ସୁବର୍ଣ୍ଣପୁରରେ ବେଆଇନ ମହାଜନୀ କାରବାର, କାର୍ଯର୍୍ୟାନୁଷ୍ଠାନ ଶୂନ

ସୋନପୁର: ରାଜ୍ୟରେ ଋଣ ଜନିତ ଚାପରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଛି। ସରକାର ଋଣ ଆଦାୟ ନିୟମକୁ କୋହଳ କରୁଥିବା ବେଳେ ମହାଜନମାନେ କେମିତି ଋଣ ଅସୁଲ କରିବେ ସେନେଇ ତତ୍ପର ହୋଇ ଗଠିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମାଂଚଳଠାରୁ ସହରାଂଚଳ ପର୍ଯ୍ୟନ୍ତ ହଜାର ହଜାର ଛୋଟବଡ ମହାଜନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିନା ମନିଲେଣ୍ଡିଂ ଲାଇସେନ୍ସରେ ମହାଜନୀ କାରବାର କରୁଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ଏମାନଙ୍କ ବିରୋଧରେ ଠୋସ ପଦକ୍ଷେପ ନେଉନଥିବାରୁ ଗରିବ ଲୋକଙ୍କ ଆର୍ଥିକସ୍ଥିତି ଦୁର୍ବଳ ହେବାରେ ଲାଗିଛି। କେତେକ ମହାଜନ ତ କେବଳ ମୂଳଧନ ନୁହେଁ ସୁଧର ସୁଧ ନେଉଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଜିଲ୍ଲାରେ ମାତ୍ର ହାତ ଗଣତି କେତେଜଣଙ୍କୁ ମନିଲେଣ୍ଡିଂ ଲାଇସେନ୍ସ ଦିଆଯାଇଥିବା ବେଳେ ବାକି ଶହଶହ ମହାଜନ ବେଆଇନ ଭାବରେ ମହାଜନୀ କାରବାର ଚାଲିଛି।

ଏହି ମହାଜନୀ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିଶେଷ କରି ଜିଲ୍ଲାରେ ଥିବା କିଛି ଅଳଙ୍କାର ବ୍ୟବସାୟୀ ମଧ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶଙ୍କ ପାଖରେ ଲାଇସେନ୍ସ ନାହିଁ କିନ୍ତୁ ବହୁଦିନ ହେଲା ମହାଜନୀ କାରବାର କରୁଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଅଳଙ୍କାର ବ୍ୟବସାୟୀମାନେ ଅଳଙ୍କାର ବନ୍ଧକ ରଖି ବାର୍ଷିକ ୩୬ରୁ ୪୦ ପ୍ରତିଶତ ମଧ୍ୟ ସୁଧ ନେଉଥିବା ଅଭିଯୋଗ ହେଉଛି। ଏପରିକି ଏମାନେ ଯେତିକି ଟଙ୍କାର ବ୍ୟବସାୟ କରୁଛନ୍ତି ତାଠାରୁ କମ ବ୍ୟବସାୟ କରୁଥିବା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଉଛନ୍ତି। ବ୍ୟବସାୟ କରୁଥିବା ଦୋକାନରେ ଇନକମ ଟେକ୍ସ ଫାଙ୍କିବା ପାଇଁ କମ ସାମଗ୍ରୀ ରଖୁ ଥିବାବେଳେ ଅନ୍ୟ ସ୍ଥାନରେ ଅଧିକ ସଂଖ୍ୟାରେ ଅଳଙ୍କାର ସାମଗ୍ରୀ ରଖୁଥିବା ଚର୍ଚ୍ଚାର ବିଷୟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଛୋଟବଡ ୫୦ରୁ ଅଧିକ ଅଳଙ୍କାର ବ୍ୟବସାୟୀ ରହିଛନ୍ତି।

ଏହି ବ୍ୟବସାୟୀମାନେ ମହାଜନୀ କାରବାରରେ ସମ୍ପୃକ୍ତ ଥିବାବେଳେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଏହି ଅଳଙ୍କାର ବ୍ୟବସାୟୀମାନେ ହାତ ଗୁଂଜା ଦେଇ ବିଭାଗୀୟ ଅଧିକାରୀ ମାନଙ୍କର ମୁହଁ ବନ୍ଦ କରିଥିବା ଭଳି ଗୁରୁତର ଅଭିଯୋଗ ହେଉଛି। ଏହାଛଡ଼ା କେତେକ ସ୍ଥାନରେ ଅଳଙ୍କାର ବ୍ୟବସାୟୀମାନେ ନିମ୍ନମାନର ସୁନା, ରୁପା ଅଳଙ୍କାର ବିକ୍ରି କରୁଥିବା ଅଭିଯୋଗ ହେଉଛି। ଲୋକେ କେଉଁଟା ଅସଲି କେଉଁଟା ନକଲି ଜାଣି ନପାରି ଠକାମୀର ଶିକାର ହେଉଛନ୍ତି। ବେଆଇନ ମହାଜନ ଏବଂ ମାତ୍ରାଧିକ ସୁଧ ଅସୁଲ କରୁଥିବା ମହାଜନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ପାଳନ ହେଉନାହିଁ । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ବେଆଇନ ମହାଜନୀ କାରବାରରେ ଜଡିତ ଏବଂ ଇନକମ ଟେକ୍ସ ଫାଙ୍କୁଥିବା ଅଳଙ୍କାର ବ୍ୟବସାୟୀଙ୍କ ଉପରେ କେବେ ଚଢଉ କରାଯିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର