ବିଷ ଖାଇ ମହିଳାଙ୍କ ଆତ୍ମହତ୍ୟା

ରୋଗଣା ଶିଶୁ ଜନ୍ମ ଦେବାରୁ ଶାଶୂ ଘରେ ଦିଆଯାଉଥିଲା ନିର୍ଯାତନା!

ବୁର୍ଲା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ଥାନା ଅନ୍ତର୍ଗତ ଆମ୍ବମୁଣ୍ଡା ଗାଁର ଦୁର୍ଗା ନାଏକଙ୍କ ପତ୍ନୀ କିଆଫୁଲ ନାଏକ (୨୨) ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ସେ କୌଣସି କାରଣରୁ ବିଷ ଖାଇ ଦେଇଥିଲେ। ପ୍ରଥମେ ଡୁଙ୍ଗରିପାଲି ଓ ପରେ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ମୃତ୍ର ହୋଇଯାଇଛି। କିଆଫୁଲଙ୍କ ଏକ ୯ ମାସର ଶିଶୁ ପୁତ୍ର ଅଛି। ତେବେ ଶିଶୁଟିକୁ ଜନ୍ମରୁ ହୃଦରୋଗ ସମସ୍ୟା ଥିବାରୁ ରୋଗଣା ଶିଶୁ ଜନ୍ମ ଦେବା ନେଇ ଶାଶୂ ଘର ଲୋକେ କିଆଫୁଲକୁ ନିର୍ଯାତନା ଦେଇ ଆସୁଥିବା ଓ ସେଥି ଯୋଗୁଁ ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କ ବାପା ବଲାଙ୍ଗୀର ଜିଲ୍ଲା କୁଲଥିପାଲିର ଭ୍ରମର ବେହେରା ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବାନୁସାରେ ଗତ ୨୦୧୬ରେ କିଆଫୁଲଙ୍କ ବିବାହ ଦୁର୍ଗାଙ୍କ ସହିତ ହୋଇଥିଲା। ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତା’ର ଓଜନ କମ୍‌ ଥିବା ଓ ହୃଦ୍‌ରୋଗ ଦେଖା ଦେଇଥିଲା। ଉକ୍ତ ଘଟଣାକୁ ନେଇ ଶାଶୂ ଘରେ ସବୁବେଳେ ଝଗଡା ଲାଗି ରହିଥିଲା। ତେଣୁ ଶିଶୁ ଜନ୍ମ ପରେ କିଆଫୁଲ ବାପ ଘର କୁଲତିପାଲିକୁ ଚାଲି ଆସି ରହୁଥିଲେ। ପ୍ରାୟ ୭ ମାସ ପରେ ସେ ଶାଶୂ ଘରକୁ ଫେରିଥିବା ବେଳେ ଶିଶୁଟିକୁ ନେଇ ସ୍ୱାମୀ-ସ୍ତ୍ରୀ ଅଲଗା ରହିଥିଲେ। ଏହାକୁ ନେଇ ଶାଶୂ ଘରର ଅନ୍ୟ ଲୋକେ କିଆଫୁଲଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ଭାଇ ଓ ମା’ କହିଛନ୍ତି। ଏ ନେଇ ମେଡିକାଲ୍‍ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଯାଂଚ କରାଯାଇ ଶବ ବ୍ୟବଚ୍ଛେଦ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ସଂପର୍କରେ ସ୍ଥାନୀୟ ପୁଲିସ୍‌କୁ ସୂଚନା ଦିଆ ଯାଇଥିବା ଫାଣ୍ଡି ଅଧିକାରୀ ବିଦେଶୀ ପ୍ରଧାନ କହିଛନ୍ତି।

 

ସମ୍ବନ୍ଧିତ ଖବର