ସୋନପୁର : ନୂତନ କୃଷି ନୀତି ପ୍ରତ୍ୟାହାର ଦାବିରେ କଂଗ୍ରେସର ବିକ୍ଷୋଭ

ସୋନପୁର : କେନ୍ଦ୍ର ସରକାର ଲାଗୁ କରିଥିବା ନୂତନ କୃଷି ନୀତି କୃଷକ ବିରୋଧୀ ଏଣୁ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଗୁରୁବାର ଜିଲ୍ଲା କଂଗ୍ରେସ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଚାଷୀ ଉତ୍ପାଦର ବାଣିଜ୍ୟ କାରବାର (ପ୍ରୋତ୍ସାହନ ଓ ସୁଗମୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଦର ପ୍ରତିଶ୍ରୁତି ରାଜିନାମା ଓ କୃଷି ସେବା ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ (ସଂଶୋଧନ) ଆଇନ ଆଦି ୩ଟି ଆଇନକୁ କେନ୍ଦ୍ର ସରକାରଙ୍କ କଳା ଆଇନ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହିତ ଏହି ୩ଟି ଆଇନ ପ୍ରତ୍ୟାହାର କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଶସ୍ୟ ଓ ପନିପରିବା ବଜାରକୁ କୃଷକ ସ୍ବାର୍ଥରେ ସଂଗଠିତ କରିଥିବା ଏପିଏମ‌ସିର ଉଛେଦ କୃଷିଜାତ ଦ୍ରବ୍ୟର ସଂଗ୍ରହ ବ୍ୟବସ୍ଥାକୁ ଧ୍ବଂସ କରିବ ବୋଲି ମଧ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପରିସ୍ଥିତିରେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ କିମ୍ବା ବଜାର ଦରରେ ତାଙ୍କ ଚାଷଜାତ ଦ୍ରବ୍ୟର ମୂଲ୍ୟ ପାଇବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଯଦି ମଣ୍ଡି ବା ବଜାରରେ ସହାୟକ ଦରରେ ବିକ୍ରି କରିବା ପରିବର୍ତ୍ତେ ବଡ଼ ବଡ଼ ପୁଞ୍ଜିପତି ବ୍ୟବସାୟୀମାନଙ୍କୁ ନିଜ କ୍ଷେତରେ ବିକ୍ରି କରେ ତାହେଲେ ଚାଷୀ ସର୍ବନିମ୍ନ ଦର ପାଇବେ କିପରି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହି ଆଇନରେ କୃଷି ଶ୍ରମିକମାନଙ୍କର ଅଧିକାର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ଏହି ବିକ୍ଷୋଭରେ ପୂର୍ବ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଚିତ୍ତରଞ୍ଜନ ମିଶ୍ର, ସୋନପୁର ନଗର କଂଗ୍ରେସ ସଭାପତି ସୁଧୀର ପଣ୍ଡା, ଚନ୍ଦ୍ରମଣି ତ୍ରିପାଠୀ, ଓବିସି ସେଲ ସଭାପତି ପ୍ରତାପ ଦେହୁରୀ, ଶେଷଦେବ ମେହେର, ସୂର୍ଯ୍ୟକାନ୍ତି ବାଘ, ମାଧବ କୁମ୍ଭାର, କର୍ଣ୍ଣରାଜ ପ୍ରଧାନ, ରାଜେଶ ମିଶ୍ର, ନିମାଇଁ ପାଣିଗ୍ରାହୀ, ଧର୍ମେନ୍ଦ୍ର ମେହେର,ରବିନ୍ଦ୍ର ହୋତା, ରାଜେନ୍ଦ୍ର ମେହେର, ଶ୍ୟାମ ନନ୍ଦ, ନିମାଇଁ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ। ଏପରିକି ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର