ଫେରିଲେ ୟୁକ୍ରେନ୍‌ରେ ଫସିଥିବା ଅଧିକାଂଶ ଛାତ୍ରଛାତ୍ରୀ, କାଲି ଘରେ ପାଦଦେବେ ଆଉ ୪ ଜଣ

ରାଉରକେଲା: ଶେଷରେ ପ୍ରତୀକ୍ଷାର ଅନ୍ତ ହେଲା। ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଫସିରହିଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଖାର୍କିଭ୍‌, ଡିନିପ୍ରୋ, ଲିଭିଭ୍‌, କିଭ୍‌ ଆଦି ସହରରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ପ୍ରାୟ ୨୦ରୁ ଅଧିକ ସ୍ବଦେଶ ଫେରିଆସିଥିବାବେଳେ ଆଉ ୪ ଜଣ ନୂଆଦିଲ୍ଲୀ/ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେମାନେ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ବାହାରିଯାଇଛନ୍ତି। ଆସନ୍ତାକାଲି ସେମାନେ ଜନ୍ମମାଟିରେ ପହଞ୍ଚିବେ। ଅପରପକ୍ଷରେ ୟୁକ୍ରେନ୍‌ର ସୁମି ସହରରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନି। ତେବେ ଏଠାରେ ରାଉରକେଲାର ଛାତ୍ରଛାତ୍ରୀ ଅଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ୟୁକ୍ରେନ୍‌ରୁ ଫେରିଥିବା ଛାତ୍ରଛାତ୍ରୀ ମଧ୍ୟ ଏନେଇ ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି ।

ଜିଲ୍ଲାର ଛାତ୍ରଛାତ୍ରୀ ୟୁକ୍ରେନ୍‌ର ବିଭିନ୍ନ ସହର, ଯଥା- ପଢ଼ୁଥିଲେ। ଏହି କ୍ରମରେ ଜିଲ୍ଲାର ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ। ତେବେ ଗତ ୨୪ ତାରିଖରେ ରୁଷର ଆକ୍ରମଣ ପରେ ଏମାନେ ମେଟ୍ରୋ ଷ୍ଟେସନ, ବଙ୍କର୍‌, ବେସ୍‌ମେଣ୍ଟ୍‌ ଭିତରେ ଅଖିଆ ଅପିଆ ଲୁଚିରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ବର୍ଡର ଦେଇ ସୁରକ୍ଷିତଭାବେ ଅଣାଯାଇଥିଲା। ଏହି କ୍ରମରେ ଗତକାଲି ସୁଦ୍ଧା ଜିଲ୍ଲାର ପ୍ରାୟ ୧୫ରୁ ଅଧିକ ଛାତ୍ରଛାତ୍ରୀ ଜନ୍ମମାଟିକୁ ଫେରିଆସିଥିଲେ। ତେବେ ୪ ଜଣ ପ୍ରଥମ ବର୍ଷ ଛାତ୍ରଛାତ୍ରୀ, ଶାଶ୍ବତୀ ସ୍ବାଇଁ, ପ୍ରୀତମ ମହନ୍ତ, ଶୁଭଶ୍ରୀ ସାହୁ ଓ ପ୍ରତୀକ୍ଷା ସାମଲ ପୋଲାଣ୍ଡ୍‌ ଓ ରୋମାନିଆ ଆଶ୍ରୟସ୍ଥଳୀରେ ରହିଯାଇଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ୪ ଜଣଙ୍କୁ ମଧ୍ୟ ସୁରକ୍ଷିତଭାବେ ସେଠାରୁ ଭାରତକୁ ଅଣାଯାଇଛି । ଶାଶ୍ବତୀ ତାଙ୍କର ଅନ୍ୟ ଜଣେ ସହପାଠୀ ଭଦ୍ରକର ଅର୍ଚ୍ଚନା କର ଗତକାଲି ସନ୍ଧ୍ୟାରେ ପୋଲାଣ୍ଡ୍‌ ନୂଆଦିଲ୍ଲୀ ଆସିଥିଲେ। ସେହିଭଳି ରୋମାନିଆ ଆଶ୍ରୟସ୍ଥଳୀରେ ଥିବା ପ୍ରୀତମ, ଶୁଭଶ୍ରୀ ଓ ପ୍ରତୀକ୍ଷା ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରେ ସେଠାରୁ ବାହାରିଥିଲେ। ଆଜି ସକାଳେ ସେମାନେ ନୂଆଦିଲ୍ଲୀରେ ପହଞ୍ଚିବାପରେ ଅନ୍ୟ ବିମାନରେ ସିଧାସଳଖ ଭୁବନେଶ୍ବର ଫେରିଆସିଥିଲେ। ଏମାନେ ରାଉରକେଲା ଅଭିମୁଖେ ବାହାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର