ସୋନପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସମାଜ କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରିମଳ ବ୍ୟବସ୍ଥାର ଯଥେଷ୍ଟ ଆବଶ୍ୟକତା ଥିବାରୁ ଆସନ୍ତା ଜୁନ ମାସ ସୁଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ମଳମୁକ୍ତ ଘୋଷଣା କରିବାକୁ ଥିବା ଦୃଷ୍ଟିରୁ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ ବିଭାଗ ସମେତ ଜିଲ୍ଲାର ସମସ୍ତ ବିଭାଗ ଦୃଢତାର କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ବର୍ତ୍ତମାନ ଏହି କ୍ଷେତ୍ରରେ ୫୮.୨୨ ପ୍ରତିଶତ ସଫଳତା ହୋଇଥିବା ସ୍ଥଳେ ମାର୍ଚ୍ଚ ଶେଷ ସୁଦ୍ଧା ୭୫ ପ୍ରତିଶତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଗାଁ କଲ୍ୟାଣ ସମିତି ଅନୁଦାନର ଶତ ପ୍ରତିଶତ ବିନିଯୋଗ ହୋଇ ନଥିବାରୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ସମାଜ କଲ୍ୟାଣ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଜିଲ୍ଲାରେ ଜର୍ମାନ ରୁବେଲା ଟୀକାକରଣ କାର୍ଯ୍ୟକ୍ରମ ୯୮ ପ୍ରତିଶତ ହୋଇଥିବାରୁ ଏହାକୁ ଶତ ପ୍ରତିଶତ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଆସନ୍ତା ଏପ୍ରିଲ ୪ ତାରିଖରେ କୃମି ନିରାକରଣ ଔଷଧ ପ୍ରଦାନ କରାଯିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ପୁତ୍ର ଓ କନ୍ୟା ସନ୍ତାନ ଜନ୍ମରେ ତାରତମ୍ୟ ରହୁନଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହିତ ଲିଙ୍ଗ ନିରୁପଣ ବିରୋଧରେ ବ୍ୟାପକ ସଚେତନତା ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଲୁଣ୍ଡା ବ୍ଲକରେ ଲିଙ୍ଗ ଅନୁପାତ ୧ ହଜାରରେ ୧୦୦୭ ଝିଅ, ବୀରମହାରାଜପୁର ବ୍ଲକରେ ୧୦୮୯, ତରଭା ବ୍ଲକରେ ୯୬୩, ଡୁଙ୍ଗୁରିପାଲି ବ୍ଲକରେ ୯୭୯, ବିନିକା ବ୍ଲକରେ ୯୨୦,ସୋନପୁର ବ୍ଲକରେ ୮୨୩ ଥିବା ସମୀକ୍ଷାରୁ ଜଣାପଡିଥିଲା। ସମାଜ କଲ୍ୟାଣ ବିଭାଗର ସମସ୍ତ କାର୍ଯ୍ୟ ନିୟମିତ ସମୀକ୍ଷା କରିବା ସହିତ ମମତା ଯୋଜନା, ଏସ୍ଏଚ୍ଜି ଗଠନ, ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ସିଡିଏମଓ ଡା. ବିଜୟଲକ୍ଷ୍ମୀ ଗୁରୁ, ଏଡିପିଏଚଓ ପରିବାର କଲ୍ୟାଣ ଡା. ଦୈତ୍ୟନାରାୟଣ ପାଢ଼ୀ, ଏଡିପିଏଚଓ ମେଡିକାଲ ଡା. ନିରୁପମା ଭଟ୍ଟ, ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡା. ସଂଜୟ ମହାପାତ୍ର, ଡିଆଇପିଆର୍ଓ ଭୁଜଙ୍ଗ ଭୂଷଣ ରାଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବସନ୍ତ ମଂଜରୀ ପହି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/latrine.jpg)