ଅସହ୍ୟ‌ ହେଲା କର୍ତ୍ତୃପକ୍ଷଙ୍କ ମନମାନି, ସ୍କୁଲ୍ ଛାଡ଼ିଲେ ଏକଲବ୍ୟ ଛାତ୍ରଛାତ୍ରୀ

୫ କିମି ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି

ରାୟଗଡ଼ା: ପାଠ ପଢ଼ାଇବାକୁ ନାହାଁନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ୪ ବର୍ଷ ହେଲା ମିଳିନି ୟୁନିଫର୍ମ। ସ୍କୁଲ୍ ପରିଚୟ ପତ୍ର ଦେବାରେ ମଧ୍ୟ କୁଣ୍ଠିତ। ଷଷ୍ଠ ଶ୍ରେଣୀର ପରିଚୟ ପତ୍ରକୁ ଦଶମ, ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟବହାର କରୁଛୁ। ସ୍ବାସ୍ଥ୍ୟ ଖରାପ ହେଲେ କେହି ଦେଖୁନାହାଁନ୍ତି। ଅବ୍ୟବସ୍ଥା ମଧ୍ୟରେ ଚାଲିଛି ହଷ୍ଟେଲ୍। ବାରମ୍ବାର ଗୁହାରି ସତ୍ତ୍ବେ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଉନାହାଁନ୍ତି ଅଧ୍ୟକ୍ଷ। ଆଦିବାସୀ ପିଲା ବୋଲି ଆମକୁ ଠକି ଚାଲିଛନ୍ତି।

ସିରିଗୁଡ଼ା ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଆଣି ସ୍କୁଲ୍ ଛାଡ଼ିଛନ୍ତି ଛାତ୍ରଛାତ୍ରୀ। ନବମ ଓ ଦଶମ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ କରି ଚାଲିଚାଲି ୫ କିମି ଦୂର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଧାରଣା ଦେବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମାନିକୁ ତୀବ୍ର ବିରୋଧ କରିଛନ୍ତି। ରାସ୍ତା ସାରା ଛାତ୍ରଛାତ୍ରୀ ସ୍ଲୋଗାନ୍ ଦେଇ ସ୍କୁଲରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି, ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ବାବଦକୁ ଆସୁଥିବା ଅନୁଦାନ ଅର୍ଥକୁ ସ୍କୁଲ କର୍ତ୍ତୃପକ୍ଷ ହଡ଼ପ କରୁଛନ୍ତି। କୌଣସି ଅଭିଯୋଗକୁ ଗୁରୁତ୍ବ ଦେଉନାହାଁନ୍ତି।

ଆସନ୍ତା ୧୧ ତାରିଖରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେଉଛି। କିନ୍ତୁ ପରୀକ୍ଷା ହେବାକୁ ଥିବା ଇଂରାଜୀ ବିଷୟବସ୍ତୁ ସମ୍ପର୍କରେ ସ୍କୁଲରେ ପଢ଼ାଯାଇନି। ୬ଟି ବିଭାଗରେ ଖାଲି ପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବି ପୂରଣ ହୋଇପାରୁନି। ଯେଉଁ କିଛି ଶିକ୍ଷକ, ଶିକ୍ଷୟିତ୍ରୀ ଏବେ ସ୍କୁଲରେ ଅଛନ୍ତି ସେମାନେ ମିଟିଂ ଆଳରେ ପାଠ ପଢ଼ାଉ ନାହାଁନ୍ତି। ଏପରିକି କୌଣସି ଛାତ୍ରଛାତ୍ରୀର ଦେହ ଖରାପ ହେଲେ ଚିକିତ୍ସା ପାଇଁ ଟଙ୍କା ନଥିବା ଦର୍ଶାଉଛନ୍ତି ଅଧ୍ୟକ୍ଷ। କରୋନା ସମୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଇ ଦେଇଥିବା ଟଙ୍କା ମିଳିନଥିବା ବେଳେ ଗତବର୍ଷ ୟୁନିଫର୍ମ ବାବଦକୁ ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ ପାସବୁକ୍ ଜେ‌ରେକ୍ସ ନେଇଥିଲେ। ‌ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ମିଳିନି।

Sambad

 

ହଷ୍ଟେଲ୍ ଅବସ୍ଥା ଶୋଚନୀୟ ହୋଇ ପଡିଥିଲେ ମଧ୍ୟ ମରାମତି ହେଉନି। ବିଭିନ୍ନ ସମସ୍ୟା ସମ୍ପର୍କରେ ୪ ଥର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ସ୍କୁଲ୍ ଛାଡ଼ିବାକୁ ବାଧ୍ୟ ହେଲୁ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ପହଞ୍ଚିବା ପରେ ଧାରଣାରେ ବସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଭର ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସ୍କୁଲକୁ ଫେରିବୁନି ବୋଲି କହିଥିଲେ।

ଫଳରେ ଜିଲ୍ଲାପାଳ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ପିଏ ଆଇଟିଡିଏ ଟୁକୁ ବାରିକ୍, ସ୍କୁଲ୍ ଅଧ୍ୟକ୍ଷ ସନ୍ତୋଷ ପାତ୍ରଙ୍କ ଉପସ୍ଥିତିରେ ସ୍କୁଲରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ପରେ ଖୁବ୍ କମ ସମୟ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀ ସ୍କୁଲକୁ ଫେରି ଯାଇଛନ୍ତି। ଏ ସମ୍ପର୍କରେ ସ୍କୁଲ୍ ଅଧ୍ୟକ୍ଷ ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ ଲକଡାଉନ୍ ଯୋଗୁ ୟୁନିଫର୍ମ ଟେଣ୍ଡର ଓ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହୋଇଛି। ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର