କାଛୁ-କୁଣ୍ଡିଆ ଆକ୍ରାନ୍ତ ଛାତ୍ରଙ୍କୁ ତଡ଼ିଦେଲେ ସ୍କୁଲ କର୍ତ୍ତୃପକ୍ଷ, ଗାଁକୁ ଯିବାକୁ ୫ କିମି ଚାଲିଲେ

ଉଦ୍ଧାର ୬ ଛାତ୍ର ବାଳାଶ୍ରମରେ ଥଇଥାନ

ଯାଜପୁରସଦର : କାଛୁକୁଣ୍ଡିଆ ଆକ୍ରାନ୍ତ ହୋଇଥିବା ୬ ଜଣ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ତଡ଼ିଦେଲେ। ସରକାରୀ ଆବାସିକ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଚିକିତ୍ସା ନକରାଇ ଘରକୁ ପଳାଇଯିବାକୁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି। ପରେ ଏହି ୬ ଛାତ୍ରଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇ ବାଳାଶ୍ରମରେ ଥଇଥାନ କରାଯାଇଛି।
ଯାଜପୁର ଟାଉନ ଥାନା ଚିତାଳୋ କଲେଜ ସଂଲଗ୍ନ ରକ୍ଷାକାଳୀ ସଂସ୍କୃତ ଆବାସିକ ବିଦ୍ୟାଳୟ ରହିଛି। ଏଠାରେ ବିଭିନ୍ନ ଅଞ୍ଚଳ ଆଦିବାସୀ ପିଲାମାନେ ରହି ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ବିଦ୍ୟାଳୟର ୬ ଜଣ ଛାତ୍ର ମାସେ ହେଲାଣି କାଛୁକୁଣ୍ଡିଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ଚିକିତ୍ସ‌ା ନକରି  ବିଦ୍ୟାଳୟ କର୍ତ୍ତୃପକ୍ଷ ବାହାର କରିଦେଇଥିଲେ। ଆଜି ୬ ଜଣ ପିଲା ଖରାରେ ଚାଲିଚାଲି ୫ କିମି ବାଟ ଆସିବା ପରେ ବିରଜା ମନ୍ଦିର ନିକଟରେ ସେବାୟତ ଓ ସାଧାରଣ ଲୋକ ପିଲାମାନଙ୍କୁ  ଅଟକାଇ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ସ୍କୁଲ ପକ୍ଷରୁ ପିଲାମାନଙ୍କୁ ଛାଡ଼ିବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା।

ଏ ସଂପର୍କରେ ୧୦୯୮ କୁ ଫୋନ କରାଯିବାରୁ ଯାଜପୁର ଚାଇଲ୍ ଡଲାଇନ ମୁଖ୍ୟ ବରେନ୍ଦ୍ରକୃଷ୍ଣ ଦାଶଙ୍କ ନିର୍ଦେଶରେ ସୁମିତ କୁମାର ଜେନା, ଦୀପକ ସାହୁ ଓ ଏସକେ ଲିୟାକତ ହୁସେନ ପହଞ୍ଚିଥିଲେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର  ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୋମନାଥ ମୁଣ୍ଡା (୧୪), ରାହାସ ବିହାରୀ ବଦରା (୧୪), କେଶବ ମୁଣ୍ଡା(୧୩), ଜଗନ୍ନାଥ ମୁଣ୍ଡା (୧୪), ସପ୍ତମ ଶ୍ରେଣୀର ଆକାଶ ମୁଣ୍ଡା (୧୨)ଙ୍କୁ ଉଦ୍ଧାର କରି ଯାଜପୁର ସିଡବ୍ଲୁସିରେ ହାଜର କରାଯାଇଥିଲା। ସେମାନଙ୍କୁ ଅସ୍ଥାୟୀ ଭାବେ ବାଳାଶ୍ରମରେ ରଖାଯାଇଛି। ସେମାନଙ୍କ ପରିବାର ସହ ଯୋଗାଯୋଗ କରି ଏ ସଂପର୍କରେ ଅବଗତ କରାଯାଇଛି। ଏନେଇ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର