ଅଳଙ୍କାର ଦୋକାନୀଙ୍କ ଘରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି 

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦୈନିକ ବଜାର ପାଖରେ ରହୁଥିବା ଅଳଙ୍କାର ଦୋକାନୀ ଶ୍ରୀରାମ ସାହୁଙ୍କ ଘରୁ ମଙ୍ଗଳବାର ରାତିରେ ୪ ଶହ ଗ୍ରାମ ସୁନା ଅଳଙ୍କାର ଓ ୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ଚନ୍ଦ୍ରଭାନୁ ଜୁଏଲର୍ସ ନାମରେ ଶ୍ରୀ ସାହୁଙ୍କ ଏକ ଅଳଙ୍କାର ଦୋକାନ ରହିଛି। ସେ ତାଙ୍କର ଘରର ତୃତୀୟ ମହଲାର ଏକ କୋଠରିରେ ଦୋକାନର ସୁନା, ଟଙ୍କା ରଖିଥିଲେ। ମଙ୍ଗଳବାର ତାଙ୍କ ଭାଣିଜୀର ବିବାହ ଥିବାରୁ ପରିବାର ଲୋକ ଅନୁପସ୍ଥିତ ଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ପଡ଼ୋଶୀ ଘର ଛାତ ଉପରୁ ଡେଇଁ ତାଙ୍କ ଘର ତୃତୀୟ ମହଲାକୁ ଆସିଥିଲେ। ସେମାନେ ଚୋରି କରି ନେଇଥିବା ଶ୍ରୀ ସାହୁ ବିନିକା ଥାନାରେ ବୁଧବାର ଅଭିଯୋଗ କରିଛନ୍ତି। ବିନିକା ଆଇଆଇସି ନିରଞ୍ଜନ ଦାଶ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ସାଇଣ୍ଟିଫିକ୍‌ ଅଫିସର୍‌ ଡା. ପି. କେ. ମଲ୍ଲିକଙ୍କ ସହଯୋଗରେ ଅନୁସନ୍ଧାନ କରିଥିଲେ।

ସମ୍ବନ୍ଧିତ ଖବର