବ ପ୍ରସ୍ତୁତି କରିପାରିଲେନି। ତାହା ବିଶେଷ ପ୍ରଣିଧାନଯୋଗ୍ୟ। ତେଣୁ ଏହି ବନାଗ୍ନିକୁ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରାଯିବାକୁ ଦାବି ହୋଇଛି।

ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଶିମିଳିପାଳକୁ ବିପନ୍ନ କରିବାରେ ସହଯୋଗ କରିଥିବା ଅଧିକାରୀଙ୍କୁ ଏହି ବନାଗ୍ନି ପାଇଁ ଦାୟୀ କରାଯିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେଣୁ କେବଳ ୧୧ଶହରୁ ଅଧିକ କର୍ମଚାରୀ ନିଆଁ ଲିଭାରେ ଲାଗିଛନ୍ତି, ଏତିକି ବର୍ଗ କିମି ପ୍ରଭାବିତ ହୋଇଛି, ପୋଡ଼ାଡ଼ିହା ଓ ଠାକୁରମୁଣ୍ଡା ରେଞ୍ଜ୍‌ରେ ସର୍ବାଧିକ କ୍ଷତି ଆଦି କଥା କହୁଥିବା ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଅନ୍ତତଃ ସଠିକ୍‌ ସୂଚନା ଦିଅନ୍ତୁ। ସେହିପରି ଯଦି ଏହି ନିଆଁ ନିତ୍ୟନୈମତିକ ତେବେ କଣ ପାଇଁ ଆଗୁଆ ପ୍ରସ୍ତୁତ କରାଗଲାନି ବୋଲି ପରିବେଶବିତମାନେ ପ୍ରଶ୍ନ ଉଠାଇଛନ୍ତି। ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ବନାଗ୍ନି ପାଇଁ ଉତ୍ତରଦାୟିତ୍ବ ନେବାର ବେଳ ଆସିଥିବା ଦାବି ହୋଇଛି।

ସମ୍ବନ୍ଧିତ ଖବର