କରୋନା କଟକଣା ଯୋଗୁ ଫିକା ପଡ଼ିଛି ଦୁର୍ଗାପୂଜା, କେବଳ ସମିତି ଭକ୍ତଙ୍କୁ ନେଇ ଚାଲିଛି ରୀତିନୀତି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ସହର ତଥା ଆଖପାଖ ଅଂଚଳରେ ଏଥର ଫିକା ପଡ଼ିଯାଇଛି ଦୁର୍ଗାପୂଜା । ଆଜି ସବୁ ପୂଜା ମଣ୍ଡପ ମାନଙ୍କରେ ପୂଜା କମିଟି ପକ୍ଷରୁ କଳସ ଶୋଭାଯାତ୍ରା ସହିତ ସପ୍ତମୀ ପୂଜା ଆରମ୍ଭ ହୋଇଛି । ବୀରମହାରାଜପୁର ତ୍ରୀବେଣୀଛକ ୨୪ ତମ ଦୁର୍ଗାପୂଜା କମିଟି ତରଫରୁ ସକାଳ ନଅଟା ବେଳକୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନୀତି ଅନୁସାରେ ପୂଜା ଅର୍ଚ୍ଚନା ପରେ କଳସ ଯାତ୍ରା ଆରମ୍ଭ ହୋଇଥିଲା । ନା ଥିଲା ଶୋଭାଯାତ୍ରାର ଚାକଚକ୍ୟ ନାଁ ଦେଖିବାକୁ ମିଳିଥିଲା ପାରମ୍ପରିକ ବାଡିଖେଳ ନା ଶୁଣିବାକୁ ମିଳିଥିଲା ପଞ୍ଚ ବାଦ୍ୟର ଶବ୍ଦ । କେବଳ ସିମିତ କାର୍ଯ୍ୟକର୍ତ୍ତା, କର୍ତ୍ତା, ପୁରୋହିତଙ୍କୁ ମିଶାଇ ଆଠଜଣଙ୍କୁ ନେଇ କରା ଯାଇଥିଲା କଳସ ଶୋଭାଯାତ୍ରା ।

ଶୋଭାଯାତ୍ରା ତ୍ରିବେଣୀ ଛକର ପୂଜା ମଣ୍ଡପରେ ପହଞ୍ଚିଲା ପରେ ଆରମ୍ଭ ହୋଇଛି ମାଁ ଜଗତ୍ଜନନୀ ଦୁର୍ଗ।ଙ୍କର ସପ୍ତମୀ ପୂଜା । ଏଥର କର୍ତ୍ତା ଭାବରେ ସନ୍ତୋଷ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁନିତା ମିଶ୍ର କାର୍ଯ୍ୟ ତୁଲାଇଥିବା ବେଳେ ପୁରୋହିତ ଭାବରେ ପଣ୍ଡିତ ମନରଞ୍ଜନ ଦାସ କାର୍ଯ୍ୟ ତୁଲାଉଛନ୍ତି । ତାଙ୍କୁ ସ‌ହଯୋଗ କରୁଛନ୍ତି ବରିଷ୍ଠ କାର୍ଯ୍ୟକର୍ତ୍ତା ଆଦିତ୍ୟେଶ୍ବର ପତି ଓ ଶ୍ରୀନିବାସ ରଥ । ସରକାରଙ୍କ କୋଭିଡ୍ ନିୟମକୁ ପାଳନ କରି କରାଯାଉଛି ମାଁଙ୍କ ପୂଜା ।

ଠିକ୍ ସେହିପରି ଭାବରେ ଚମ୍ପାପୁର ବସଷ୍ଟାଣ୍ଡ ପୂଜା କମିଟି ତରଫରୁ କରୋନା ନିୟମକୁ ପାଳନ କରି ଆରମ୍ଭ ହୋଇଛି ମାଁଙ୍କର ପୂଜା । ଏଠାରେ କର୍ତ୍ତା ଭାବରେ ପ୍ରଫୁଲ୍ଲ କୁମାର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ରାଜଶ୍ରୀ ପଣ୍ଡା । ସେହିପରି ଭାବରେ ଉଫୁଲାଠାରେ ମାଁଙ୍କର ପୂଜା ଆରମ୍ଭ ହୋଇଛି । ସବୁ ପୂଜା ମଣ୍ଡପରେ କେବଳ ନୀତିରେ ପାଳନ କରାଯାଉଛି । କୌଣସି ମଣ୍ଡପରେ ଚାକଚକ୍ୟ ଦେଖିବାକୁ ମିଳୁନାହିଁ । ଜଣେ ଭକ୍ତ ଏକ କବିତା ମାଧ୍ୟମରେ କହିଛନ୍ତି ‘ଇଥର୍ ଦଶରାର୍ ନାଇଁନ ମଜା । କାଏ ପାପ୍ କଲୁ ମାଁ ଦେଉଛୁ ସଜା । ମାଁ ଦୂର୍ଗା ଦେବୀ କର କରୁଣା । ଦେସୁ ଦୁର ହେଇଯାଉ କରୋନା ।’

ସମ୍ବନ୍ଧିତ ଖବର