ବେହେରାମାଲରେ ଟ୍ରିପଲ୍‌ ମର୍ଡର, ୫ ଗିରଫ

ଉଲୁଣ୍ଡା : ମା’ଙ୍କ ପୂଜାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଅଷ୍ଟମୀ ତିଥି ତଥା ଗୁରୁବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍‌. ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁର ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଛି। ଏହି ଗାଁର ପ୍ରମୋଦ ଭୋଏ (୬୨), ତାଙ୍କ ଝିଅ ବିଳାସିନୀ ଭୋଏ (୪୨) ଓ ନାତୁଣୀ ପବିଦା ଭୋଏ (୧୭)ଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଦମ୍ପତି ଉଲୁଣ୍ଡା ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେହେରାମାଲ ଗାଁର ପ୍ରମୋଦ ଭୁଏ ଓ ନୀଳମଣି ପଧାନଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଘଟଣା ଦିନ ପ୍ରମୋଦ, ପବିଦା ଓ ବିଳାସିନୀ ମିଶି ନୀଳଙ୍କୁ ମାରିବା ପାଇଁ ତାଙ୍କ ଘରେ ରାତି ୧୨ଟା ସମୟରେ ପହଞ୍ଚିଥିଲେ। ଏନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ନୀଳଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ନୀଳଙ୍କୁ ହତ୍ୟା ନକରିବାକୁ ତାଙ୍କ ସ୍ତ୍ରୀ କାକୁତି ମୀନତି ହୋଇଥିଲେ। ତାଙ୍କ ସ୍ୱାମୀ ଯଦି ଭୁଲ୍‌ କରିଛନ୍ତି, ଗ୍ରାମବାସୀଙ୍କୁ ଡାକି ଦଣ୍ଡ ଦିଅନ୍ତୁ ବୋଲି ସେ କହିଥିଲେ। ହେଲେ ପ୍ରମୋଦ, ବିଳାସିନୀ ଓ ପବିଦା ରାତିରେ ଟାଙ୍ଗିଆ ଧରି ଛକି ରହିଥିଲେ। ଏହା ଦେଖି ନୀଳମଣି ଓ ତାଙ୍କ ସ୍ତ୍ରୀ ଛକି ରହିଥିବା ପ୍ରମୋଦ, ବିଳାସିନୀ ଓ ପବିଦାଙ୍କୁ ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡରେ ନୀଳମଣି ଓ ତାଙ୍କ ସ୍ତ୍ରୀଙ୍କୁ ସୁନ୍ଦର କୁଜୁର, ବିକ୍ରମ କୁଜୁର, ଅନ୍ତର୍ଯ୍ୟାମୀ ପଧାନ ସହଯୋଗ କରିଥିବା ଆଇଆଇସି ରୀନା ବେହେରା ପ୍ରକାଶ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ଏସ୍‌ପି ପ୍ରଫୁଲ୍ଲ ପାତ୍ର, ବୀରମହାରାଜପୁର ଏସ୍‌ଡିପିଓ ପ୍ରସନ୍ନ ବିଶ୍ୱାଳ ତଥା ସାଇଟିଫିକ୍‌ ଦଳ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ପୁଲିସ କହିଛି ଯେ, ନୀଳମଣି ମଦ ବିକ୍ରି କରୁଥିଲେ ଓ ପ୍ରମୋଦ କୁଆଡ଼େ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଏହି ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା ଓ ତାହା ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର