ସୋନପୁର: ସାତ ବର୍ଷ ତଳେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ସୋନପୁର ସହକାରୀ ସେସନ ଜଜ୍‌ ତଥା ସ୍ପେସାଲ ଟ୍ରାକ୍‌ କୋର୍ଟ ବିଚାରପତି ସଦ୍ୟସ୍ନାତା ପତି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଦୁଷ୍କର୍ମକାରୀ କସୁରପାଲି ଗାଁର ଗଣେଶ୍ବର ଚିରଗୁନକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ଜରିମାନା ଅନାଦେୟ, ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅଟଳବିହାରୀ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ୨୦୧୪ ଡିସେମ୍ବର ୫ ତାରିଖ ଦିନ କସୁରପାଲି ଗାଁର ଗଣେଶ୍ବର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ସୋନପୁର ଥାନାରେ ପୀଡ଼ିତାଙ୍କ ମା’ ୨୦୧୪ ଡିସେମ୍ବର ୭ ତାରିଖ ଦିନ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଗଣେଶ୍ବରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ୨୦ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଅଦାଲତ ଉପରୋକ୍ତ ରାୟ ପ୍ରକାଶ କରିଥିଲେ।