ବାରିପଦା: ପ୍ରାୟ ୧୦ମାସ ପରେ ଜିଲ୍ଲାର ଏକମାତ୍ର ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହେବ ପାଠପଢ଼ା। ସେହିପରି ଜିଲ୍ଲାରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠପଢ଼ା ଆରମ୍ଭ ହେବ। ଏନେଇ ବିଶ୍ବବିଦ୍ୟାଳୟସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ସମସ୍ତ ଶ୍ରେଣୀଗୃହଗୁଡ଼ିକୁ ବିଶୋଧିତ କରାଯାଇଛି। ସେହିପରି ହଷ୍ଟେଲ୍ ରୁମ୍ଗୁଡ଼ିକୁ ମଧ୍ୟ ବିଶୋଧିତ କରାଯାଇଛି। ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ହିଁ ସୋମବାରଠାରୁ ପାଠପଢ଼ା ଆରମ୍ଭ ହେବ। ଏନେଇ ଖୋଦ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ନିରୀକ୍ଷଣ କରିଛନ୍ତି। ନିଜେ ବିଶ୍ବବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକ ବୁଲିବା ସହିତ ହଷ୍ଟେଲ ଅବସ୍ଥା ଅନୁଧ୍ୟାନ କରିଛନ୍ତି। ଛାତ୍ରଛାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ଏବଂ କରୋନାରୁ ସୁରକ୍ଷିତ ରହିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କୁଳପତି ପ୍ରଫେସର ବସା ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀମାନେ ହଷ୍ଟେଲ୍ରେ ରହିପାରିବେ। ମାତ୍ର ଡାଇନିଂରେ ଏକାଠି ବସି ଖାଇପାରିବେନି।
ଖାଦ୍ୟ ନେଇ ନିଜ ନିଜ ରୁମ୍ରେ ଖାଇବେ ବୋଲି ପ୍ରଫେସର ବସା ସୂଚନା ଦେଇଛନ୍ତି। ସେହିପରି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତା ବଜାୟ ରକ୍ଷା ପୂର୍ବକ କ୍ଲାସ୍ କରାଯିବ। ଶ୍ରେଣୀଗୃହ ଏବଂ ହଷ୍ଟେଲ୍ ରୁମ୍ ପ୍ରବେଶ ପଥରେ ସାନିଟାଇଜର ଏବଂ ହାତ ଧୋଇବା ନିମନ୍ତେ ସାବୁନ ଆଦିର ବ୍ୟବସ୍ଥା କରାଯାଇଛି। କୌଣସି ଛାତ୍ରଛାତ୍ରୀଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଗଲେ ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବା ଭଳି ବ୍ୟବସ୍ଥା ମଧ୍ୟ ନିଆଯାଇଥିବା ଜଣାପଡ଼ିଛି। ସୋମବାର ଶିକ୍ଷାନୁଷ୍ଠାନ ଖୋଲୁଥିବାବେଳେ ଛାତ୍ରଛାତ୍ରୀମାନେ ଆଜିଠାରୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ହଷ୍ଟେଲ୍କୁ ଆସିବା ଆରମ୍ଭ କରିଥିବା କହିଛନ୍ତି ପିଜି କାଉନସିଲ ଚେୟାରମ୍ୟାନ୍ ଅନିଲ କୁମାର ବିଶ୍ବାଳ। ହଷ୍ଟେଲ୍ରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ଭଳି ବ୍ୟବସ୍ଥା କରାଯାଇଛି।
ବିଶ୍ବବିଦ୍ୟାଳୟର ୨୩ଟି ବିଭାଗରୁ ପିଜିରେ ଅନ୍ତିମ ବର୍ଷରେ ପ୍ରାୟ ୬ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେହିପରି ଏମ୍ପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହକୁ ଆସିବା ଏବଂ ପାଠପଢ଼ା ନେଇ ଆବଶ୍ୟକୀୟ ବ୍ୟବସ୍ଥା ହୋଇଥିବା କହିଛନ୍ତି ଅଧ୍ୟକ୍ଷା ଡ. ଝରଣା ବେହେରା। କରୋନାକୁ ନେଇ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶୀକାକୁ ଅନୁସରଣ କରିବା ସହିତ ପାଠପଢ଼ା ଆରମ୍ଭ ହେବ ବୋଲି ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି। ଦୀର୍ଘ ୧୦ମାସ ପରେ ପୁଣିଥରେ ନିଜ ଶ୍ରେଣୀଗୃହକୁ ଫେରିବାକୁ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହିତ ଥିବା ଜଣାପଡ଼ିଛି। ତେବେ ଆଗକୁ ମୟୂରଭଞ୍ଜର ଗଣପର୍ବ ମକର ଆସୁଥିବାରୁ ପ୍ରାଥମିକ ଦିନ ମାନଙ୍କରେ ଉପସ୍ଥାନ କମ ରହିପାରେ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/cbse-class-12-exam-1556780458.jpg)