ଉମରକୋଟ: ଜଣେ ପୁଲିସ କର୍ମଚାରୀ ଶୁଦ୍ଧିକ୍ରିୟା ଘରକୁ ଯାଇ ପ୍ରାୟ ୧୦୦ ଜଣଙ୍କୁ ଗାମୁଛା ବାଣ୍ଟିବା ଆପଣ କ୍ଵଚିତ ଶୁଣିଥିବେ। କିନ୍ତୁ ପୁଲିସ ପ୍ରତି ଏକ ସୁସଂପର୍କ ସ୍ଥାପନ କରିବା ପାଇଁ ଉମରକୋଟ ଥାନାର ସବଇନସପେକ୍ଟର ଖଗେଶ୍ବର ଖସଲା ଆଜି ଏହି କାମ କରିଛନ୍ତି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସା କରାଯାଉଛି। ଭୀମାଗୁଡା ଗ୍ରାମରେ ୬୦ ବର୍ଷ ବୟସ୍କ ମଙ୍ଗତୁ ପନକାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ସବଇନସପେକ୍ଟର ଖଗେଶ୍ବର ଖୋସଲା ପେଟ୍ରୋଲିଂ କରିବା ସମୟରେ ଜାଣିବାକୁ ପାଇଥିଲେ। ଆଜି ଥିଲା ତାଙ୍କ ଦଶ ଘର। ପୁଲିସ କର୍ମଚାରୀ ନିଜ ପକେଟରୁ ୧୦୦ଟା ଗାମୁଛା କିଣି କିଛି ପୁଲିସଙ୍କୁ ନେଇ ମଙ୍ଗତୁଙ୍କ ଘରେ ପହଞ୍ଚି ନିଜେ ପ୍ରାୟ ୧୦୦ ଲୋକ ଯେଉଁମାନେ ଆଜି ଦଶ ଘରେ ଯୋଗ ଦେବା ପାଇଁ ଆସିଥିଲେ, ସେମାନଙ୍କୁ ଗାମୁଛା ନିଜ ହାତରେ ବଣ୍ଟନ କରିଥିଲେ। ପୁଲିସ ଆସି ଗାମୁଛା ବଣ୍ଟନ କରିବା ସମସ୍ତଙ୍କୁ ଚକିତ କରିଥିଲା।
ଉଲ୍ଳେଖଯୋଗ୍ୟ ଏହିକି ଯେ, ପ୍ରାୟ ୧୫ ଦିନ ତଳେ ଉମରକୋଟ ଥାନା ଅନ୍ତର୍ଗତ ତହରା ଗ୍ରାମରେ ଜଣେ ଯୁବତୀ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ। ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ୨ କିଲୋ ମିଟର ଦୂରରେ ରହିଗଲା। ଆମ୍ବୁଲାନ୍ସ ନିକଟକୁ ମୃତ ଶରୀରକୁ ଆଣିବା ପାଇଁ କାନ୍ଧ ମିଳିନଥିଲା। ଶେଷରେ ପୁଲିସ ସବଇନସପେକ୍ଟର ଖଗେଶ୍ବର ଖୋସଲା ନିଜେ ସମ୍ପର୍କୀୟ ସହ କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଆଜି ଗାମୁଛା ବଣ୍ଟନ କରିବ। ସମୟରେ ଧୋଡ୍ର। ନାଏବ ସରପଞ୍ଚ ଅରୁଣ ଦାସ, ସମାଜସେବୀ ମନୋହର ଜାନୀ, ଅର୍ଜ୍ଜୁନ ସମରଥ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ଯଦି ସବୁ ପୁଲିସ ଏପରି ସାମାଜିକ କାର୍ଯ୍ୟ କରିଥାନ୍ତେ ତେବେ ଲୋକଙ୍କର ପୁଲିସ ପ୍ରତି ଥିବା ଭୟ ଦୂର ହେଇ ପାରିଥାନ୍ତା। ଓ ସମାଜରେ ବହୁ ଅପରାଧ କମି ପାରିଥାନ୍ତା।