ମେକାନିକ ଛାତ୍ରଙ୍କ ଦ୍ବାରା ଟ୍ରାଫିକ ରୋବଟ, ଡ୍ରୋନ ଓ ହାଇବ୍ରିଡ କାର ପ୍ରସ୍ତୁତ

ରାୟଗଡା: ରାୟଗଡା ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ର ଓ ଛାତ୍ରୀମାନଙ୍କ ଦ୍ବାରା ନିଜସ୍ବ ଉଦ୍ୟମରେ ଟ୍ରାଫିକ ରୋବଟ, ହାଇବ୍ରିଡ କାର ଏବଂ ଏକ ଡ୍ରୋନ ପ୍ରସ୍ତୁତ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନର ଅଧ୍ୟାପକ ତଥା ଏଚଓଡି ସରୋଜ କୁମାର ସାହୁ ଏବଂ ଅଧ୍ୟାପକ ରାଜେନ୍ଦ୍ର ମହାନ୍ତିଙ୍କ ଶିକ୍ଷାଦାନରେ ଛାତ୍ରଛାତ୍ରୀ ଏଭଳି ଏକ ଲାଭଦାୟକ ଜିନିଷ ପ୍ରସ୍ତୁତ କରିପାରିଛନ୍ତି। ଟ୍ରାଫିକ ପୁଲିସମାନେ ଖରା, ବର୍ଷା, ଶୀତରେ ଠିଆ ହୋଇ ଟ୍ରାଫିକ କଣ୍ଡ୍ରୋଲ କରୁଥିବା ବେଳେ ଏହାକୁ ଦୁର କରିବା ପାଇଁ ଏହି ଶିକ୍ଷାନୁଷ୍ଠାନର ଛାତ୍ର ଗୋପୀନାଥ ବାରିକଙ୍କ ନେତୃତ୍ବରେ ୧୧ ଜଣ ଛାତ୍ରୀ ଟ୍ରାଫିକ ରୋବଟ ତିଆରି କରିଛନ୍ତି। ଏହା ଦ୍ବାରା କେବଳ ଟ୍ରାଫିକ ସମସ୍ୟା ଦୂର ହେବ ନାହିଁ ବରଂ ଭିଡ କମାଇବା, କ୍ଷୀପ୍ର ଗତିରେ ଯାଉଥିବା ଗାଡିକୁ ଟ୍ରାକ କରିବା ସହ ୨୪ ଘଣ୍ଟା ସେବା ଯୋଗାଇବା ଭଳି କାର୍ଯ୍ୟ କରିବ। ଏହି ଟ୍ରାଫିକ ରୋବଟ ତିଆରି କରିବା ପାଇଁ ଛାତ୍ରମାନଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ସେହିପରି ହାଇବ୍ରିଡ କାରଟି ପେଟ୍ରୋଲରେ ଚାଲିବା ସହ ବ୍ୟାଟେରୀରେ ମଧ୍ୟ ଚାଲିବ।

ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଜି.ନିଖିଲଙ୍କ ନେତୃତ୍ବରେ ୧୧ ଜଣ ଛାତ୍ର ଏହି ହାଇବ୍ରିଡ କାର ପ୍ରସ୍ତୁତ କରିଛନ୍ତି। କେବଳ ପେଟ୍ରୋଲରେ ଗାଡି ଷ୍ଟାର୍ଟ ହେବା ପରେ ବ୍ୟାଟେରୀରେ ଗାଡି ଚାଲିବ। ଏଥିପାଇଁ ସେମାନେ ନିଜସ୍ବ ଉଦ୍ୟମରେ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି କୃଷିଭିତ୍ତିକ ଡ୍ରୋନ ତିଆରି କରିବା ପାଇଁ ହର୍ଶିତା ସିରାପୁଙ୍କ ନେତୃତ୍ବରେ ୧୧ ଜଣ ଛାତ୍ର ଏହି ଡ୍ରୋନ ତିଆରି କରିଥିଲେ। ଏଥିପାଇଁ ସେମାନଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। କୃଷକ ନିଜର ଚାଷ ଜମିକୁ ବୁଲି ଦେଖିବା କଷ୍ଟକର ହେଉଥିବାରୁ ଏହି ଡ୍ରୋନ ସାହାଯ୍ୟରେ ଫସଲ କିପରି ଅଛି , ସାର ପ୍ରୟୋଗ କରିବା ସହ ଜମିରେ କି କି ଅବସ୍ଥା ରହିଛି ସେସବୁ ସହଜରେ ଜାଣିପାରିବେ।ଉନ୍ନତଧରଣର ଏହି ଡ୍ରୋନ କୃଷକ ଭାଇମାନଙ୍କୁ ବହୁ ସାହାଯ୍ୟ କରିବ ବୋଲି କୁହାଯାଇଛି।

ତେବେ ୬ଷ୍ଠ ସେମିଷ୍ଟାର ଶେଷ ବର୍ଷର ମେକାନିକ ଛାତ୍ରମାନେ ଏହା ପ୍ରସ୍ତୁତ କରିଥିବାରୁ ଆଗାମୀ ଦିନରେ ଯଦି ସରକାର ସେମାନଙ୍କୁ ସହଯୋଗ କରିବେ ତେବେ ସେମାନେ ଏହାକୁ ଆହୁରି ଅତ୍ୟାଧୁନିକ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ତେବେ ଏକ ପ୍ରୋଜେକ୍ଟର କାମ କରିବାକୁ ହେଲେ ଆର୍ଥିକ ସହଯୋଗ ରହିବା ଦରକାର। ଏହି ଛାତ୍ରମାନେ ଗରିବ ହୋଇଥିବାରୁ ବହୁ କଷ୍ଟରେ ଟଙ୍କା ଯୋଗାଡ କରି ଏହି ପ୍ରୋଜେକ୍ଟ ତିଆରି କରିପାରିଛନ୍ତି। ଯାହାକୁ ନେଇ ଅଧ୍ୟାପକ ଏବଂ ଅଭିଭାବକ ମହଲରେ ପ୍ରଶଂସାର ସୁଅ ଛୁଟୁଛି। ଏହି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନାରାୟଣ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଛାତ୍ରମାନେ ଏହା ପ୍ରସ୍ତୁତ କରିବାରେ ସଫଳତା ପାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର