ରାଉରକେଲା: ଗୁରୁବାର ରାଉରକେଲାକୁ ପୁଣିଥରେ ଫେରିଛି ହକି। ବିଶ୍ବର ସର୍ବବୃହତ୍ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି ୧୩ତମ ଉପକନିଷ୍ଠ ମହିଳା ଜାତୀୟ ପ୍ରତିଯୋଗିତା। ଗତ ଜାନୁଆରିରେ ଅନୁଷ୍ଠିତ ପୁରୁଷ ହକି ବିଶ୍ବକପ୍ ଓ ମାର୍ଚ୍ଚରେ ଅନୁଷ୍ଠିତ ହକି ପ୍ରୋ-ଲିଗ୍ରେ ହକିକୁ ମନଭରି ଉପଭୋଗ କରିଥିବା ଜିଲ୍ଲାର ହକିପ୍ରେମୀ, ଏବେ ପୁଣିଥରେ ହକିର ମଜା ନେବାର ସୁଯୋଗ ପାଇବେ। ଅବଶ୍ୟ, ଆଜି ପ୍ରଥମ ଦିନରେ ଦର୍ଶକଙ୍କ ସଂଖ୍ୟା ୫ ଶହ ଭିତରେ ସୀମିତ ରହିଥିଲା। ସମ୍ଭବତଃ ଆୟୋଜକ ଦ୍ବାରା ଅପେକ୍ଷାକୃତ କମ୍ ପ୍ରଚାରପ୍ରସାର ଯୋଗୁଁ ଦର୍ଶକଙ୍କ ଭିଡ଼ ଜମିନଥିଲା।
ପ୍ରତିଯୋଗିତାରେ ମୋଟ୍ ୨୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଦଳଗୁଡ଼ିକୁ ମୋଟ୍ ୮ଟି ପୁଲ୍ରେ ବିଭକ୍ତ କରାଯାଇଛି। ଆସନ୍ତା ୧୦ ତାରିଖ ଯାଏ ପୁଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ର ଶୀର୍ଷ ସ୍ଥାନ ଦଖଲ କରି ୮ଟି ଦଳ କ୍ବାର୍ଟର ଫାଇନାଲ ପ୍ରବେଶ କରିବେ। ମେ’ ୧୧ରେ ଚାରୋଟିଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ। ପରଦିନ, ଅର୍ଥାତ୍ ମେ’ ୧୨ରେ ଦଳଗୁଡ଼ିକ ବିଶ୍ରାମ ନେବାକୁ ଥିବାବେଳେ ମେ’ ୧୩ରେ ଦୁଇ ସେମିଫାଇନାଲ ଓ ୧୪ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଓଡ଼ିଶା ଦଳ ପକ୍ଷରୁ ଉତ୍କୃଷ୍ଟ ପ୍ରଦର୍ଶନ ଆଶା ବାନ୍ଧିଥିବା ହକିପ୍ରେମୀଙ୍କୁ ପ୍ରଥମ ମ୍ୟାଚ୍ରେ ନିରାଶ କରିନାହାନ୍ତି ଦଳର ଖେଳାଳି। ଅଧିନାୟିକ ଅମୀଷା କୁଲୁ (ଗୋଲକିପର), ଉପ-ଅଧିନାୟିକା ତନୁଜା ଟପ୍ପୋଙ୍କ ଦଳ ଆଜି ହକିପ୍ରେମୀଙ୍କୁ ଖୁସି ମନାଇବାର ସୁଯୋଗ ଦେଇଛନ୍ତି। ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସୁସ୍ମିତା ଡଙ୍ଗଡୁଙ୍ଗ, କରୁଣା ମିଞ୍ଜ, ପୂଜା ମାଝୀ ପ୍ରମୁଖଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ଓଡ଼ିଶା ଦଳ ଗଠନ କରାଯାଇଛି। ଦଳରେ ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର୍ର ୫ ଜଣ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଉଛନ୍ତି, ଗୋଲ୍କିପର ଅମୀଷା କୁଲୁ ଓ ପବିତ୍ରା ହୋଡ଼ାମ, ଷ୍ଟ୍ରାଇକର ଡଲି ଭୋଇ, ଦୃପତୀ ନାୟକ, ନିହାରୀକା ଟପ୍ପୋ। ଆଜି ସଂଧ୍ୟାରେ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ରାଉରକେଲା ଇସ୍ପାତ କାରଖାନା ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଓଡ଼ିଶା ହକି ପ୍ରମୋସନ କାଉନସିଲ ସିଇଓ ଶୈଳେନ୍ଦ୍ର ଜେନା, ହକି ଓଡ଼ିଶା ସାଧାରଣ ସମ୍ପାଦକ ସନାତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ଦଳ
ଗୋଲ୍ ରକ୍ଷକ: ଅମୀଷା କୁଲ୍ଲୁ(ଅଧିନାୟିକା), ପବିତ୍ରା ହୋଡ଼ାମ
ଡିଫେଣ୍ଡର: ସୁସ୍ମିତା ଡୁଙ୍ଗଡୁଙ୍ଗ, ନିହାରୀକା ଟପ୍ପୋ, ସୋନାଳୀ ଏକ୍କା, ସନାଦାମ ବେବିରାଣୀ ଦେବୀ, ନୀଶା ଡାଡେଲ, ପୂଜା ମାଝୀ
ମିଡ୍ଫିଲ୍ଡର: ଦୃପତି ନାୟକ, ପ୍ରେମଶୀଳା ବାଗେ, ଅମୀଷା ଏକ୍କା, ଜାହ୍ନବୀ ବାଡ଼ା, ତନୁଜା ଟପ୍ପୋ(ଉପ-ଅଧିନାୟିକା)
ଷ୍ଟ୍ରାଇକର: ଦୀପିକା ବାରୱା, କରୁଣା ମିଞ୍ଜ, ଜ୍ୟୋତି ଖାଖା, ବୀନତି ମିଞ୍ଜ, ଡଲି ଭୋଇ
୮ଟି ପୁଲ୍ରେ ୨୮ ଦଳ
ପୁଲ୍ ଏ: ହରିୟାଣା, ତାମିଲନାଡ଼ୁ, ତ୍ରିପୁରା
ପୁଲ୍ ବି: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ
ପୁଲ୍ ସି: ଛତିଶଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ
ପୁଲ୍ ଡି: ଆସାମ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ
ପୁଲ୍ ଇ: ଓଡ଼ିଶା, ମିଜୋରାମ, ରାଜସ୍ତାନ, କେରଳ
ପୁଲ୍ ଏଫ୍: ମଣିପୁର, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜୁରାଟ
ପୁଲ୍ ଜି: ଚଣ୍ଡିଗଡ଼, ବିହାର, ତେଲେଙ୍ଗାନା, ଗୋଆ
ପୁଲ୍ ଏଚ୍: ଦାଦ୍ରାନଗର ହାଭେଳି ଓ ଡାମନ ଡିଉ, କର୍ଣ୍ଣାଟକ, ମହାରାଷ୍ଟ୍ର, ପୁଡ଼ୁଚେରୀ