ପୁଣି ସିଏସଓଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ

କେନ୍ଦୁଝର: ବହୁ କଷ୍ଟରେ ଚାଷୀ ଚାଷ କରି ଧାନ ଅମଳ କଲେ। ସରକାରଙ୍କ ନିୟମ ଅନୁଯାୟୀ ଧାନ ବିକ୍ରି କରିବା ପାଇଁ ଚାଷୀ ନିଜର ନାମ ପଞ୍ଜୀକରଣ ମଧ୍ୟ କଲେ। ଆଉ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଟୋକନ ଦିଆଗଲା। ଟୋକନ ପାଇବାର ମାସକ ମଧ୍ୟରେ ଚାଷୀ ତାର ଉତ୍ପାଦିତ ଧାନ ଆଣି ମଣ୍ଡିରେ ବିକ୍ରି କରି କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟତା ମୂଲ୍ୟ ୧୮୬୮ ଟଙ୍କା ପାଇପାରିବ। ମାତ୍ର ଟୋକନ ସମୟ ଅବଧି ସରିବାକୁ ବସିଥିଲେ ମଧ୍ୟ ସେମାନଙ୍କଠାରୁ ଧାନ ନିଆଯାଉ ନାହିଁ। ଟାର୍ଗେଟ ଆସି ନାହିଁ, ଧାନ ନେଇପାରିବୁ ନାହିଁ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି। ଧାନ ବିକିବା ପାଇଁ ଚାଷୀ ମଣ୍ଡିରୁ ଲ୍ୟାମ୍ପସ, ଲ୍ୟାମ୍ପସରୁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଉପ ଜିଲ୍ଲାପାଳ ଆଉ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଧାଇଁଧାଇଁ ନୟାନ୍ତ ହେଲାଣି। ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ଚାଷୀ ଉତ୍ତ୍ୟକ୍ତ ହୋଇ କେତେବେଳେ ରାସ୍ତା ରୋକ କରୁଛି ତ ଆଉ କେତେବେଳେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କୁଛି। ନହେଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହିପରି ଭାବେ ଗତ ୨୦ ତାରିଖରେ କେନ୍ଦୁଝର ଲ୍ୟାମ୍ପସ ଅଧୀ‌ନରେ ଥିବା ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିଥିଲେ।

ଆଜି ପୁଣି ଧାନ ବିକ୍ରି କରିବାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଫାଟକରେ ପୂର୍ବାହ୍ଣରେ ତାଲା ଠୁଙ୍କି ଥିଲେ ଚାଷୀ। ଫଳରେ କାର୍ଯ୍ୟାଳୟରେ ବହୁ କର୍ମଚାରୀ ନଜରବନ୍ଦୀ ହୋଇ ରହିଥିଲେ। ଚାଷୀମାନେ ଉପ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ। ଉପଜିଲ୍ଳାପାଳ ରାମଚନ୍ଦ୍ର କିସ୍କୁ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେ ଧାନ କିଣିବା ନେଇ ଅସହାୟତା ପ୍ରକାଶ କରିଥିଲେ। ତାଙ୍କ ଦାବି ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ବୋଲି କହିଥିଲେ। ଚାଷୀ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନଥିଲେ। ସେଠାରୁ ଫେରି ଜିଲ୍ଳା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ, ଏସଆଇ ଅମିତ କୁମାର ଭୂୟାଁ ଏବଂ କିଛି କର୍ମଚାରୀଙ୍କ ସହିତ ସେଠାରେ ପହଞ୍ଚି ଚାଷୀଙ୍କୁ ବୁଝାଇବା ସହିତ ନଜରବନ୍ଦୀଥିବା କର୍ମଚାରୀଙ୍କୁ ତାଲା ଖୋଲି ଉଦ୍ଧାର କରିଥିଲେ।

ମାସକୁ ପୂର୍ବରୁ ଟୋକନ ପାଇଥିବା ଚାଷୀ ଆଜି ପର୍ଯ୍ୟନ୍ତ ଧାନ ବିକି କରିପାରି ନାହାନ୍ତି। ଆଜି ରାତି ୧୨ଟାରେ ତାଙ୍କ ଟୋକନର ସମୟ ଅବଧି ଶେଷ ହୋଇଯିବ। ଚାଷୀ ଆଉ ତାର ଧାନ ବିକ୍ରି କରିପାରିବ ନାହିଁ । ଲ୍ୟାମ୍ପସକୁ ଗଲେ ଟାର୍ଗେଟ ଆସିନାହିଁ କହି ଅଧିକାରୀ ଫେରାଇ ଦେଉଛନ୍ତି। ତାଙ୍କ ଧାନ ନେବାର ବ୍ୟବସ୍ଥା କରା ନଯିବା ପର୍ଯ୍ୟନ୍ତ ସେମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ହଟିବେ ନାହିଁ ବୋଲି ରୋଗଠକ ଶୁଣାଇଛନ୍ତି।

ଚାଷୀନେତା ଭାଗୀରଥି ସିଂଙ୍କ କହିବା ଅନୁଯାୟୀ ନରଣପୁର ସଦର ଲ୍ୟାମ୍ପସ ଅଧୀନରେମଇଦାନକେଲ ମଣ୍ଡିର ୭୦୮ ଜଣ ଚାଷୀ ମାସେ ହେଲା ଟୋକନ ପାଇଛନ୍ତି। ଆଜି ସେମାନଙ୍କ ମଧ୍ୟରୁ କେତେକଙ୍କ ଟୋକନ ଅବଧି ଶେଷ ହୋଇଯିବ। ୭୦ ଜଣ ଚାଷୀଙ୍କର ୨୪ ଶହ ୩୦ କୁଇଣ୍ଟାଲ ଧାନ ସେମାନେ କରିବେ କ’ଣ? ସେମାନେ ଧାନ ବିକି ନକରିପାରିଲେ ଚଳିବେ କିପରି ? ସେପଟେ ଦଲାଲମାନେ ୧୧ଶହରୁ ୧୨ ଶହ ଟଙ୍କାରେ ଧାନ କିଣୁଛନ୍ତି।‌ ଦଲାଲକୁ ଚାଷୀ ଯଦି ଧାନ ବିକେ, ତେବେ ବହୁ କ୍ଷତି ସହିବ ବୋଲି ଶ୍ରୀ ସିଂ କହିଛନ୍ତି। ମଣ୍ଡିରେ ଧାନ ନନେବା ଅର୍ଥ ପରୋକ୍ଷରେ ସରକାର ଦଲାଲଙ୍କ ଜରିଆରେ ବାହାର ବେପାରୀଙ୍କ ହାତରେ ଶାଗମାଛ ଦରରେ ଧାନ ଟେକି ଦେବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ଚାଷୀଙ୍କ ଧାନ ନିଆ ନଯାଏ, ତେବେ ଆସନ୍ତାକାଲି ଚା‌ଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଆନ୍ଦୋଳନ କରିବେ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର