ଅବ୍ୟବସ୍ଥା ଘେରରେ ଫକୀରମୋହନ ମେଡିକାଲ କଲେଜ ; ମୁଖ୍ୟ ଫାଟକରେ ତାଲା ପକାଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଧାରଣା

ବ‌ାଲେଶ୍ବର/ରେମୁଣା : ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ବାଲେଶ୍ବର ଜିଲ୍ଲା‌ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ଚାଲିଥିବା ଅଭିଯୋଗ ଆଣି ଦୁଇଦିନ ହେଲା ମୁଖ୍ୟଫାଟକରେ ତାଲା ଝୁଲୁଛି। ଶହଶହ ଡାକ୍ତରୀ ଛାତ୍ରଛାତ୍ରୀ ସମସ୍ୟାର ସମାଧାନ ଦାବିରେ ଧାରଣାରେ ବସିଛନ୍ତି। ହେଲେ ନା କଲେଜ କର୍ତ୍ତୃପକ୍ଷ ନା ଜିଲ୍ଲା ପ୍ରଶାସନ କାହାରି ଏପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ। ଫଳରେ ଏହି କଲେଜରେ ଏକପ୍ରକ‌ାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଏହି ମେଡିକାଲ କଲେଜ ଏବେ ବ୍ୟାପକ ଅବ୍ୟବସ୍ଥା ଭିତରେ ଚାଲୁଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ କିମ୍ବା ଷ୍ଟାଫ୍‌ କ୍ବାର୍ଟର୍ସରେ ରହୁଥିବା ଅଧ୍ୟାପକ କିମ୍ବା କର୍ମଚାରୀମାନଙ୍କ ସଂଖ୍ୟା ୩୦୦ରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉନାହିଁ। ହଷ୍ଟେଲ, କ୍ୟାମ୍ପସ, କ୍ଲାସ ରୁମ୍‌, ଷ୍ଟାଫ୍‌ କ୍ବାର୍ଟର୍ସ ଆଦି ସ୍ଥାନରେ ପାନୀୟଜଳର ସୁବିଧା ପାଇଁ ୯ଟି ଆକ୍ବାଗାର୍ଡ ଲଗାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟ ୫ଟି ଖରାପ ହୋଇଯାଇଛି। ଫଳରେ ପିଇବା ପାଣି ପାଇଁ ବହୁ ଅସୁବିଧା ହେଉଛି। କରେଣ୍ଟ ଚାଲିଗଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରା କ୍ୟାମ୍ପସ ଅନ୍ଧାର ରହୁଛି। ଜେନେରେଟର ବ୍ୟବସ୍ଥା ରହିଥିଲେ ବି ତାହା ଚାଲୁ କରାଯାଉନାହିଁ। ଏଥିସହ କଲେଜ ପରିସର ଦୀର୍ଘଦିନ ହେଲା ବେଣାଘାସ ଓ ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ସେଗୁଡ଼ିକ ସଫା କରାଯାଉନଥିବା‌ରୁ ରାସ୍ତାଘାଟରେ ବିଷଧର ସାପ ଓ ଜୀବଜନ୍ତୁ ବିଚରଣ କରୁଥିବା ଦେଖିବାକୁ ମିଳୁଛି। କରୋନା ଯୋଗୁଁ ଲକ୍‌ଡାଉନ ଓ ସଟ୍‌ଡାଉନ ଦୀର୍ଘଦିନ ଧରି ଜାରି ରହିବାରୁ ପାଠପଢ଼ା ବି ବ୍ୟାପକମାତ୍ରାରେ ପ୍ରଭାବିତ ହେଲା। ସରକାର ଅନ୍‌ଲାଇନ କ୍ଲାସ ବ୍ୟବସ୍ଥା କରିଥିବା ବେଳେ ଏଠାରେ ୱାଇଫାଇ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଠିକ୍‌ ଭାବେ ଚାଲିପାରୁନାହିଁ। ସେହିପରି ପିଲାମାନଙ୍କର ପ୍ରାକ୍ଟିକାଲ କ୍ଲାସ ଅର୍ଥାତ୍‌ କ୍ଲିନିକାଲ ଟିଚିଂ ପାଇଁ ୮ କିଲୋମିଟର ଦୂର ବାଲେଶ୍ବର ସହରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଥିବା ବେଳେ ଏଥିପାଇଁ କଲେଜ ତରଫରୁ ୨ଟି ବସ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ଗୋଟିଏ ବସ୍‌ କାମ କରୁଛି। ଦୁଃଖର କଥା ହେଉଛି ୪୦ରୁ ୪୫ ଜଣ ଯାଇ ପାରିବାର ବ୍ୟବସ୍ଥା ରହିଥିବା ଏହି ବସ୍‌ରେ ଲଦାଲଦି ହୋଇ ୬୦ରୁ ୭୦ ପିଲା ପ୍ରାକ୍ଟିକାଲ କ୍ଲାସ ପାଇଁ ଯାଉଛନ୍ତି। ‌ଯେତିକି ପିଲା ପ୍ରାକ୍ଟିକାଲ କ୍ଲାସ ପାଇଁ ପ୍ରକୃତରେ ଯିବା କଥା ସେମାନେ ଯାଇପାରୁନାହାନ୍ତି। ଯିବାଆସିବା ନେଇ ଅଯଥା ସମୟ ନଷ୍ଟ ହେଉଥିବାରୁ ପିଲାମାନେ ପ୍ରାକ୍ଟିକାଲ କ୍ଲାସ ମଧ୍ୟ ଠିକ୍‌ ଭାବେ କରିପାରୁନଥିବା କହିଛନ୍ତି। ଏହାଛଡ଼ା ଲାଇବ୍ରେରି ଓ ଜିମ୍‌ ସୁବିଧା ମଧ୍ୟ ମିଳୁନାହିଁ। ତେବେ ଯଦି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଏତେ ଅବ୍ୟବସ୍ଥା ଭିତରେ ରଖାଯାଉଛି ତାହେଲେ ଏହାର କୁପ୍ରଭାବ ସେମାନଙ୍କ କ୍ୟାରିଅର ଉପରେ ମଧ୍ୟ ପଡ଼ିବ। ସେହିପରି ସୁବିଧା ଯଦି ଉପଲବ୍ଧ ନାହିଁ ସେ ବାବଦରେ ଆଡ୍‌ମିସନ ବେଳେ ଟଙ୍କା କାହିଁକି ନିଆଯାଉଥିବା ଅଭିଯୋଗ ହୋଇଛି। ସବୁଠୁ ଦୁଭାର୍ଗର ବିଷୟ ହେଉଛି, ଏ ସମ୍ପର୍କରେ ସେମାନେ ବାରମ୍ବାର କଲେଜ ଡିନ୍‌ ତଥା ଅଧ୍ୟକ୍ଷଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ, ଏବଂ କଲେଜର ହାଲଚାଲ କିମ୍ବା ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ସେ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଅନ୍ୟପକ୍ଷରେ ଡିନ୍‌ ଡାକ୍ତର ରାମଚନ୍ଦ୍ର ଗିରିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଛାତ୍ରଛାତ୍ରୀମାନେ ଯେଉଁସବୁ ଅଭିଯୋଗ ନେଇ ଧାରଣାରେ ବସିଛନ୍ତି ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ତେବେ ସେମାନଙ୍କ ସବୁ ଅଭିଯୋଗ ଆଧାରଯୁକ୍ତ ନୁହେଁ। ଆଜି ସେମାନଙ୍କ ସହ କର୍ତ୍ତୃପକ୍ଷଙ୍କର ଆଲୋଚନା ହେବା ପରେ ସନ୍ଧ୍ୟା ବେଳେ ଧାରଣା ହଟିଯାଇଥିବା ସେ କହିଛନ୍ତି।

କଲେଜର ଏପରି ଅବ୍ୟବସ୍ଥାକୁ ନେଇ ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ ପ୍ରକାଶ କରିଛି। କମିଟିର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଆଜି ଧାରଣାରତ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ନ‌େଚତ କମିଟିର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଏ ସମ୍ପର୍କରେ ଖବର ପାଇବା ପରେ ଡିନ୍‌ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର