ରାଉରକେଲା : ଗୁରୁବାରଠାରୁ ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ୧୩ତମ ଉପକନିଷ୍ଠ ବାଳକ ଜାତୀୟ ହକି ଟୁର୍ଣାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ଦଳ ଚମତ୍କାର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଆଜି ଓଡିଶା ତା’ର ପ୍ରଥମ ମ୍ୟାଚରେ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଏକତରଫାଭାବେ ୧୮-୦ ଗୋଲରେ ପରାସ୍ତ କରିଛି। ମ୍ୟାଚ୍ର ତୃତୀୟ ମିନିଟରେ ଓଡ଼ିଶାର ଇରେଙ୍ଗବାମ ରୋହିତ ସିଂହ ପ୍ରଥମ ଗୋଲ ଦେଇ ଦଳକୁ ୧- ୦ରେ ଆଗୁଆ କରିଥିଲେ। ଏହାପରେ ଓଡ଼ିଶାର ଖେଳାଳିମାନେ ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଚାଲିଥିଲେ। ପରେ ରୋହିତଙ୍କ ଆଉ ଏକ ଗୋଲ (୨୮ମିନିଟ୍) ସମେତ ଦେଓନାଥ ନାନୱାରଙ୍କ ସର୍ବାଧିକ ୫ ଗୋଲ୍ (୧୬, ୩୫, ୩୬, ୪୦, ୪୯ ମିନିଟ୍), ଦୀପକ ପ୍ରଧାନଙ୍କ ୪ ଟି ଗୋଲ (୧୪, ୧୯, ୨୫, ୪୪ ମିନିଟ୍), ୟୋଜିନ ମିଞ୍ଜଙ୍କ ୩ଟି ଗୋଲ (୧୧, ୨୬, ୩୩ ମିନିଟ୍) ଏବଂ ସୁଦର୍ଶନ ଗୌଡ଼(୧୩ ମିନିଟ୍), ୟୁମଖାମ୍ ବିଦ୍ୟାନନ୍ଦ ସିଂହ (୪୩ ମିନିଟ୍), ପ୍ରଦୀପ ମଣ୍ଡଳ (୫୭ମିନିଟ୍), ବିକନ୍ ଓରାମ (୧୮ମିନିଟ୍)ଙ୍କ ଗୋଟିଏ ଲେଖାଏଁ ଗୋଲ ବଳରେ ମୋଟ୍ ୧୮ଟି ଗୋଲ ଦେଇଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ର ଗୋଟିଏ ବି ଗୋଲ ପରିଶୋଧ କରିନପାରି ଶୋଚନୀୟ ପରାଜୟ ବରଣ କରିଥିଲେ।
ଆଜି ଏହି ଟୁର୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ବିହାର ଦଳ ତେଲେଙ୍ଗାନାକୁ ଭେଟିଥିଲା। ଏଥିରେ ବିହାର ୫-୦ ଗୋଲରେ ବିଜୟୀ ହୋଇଛି। ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ମଧ୍ୟପ୍ରଦେଶ ୨୭-୦ ଗୋଲରେ ମିଜୋରାମକୁ ପରାସ୍ତ କରିଥିବାବେଳେ ତାମିଲନାଡୁ ୮-୨ ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ଏହି ପ୍ରତିଯୋଗିତା ମେ’ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁନ୍ଦରଗଡ଼ ଜିଲ୍ଲାର ହକିପ୍ରେମୀ ପୁଣି ଥରେ ଜାତୀୟ ସ୍ତରର ଖେଳାଳିଙ୍କ ଖେଳ ଦେଖିବାର ସୁଯୋଗ ପାଇବେ। ଏହି ୧୧ ଦିନିଆ ଟୁର୍ଣାମେଣ୍ଟରେ ୨୮ ଟି ରାଜ୍ୟ ଦଳ ଅଂଶଗ୍ରହଣ କରିଛନ୍ତି। ଦଳଗୁଡ଼ିକୁ ୮ଟି ପୁଲ୍ରେ ବିଭକ୍ତ କରାଯାଇଛି। ପୁଲ୍-ଏରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ ଥିବାବେଳେ ପୁଲ୍- ବିରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ହିମାଞ୍ଚଳ ପ୍ରଦେଶ; ପୁଲ୍- ସିରେ ଓଡ଼ିଶା, ଉତ୍ତରାଖଣ୍ଡ, ମହାରାଷ୍ଟ୍ର; ପୁଲ୍-ଡି ରେ ହରିୟାଣା, ଗୋଆ, ଛତିଶଗଡ଼; ପୁଲ୍-ଇ'ରେ ପଞ୍ଜାବ, ଦିଲ୍ଲୀ, ଆସାମ, ତ୍ରିପୁରା; ପୁଲ୍-ଏଫ୍' ରେ ଦାଦ୍ରା ଓ ନାଗର ହାଭେଲି ଏବଂ ଡାମନ୍ ଡିୟୁ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପୁଡ଼ୁଚେରୀ; ପୁଲ୍- ଜି' ରେ ବିହାର, ମଧ୍ୟପ୍ରଦେଶ, ମିଜୋରାମ, ତେଲାଙ୍ଗାନା ତଥା ପୁଲ୍-ଜି' ରେ ଚଣ୍ଡିଗଡ଼, ଅରୁଣାଞ୍ଚଳ ପ୍ରଦେଶ, ଗୁଡୁରାଟ ଓ ରାଜସ୍ଥାନ ଦଳ ଅଛନ୍ତି। ୨୫ ତାରିଖରେ ଚାରୋଟିଯାକ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବାକୁଥିବାବେଳେ ୨୬ ତାରିଖ ହେଉଛି ବିଶ୍ରାମ ଦିବସ। ୨୭ ତାରିଖରେ ୨ ସେମିଫାଇନାଲ୍ ଓ ୨୮ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।