ବିନିକା: ଜଣେ ସାମ୍ବାଦିକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନସ୍ଥ ସିଂଘିଯୁବା ସମଲେଇ ମନ୍ଦିର ଠାରେ ସାମ୍ବାଦିକ ବିପ୍ଳବ ରଞ୍ଜନ ଦାଶଙ୍କ ବଡ଼ ଭାଇ ସାଙ୍ଗସାଥୀଙ୍କ ସହ ବସିଥିଲେ I ଏହି ସମୟରେ ବିନିକା ପଟରୁ ଖବର ସଂଗ୍ରହ କରି ଏକ ଦୈନିକ ସମ୍ବାଦପତ୍ରର ବିନିକା ବ୍ଲକ ପ୍ରତିନିଧି ବିପ୍ଳବ ରଞ୍ଜନ ଦାଶ (୩୦)ନିଜ ଘରକୁ ଫେରୁଥିବା ବେଳେ ବଡ଼ ଭାଇଙ୍କୁ ଆକ୍ରମଣ କରୁଥିବା ଦେଖି ଘଟଣା ସ୍ଥଳକୁ ଯାଇଥିଲେ I ଏହି ସମୟରେ ଅଶୋକ ପଣ୍ଡା ଏବଂ ଶ୍ରୀକର ମେସୁଆ ନାମକ ଦୁଇଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ସାମ୍ବାଦିକଙ୍କୁ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ I

Advertisment

publive-image

ଏହା ଫଳରେ ସାମ୍ବାଦିକଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ବଡଭାଇ ଆଶିଷ ଦାଶ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ I ଏନେଇ ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି I ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସାମ୍ବାଦିକ ବିପ୍ଳବ ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଏଣେ ବିପ୍ଳବ ରଞ୍ଜନ ଦାଶଙ୍କ ଅବସ୍ଥା ଗୁରୁତର ହେବା ଫଳରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ଖବର ମିଳିଛି।