ସବରେଜିଷ୍ଟ୍ରାର କ୍ବାର୍ଟର ମଧ୍ୟ ଜବରଦଖଲ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଜମିମାଫିଆଙ୍କ ଦୌରାତ୍ମ୍ୟରେ ଖୋଦ୍ ପ୍ରଶାସନ ଭୟଭୀତ । ଗତ ୨ ମାସ ମଧ୍ୟରେ ଗରିବ ଲୋକଙ୍କ ଜମି, ଘର ବଳପୂର୍ବକ ଅକ୍ତିଆର କରିବା ନେଇ ସଂଖ୍ୟାଧିକ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଆସି ପହଂଚିଛି । ନିକଟରେ ଏକ ଘରୋଇ ଇଂଜିନିୟରିଂ କଲେଜ ସରକାରୀ ଡିଆର୍ଡିଏ କୋଠାକୁ କବଜା କରିନେଇଛି । ଏବେ ଖୋର୍ଦ୍ଧା ସହରର ମଧ୍ୟସ୍ଥଳୀରେ ଥିବା ସବ୍ରେଜିଷ୍ଟାର କ୍ୱାର୍ଟର ମଧ୍ୟ ଜବରଦଖଲ ହୋଇସାରିଛି  ।

ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡ ସମ୍ମୁଖରେ ଏକ ସବରେଜିଷ୍ଟାରଙ୍କ କ୍ୱାଟର ରହିଛି ବୋଲି ଅନେକ ଜାଣନ୍ତି ନାହିଁ । ସବ୍ରେଜିଷ୍ଟାରଙ୍କ କ୍ୱାଟରଟି ଖୋର୍ଦ୍ଧା ଟାଉନ୍ ଥାନା ପଛପଟ ଓ ପୁଲିସ କ୍ୱାଟର ସହ ସଂଯୁକ୍ତ । କିନ୍ତୁ ବର୍ତମାନ ଏଠାରେ ବଜାରର ଆବର୍ଜନା କୁଣ୍ଡ ଓ ମଳମୂତ୍ର ତ୍ୟାଗ କରିବାର ସର୍ବସାଧାରଣ ସ୍ଥାନ ପାଲଟିଛି । ପୁରୁଣା ବସଷ୍ଟାଣ୍ଡ ସମ୍ମୁଖ ଦିଗର ପ୍ରବେଶ ପଥ ବର୍ତମାନ ବେଆଇନ ଦଖଲରେ ରହିଛି । ଦୀପତଳ ଅନ୍ଧାର ଭଳି ପୁଲିସ କ୍ୱାଟର ନିକଟରେ ଥିବା ଏହି ପରିତ୍ୟକ୍ତ କ୍ୱାଟର ନିକଟରେ ରାତିରେ ବ୍ରାଉନ୍ସୁଗାର ନିଶାଡ଼ିଙ୍କ ଆଡ୍ଡା ଜମିଥାଏ ।

ସୂଚନାନୁସାରେ, ପ୍ରାୟ ୧୫-୧୬ ବର୍ଷ ପୂର୍ବେ ଏହି କ୍ୱାଟରରେ ସବ୍ରେଜିଷ୍ଟାର ରହୁଥିଲେ । ଏହାପରଠାରୁ କୌଣସି ଅଧିକାରୀ ଏହି ସରକାରୀ କ୍ୱାଟରରେ ରହୁନାହାନ୍ତି । କିନ୍ତୁ ଏହା ମଧ୍ୟରେ କ୍ୱାଟରର ମରାମତି, ପୁନଃନିର୍ମାଣ ପାଇଁ ୪ ଥର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ଫନି ବାତ୍ୟା ପରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବ୍ୟୟରେ କ୍ୱାଟରଟିର ମରାମତି ମଧ୍ୟ କରାଯାଇଛି । ପ୍ରଥମତଃ କ୍ୱାଟରରେ କେହି ରହୁନଥିବା ବେଳେ କାହିଁକି ସରକାରୀ ରାଜକୋଷରୁ ଏତେ ଟଙ୍କା ଖର୍ଚ୍ଚ କରାଯାଉଛି, ଯଦି କରାଯାଉଛି ତେବେ ଏହାକୁ ବ୍ୟବହାର କରାଯାଉନାହିଁ କାହିଁକି ସେନେଇ ଜିଲ୍ଲାର କୌଣସି ଅଧିକାରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ ।

ତେବେ ସରକାରୀ କ୍ୱାଟର ମଧ୍ୟରେ ବଜାରର ଦୋକାନୀ ଆବର୍ଜନା ଫିଙ୍ଗୁଥିବା ନେଇ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ସେଠାରେ ସବ୍ରେଜିଷ୍ଟାର କ୍ୱାଟର ଥିବା ଜାଣନ୍ତି, କିନ୍ତୁ କେବେ ସେଠାକୁ ଯାଇନାହାନ୍ତି । ତେବେ ସେଠାରେ ପୌର ପରିଷଦ ପକ୍ଷରୁ ଆବର୍ଜନା ପକାଉନାହାନ୍ତି । ଯଦି କେହି ପକାଉଥିବେ ସେନେଇ ସେ ପଦକ୍ଷେପ ନେବେ ।

ସମ୍ବନ୍ଧିତ ଖବର