ସୁବର୍ଣ୍ଣପୁର: ତାପମାତ୍ରା ସହ ବଢ଼ୁଛି ଜଳ କଷ୍ଟ

ସୋନପୁର: ଦିନକୁ ଦିନ ଯେତିକି ତାପମାତ୍ରା ବୃଦ୍ଧି ପାଉଛି, ସୁବର୍ଣ୍ଣପୁର ଜିଲ୍ଲାରେ ସେତିକି ଜଳ ସଙ୍କଟ ଦେଖା ଦେଉଛି। କେବଳ ପାନୀୟଜଳ ନୁହେଁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଆବଶ୍ୟକ ଜଳ ସଙ୍କଟ ମଧ୍ୟ ଦେଖା ଦେଇଛି। ଜିଲ୍ଲାରେ ବିଭିନ୍ନ ନଦୀନାଳ ଯଥା ଚିରସ୍ରୋତା ମହାନଦୀ, ତେଲନଦୀ,  ଅଙ୍ଗନଦୀ ଭଳି ଅନେକ ଛୋଟ ବଡ ନଦୀ ଯୋର ପ୍ରବାହିତ ହେଉଛି। ତେବେ ଏହି ନଦୀ ନାଳ, ବନ୍ଧ, ଯୋରଗୁଡ଼ିକ ଦିନକୁ ଦିନ ପୋତି ହେଉଥିବାରୁ ଆଗରୁ ଯେତିକି ପାଣି ରହୁଥଲା ତାହା ଆଉ ନାହିଁ। ସେ ପଟେ ଜଳଉତ୍ସଗୁଡ଼ିକ ମଧ୍ୟ ପୋତି ହେବା ଫଳରେ ଗ୍ରାମାଂଚଳରେ ମଧ୍ୟ ଜଳ ସଙ୍କଟ ଅଧିକ ଦେଖା ଦେଇଛି। ଜିଲ୍ଲାରେ ଗ୍ରାମ ପଂଚାୟତ ପୋଖରୀ ସଂଖ୍ୟା ୩୭୮୮ଟି, ବେସରକାରୀ ପୋଖରୀ ସଂଖ୍ୟା ୫୬୨ଟି, ରାଜସ୍ୱ ବିଭାଗ ଅଧିନରେ ୩୪ଟି, କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ୩୪ଟି ଏବଂ ଅନ୍ୟାନ୍ୟ ୨୨୯ଟି ଏପରି ସର୍ବମୋଟ ୪୬୪୨ଟି ପୋଖରୀ ରହିଛି।

ଏହି ସମସ୍ତ ପୋଖରୀଗୁଡ଼ିକ ୧୧୧୬୮.୭୫୪ ଏକର ହେବ। ସୁବର୍ଣ୍ଣପୁରରେ ତାପମାତ୍ରା ୪୨ ଡିଗ୍ରି ଛୁଇଁଲାଣି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଗ୍ରାମାଂଚଳରେ ଥିବା ପୋଖରୀ ଗୁଡିକରେ ମଧ୍ୟ ଶୁଖି ଗଲାଣି। ଜଳାଭାବ ଯୋଗୁଁ ପ୍ରାଣୀ ଜଗତ ଡହଳ ବିକଳ ହେଉଛନ୍ତି। ନଳକୂପ, କୁଅମାନଙ୍କ ଜଳସ୍ତର ହ୍ରାସ ଯୋଗୁଁ ଆବଶ୍ୟକ ପାଣି ବାହାରୁନାହିଁ। ଫଳସ୍ୱରୁପ ଜନସାଧାରଣ ନଳକୂପ ଏବଂ କୂଅମାନଙ୍କରେ ପାଣି ଟିକକ ପାଇଁ ବହୁ ସମୟ ଧରି ଲମ୍ବଧାଡ଼ିରେ ରହୁଛନ୍ତି। ସବୁଠାରୁ ପରିତାପର ବିଷୟ ବିଭିନ୍ନ ଯୋଜନାରେ ପଞ୍ଚାୟତ ଅଧିନରେ  ଥିବା ପୋଖରୀଗୁଡ଼ିକର ଖନନ ଏବଂ ପୁନରୁଦ୍ଧାର କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏଥିରେ ବ୍ୟାପକ ଅନିୟମିତତା ଯୋଗୁଁ ଏହାର ସଫଳ ରୁପାୟନ ହେଉନାହିଁ। ଯାହା ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଖନନ କରାଯାଇଥିବା ପୋଖରୀଗୁଡ଼ିକରେ ମଧ୍ୟ ଆବଶ୍ୟକ ଜଳ ରହୁନାହିଁ। ଜିଲ୍ଲାରେ ଜଳାକ୍ଳିଷ୍ଟ ଦୂର କରିବା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର