ଶିକ୍ଷକଙ୍କ ଡେପୁଟେସନ୍‌ ନିର୍ଦ୍ଦେଶକୁ ବିରୋଧ, ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଋାଜନଗର: ରାଜନଗର ବ୍ଲକ୍‌ କୋଇଲିପୁରସ୍ଥିତ ପାଟ୍ଟକୁମାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ବିଦ୍ୟାଳୟର ଶିକ୍ଷକ ନିରଂଜନ ବେହେରାଙ୍କ ପାଖ ସ୍କୁଲକୁ ହୋଇଥିବା ଡେପୁଟେସନ ନିର୍ଦ୍ଦେଶକୁ ବିରୋଧ କରି ଆଜି ବିଦ୍ୟାଳୟରେ ତାଲା ପକାଯାଇଛି। ସୂଚନା ମୁତାବକ, କୋଇଲିପୁର ପଞ୍ଚାୟତର ବଡକୋଟ ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ। ଶିକ୍ଷୟିତ୍ରୀ ପ୍ରସବଜନିତ ଛୁଟିରେ ଥିବାରୁ ଏହି ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। କୋଇଲିପୁର ପାଟ୍ଟକୁମାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ୬ଜଣ ଶିକ୍ଷକ ଥିବାରୁ ଏହି ବିଦ୍ୟାଳୟର ଶିକ୍ଷକ ନିରଂଜନ ବେହେରାଙ୍କୁ ବଡକୋଟ ପ୍ରାଥମିକ ବିଦ୍ୟାଳୟକୁ ଟେପୁଟେସନରେ ପାଠ ପଢାଇବାକୁ ବ୍ଲକ ଶିକ୍ଷାଧିକାରୀ ନିର୍ଦ୍ଦେଶ ଜାରି କରିଥିଲେ। ଏହାପରେ ବିଦ୍ୟାଳୟ ପରିଚାଳନା କମିଟି ବ୍ଲକ ଶିକ୍ଷାଧିକାରୀଙ୍କୁ ଭେଟି କରୋନା ସମୟରେ ଦୁଇବର୍ଷ ଧରି ପାଠ ପଢା ବନ୍ଦ ଥିଲା। ଏହି ଶିକ୍ଷକଙ୍କୁ ଏଠାରୁ ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ନନେବା ପାଇଁ ଅଭିଯୋଗ କରାଯାଇଥିଲା। ଏହାବାଦ୍‌ ଏହି କ୍ଲଷ୍ଟରର ସିଆରସିସି ମନୋରଂଜନ ପରମାଣିକ ଗାଁ ଲୋକଙ୍କୁ ଖରାପ ବ୍ୟବହାର କରିଥିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା।

ଗତ ଶୁକ୍ରବାର ଦିନ ତୁରନ୍ତ ଡେପୁଟେସନରେ ବଡକୋଟ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବାକୁ ଶିକ୍ଷକ ନିରଂଜନ ବେହେରାଙ୍କୁ କୁହାଯାଇଥିଲା। ଆଜି ବିଦ୍ୟାଳୟ ଖୋଲିବା ପରେ ଏ ନେଇ ଅଭିଯୋଗ କରିବା ପରେ ବିଦ୍ୟାଳୟରୁ ଶିକ୍ଷକ ନେବେନି ବୋଲି ବ୍ଲକ ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଥିଲେ। କାହିଁକି ପୁର୍ନବାର ଡେପୁଟେସନରେ ଶିକ୍ଷକଙ୍କୁ ନେଉଛନ୍ତି ଏବଂ ଦୁର୍ବ୍ୟବହାର କରିଥିବା ସିଆରସିସିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ଅଭିଯୋଗ କରି ବିଦ୍ୟାଳୟରେ ତାଲା ପକାଇଥିଲେ। ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ବିଦ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ଅଧାଦିନ ବିଦ୍ୟାଳୟକୁ ଆସନ୍ତି ନାହିଁ, ଆଜି ସକାଳ ୧୦ଟାରେ ଆସିଥିଲେ, ତା’ପରେ କୁଆଡେ ପଳାଇଲେ ଓ ଏବେ ଆମ ଫୋନ୍‌ ଉଠାଉନାହାନ୍ତି ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜନକୁମାର ରାଉତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବ୍ଲକ ଶିକ୍ଷାଧିକାରୀ ମନୋରଂଜନ ସେଠୀଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ପ୍ରସବଜନିତ ଛୁଟିରେ ଯିବା ପରେ ବଡକୋଟ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ବଡକୋଟ ବିଦ୍ୟାଳୟରେ ଡେପୁଟେସନରେ ପାଠ ପଢାଇବାକୁ ପାଟ୍ଟକୁମାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିରଂଜନ ବେହେରାଙ୍କୁ ନିର୍ଦ୍ଦେଶ ହୋଇଥିଲା। ସ୍ଥାନୀୟ ସରପଂଚ ଏହି ବିଷୟରେ ମୋ ସହ କଥା ହୋଇଥିଲେ। ସଂପୃକ୍ତ ଶିକ୍ଷକ ୮ଦିନ ଯାଇଁ ବଡକୋଟ ବିଦ୍ୟାଳୟରେ ପାଠ ପଢାନ୍ତୁ, ଆମେ ବିକଳ୍ପ ବ୍ୟବସ୍ଥା କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲି। ଏହା ପରେ ମଧ୍ୟ ଆଜି ବିଦ୍ୟାଳୟ ବନ୍ଦ କରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର