ବିକାଶକୁ ବିଜେଡି, ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସର ପ୍ରଚାର

ସୋନପୁର ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ‌ଲଢ଼େଇ, ଚିତ୍ର ଅସ୍ପଷ୍ଟ

ସୋନପୁର: ଆଉ ଦଶ ଦିନ ପରେ ଏପ୍ରିଲ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ସୋନପୁର ଜିଲ୍ଲାର ଭୋଟର୍‌ ନିଜର ମତ ସାବ୍ୟସ୍ତ କରିବେ। ନେତା ଓ କର୍ମୀ ଗାଁମୁହାଁ ହେବା ସହିତ ଜନସା‌ଧାରଣଙ୍କୁ ସିଧା ସଳଖ ଭେଟୁଛନ୍ତି। ବିଭିନ୍ନ ଗ୍ରାମରେ ନେତାମାନେ ସଭା କରି ନିଜ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କୁ ଗୁହାରି କରୁଛନ୍ତି। ସୋନପୁର ନିର୍ବାଚନମଣ୍ଡଳୀରେ ୭ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ମୁଖ୍ୟତଃ ବିଜେଡିର ହାଇ ପ୍ରୋଫାଇଲ ନେତା ନିରଞ୍ଜନ ପୂଜାରୀ, ବିଜେପିର ଅଶୋକ ପୂଜାରୀ ଓ କଂଗ୍ରେସର ଚିତ୍ତରଞ୍ଜନ ମିଶ୍ରଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ନିରଞ୍ଜନ ପୂଜାରୀ ୨୦୦୦ ଏବଂ ୨୦୦୪ରେ ବିନିକା ନିର୍ବାଚନମଣ୍ଡଳୀ ଏବଂ ୨୦୦୯ ଓ ୨୦୧୪ରେ ସୋନପୁର ନିର୍ବାଚନମଣ୍ଡଳରୀ ଲଗାତାର ୪ ଥର ବିଜୟୀ ହୋଇଛନ୍ତି। ସୋନପୁର ଆସନରୁ ସେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଅଛନ୍ତି। ନିରଞ୍ଜନ ପୂଜାରୀ ମନ୍ତ୍ରୀ ଏବଂ ବାଚସ୍ପତି ପଦ ପାଇ ନିଜକୁ ବିଜେଡି ଦଳର ଜଣେ ହାଇ ପ୍ରୋଫାଇଲ ନେତା ଭାବରେ ପ୍ରତିପାଦିତ କରିପାରିଛନ୍ତି। ଅନ୍ୟ ପକ୍ଷରେ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପିର ‌ଅଶୋକ ପୂଜାରୀ ଏବଂ କଂଗ୍ରେସର ଚିତ୍ତରଞ୍ଜନ ମିଶ୍ର ୨ ଜଣ ନୂଆ ପ୍ରାର୍ଥୀ। ଗତ ୨୦୧୪ ନିର୍ବାଚନରେ ବିଜେପିର ପ୍ରମୋଦ ମହାପାତ୍ର ଏବଂ କଂଗ୍ରେସର ସର୍ବେଶ୍ବର ପୁରୋହିତ ଏଠାରୁ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରମୋଦ ମହାପାତ୍ର ୨ ନମ୍ବର ସ୍ଥାନରେ ରହିଥିବା ବେଳେ କଂଗ୍ରେସର ସର୍ବେଶ୍ବର ପୁରୋହିତ ୩ ନମ୍ବର ସ୍ଥାନରେ ରହିଥିଲେ। ଏଠାରୁ ଏଥର ଉଭୟ ବିଜେପି ଏବଂ କଂଗ୍ରେସ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। ବିଜେପି ଦଳ ଅଶୋକ ପୂଜାରୀଙ୍କୁ ଭରସା କରିଥିବା ବେଳେ କଂଗ୍ରେସ ଦଳ ଚିତ୍ତରଞ୍ଜନ ପୂଜାରୀଙ୍କୁ ଭରସା କରିଛି। ଗତ ୨୦୧୪ ନିର୍ବାଚନ ସମୟରେ ବିଜେଡି ସପକ୍ଷରେ ସ୍ପଷ୍ଟ ହାୱା ଥିବାରୁ ଏଠାରୁ ନିରଞ୍ଜନ ପୂଜାରୀ ବିଜେପିର ପ୍ରମୋଦ ମହାପାତ୍ରଙ୍କଠାରୁ ୫୧ ହଜାର ୪୮୫ ଖଣ୍ଡ ଅଧିକ ଭୋଟ ପାଇ ଏକତରଫା ଭାବରେ ବିଜୟୀ ହୋଇଥିଲେ। ଏଥର କିନ୍ତୁ ଚିତ୍ର ଅସ୍ପଷ୍ଟ ରହିଛି। ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହୋଇଛି। ‌ସୋନପୁର ନିର୍ବାଚନମଣ୍ଡଳୀରେ ରହିଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଓ ନେତା ଲୋକଙ୍କ ପାଖକୁ ଯାଉଥିବାବେଳେ ବିଗତ ୧୦ ବର୍ଷ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ହୋଇଥିବା ବିକାଶ ମୁଳକ କାର୍ଯ୍ୟ ନେଇ ବିଜେଡି ପ୍ରାର୍ଥୀ ଯାଉଛନ୍ତି। ସେପଟେ ଗତକାଲି ସୋନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନୀ ସଭା ପରେ ବିଜେପି ନିଜ ସପକ୍ଷରେ ମତଦାତା ଯିବେ ବୋଲି ଆଶା ବାନ୍ଧିଛି। ଅନ୍ୟ ପଟରେ ବିଜେଡି ମଧ୍ୟ କିଛି ଦିନ ମଧ୍ୟରେ ଏହାର ମୁକାବିଲା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଣି ନିର୍ବାଚନ ପ୍ରଚାର କରିବ ବୋଲି ଜଣା ପଡ଼ିଛି। ତେବେ ନିର୍ବାଚନ ଯେତିକି ପାଖଉଛି ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ସେତିକି ତୀବ୍ର ହେଉଥିବା ଜଣାଯାଇଛି। କାହା ସପକ୍ଷରେ ସ୍ପଷ୍ଟ ହାୱା ନଥିବାରୁ ଏହି ତିନି ଦଳର ପ୍ରାର୍ଥୀ ତଥା ନେତା ଓ କର୍ମୀ ଚିନ୍ତାରେ ପଡ଼ିଛନ୍ତି। ସେପଟେ କିଛି ଭୋଟର ପ୍ରାର୍ଥିତ୍ବକୁ ନେଇ ଭୋଟ ଦେବା କଥା କହୁଥିବା ବେଳେ କିଛି ବିକାଶକୁ ନେଇ ଭୋଟ ଦେବା କଥା ଚିନ୍ତା କରୁଥିବା କହିଛନ୍ତି। ସବୁଠାରୁ ନୂତନ ଭୋଟର ଗରୁତ୍ବପୁର୍ଣ୍ଣ ଭୂମିକା ନିଭାଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର