କରାମାଡ଼ କ୍ଷତିପୂରଣ ଦେବାରେ ଅନିୟମିତତା ଅଭିଯୋଗ:‘ଆର୍‌ଆଇ ଅଫିସ୍‌ରେ ତାଲା ଦେଇ ଗ୍ରାମବାସୀଙ୍କ ଧାରଣା’

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ଗ୍ରାମରେ କରମାଡ଼ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ପାତରଅନ୍ତର କରାଯାଇଥିବାରୁ ମଙ୍ଗଳବାର ଗ୍ରାମର ଶତାଧିକ ଚାଷୀ ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ଓ ଆରଆଇ ଅଫିସରେ ତାଲା ପକାଇ ଧାରଣା ଦେଇଛନ୍ତି। ଅତିରିକ୍ତ ତହସିଲଦାର ସଚ୍ଚିଦାନନ୍ଦ ହନୁମାନ ଓ କର୍ମଚାରୀ ଏ ନେଇ କିଛି ଜାଣି ନଥିବା ପ୍ରକାଶ କରିଥିବା ବେଳେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀଙ୍କ ଠାରୁ ଜଣାଯାଇଛି।
ଗତ ୨୮ ଏପ୍ରିଲ ହୋଇଥିବା ଅଦିନିଆଁ ବର୍ଷା ଓ କରାମାଡ଼ରେ ବନ୍ଧପାଲି ଗ୍ରାମର ସମସ୍ତ ପ୍ରଜାଙ୍କ ଧାନ ଫସଲ ନଷ୍ଟ ହୋଇ ଯାଇଥିଲା। ମଇ ୧ ତାରିଖ ରାଜସ୍ୱ ବିଭାଗ ଓ କୃଷି ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନ କରି ରାମପୁର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ ସମୟରେ ରାଜସ୍ୱ ବିଭାଗ କର୍ମଚାରୀମାନେ ସମସ୍ତ କ୍ଷତିଗ୍ରସ୍ଥ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଗ୍ରାମର ସମସ୍ତ ପ୍ରଜାଙ୍କ କ୍ଷତି ହୋଇଥିବା ବେଳେ ମାତ୍ର ୨୦ ଜଣ ପ୍ରଜାଙ୍କୁ କ୍ଷତିପୂରଣ ଦେଇ ବାକି ଚାଷୀଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ ବୋଲି ଆନ୍ଦୋଳନକାରୀ ଜଣାଇଛନ୍ତି। ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ନଦେଲେ ଆର୍‌ଆଇ ଅଫିସରେ ତାଲା ଦିଆଯିବ ବୋଲି ପୂର୍ବରୁ ଗ୍ରାମବାସୀ ଜିଲ୍ଲାପାଳଙ୍କଠାରେ ଲିଖିତ ଭାବେ ମଧ୍ୟ ଜଣାଇଥିଲେ। ଗ୍ରାମବାସୀଙ୍କ ଆନ୍ଦୋଳନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରୁଦ୍ରକିଶୋର ମହଲା ସାମିଲ ହୋଇ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଥିଲେ। ରାମପୁର ତହସିଲଦାର ପଞ୍ଚାନନ ପାତ୍ର ଆନ୍ଦୋଳନସ୍ଥଳକୁ ଆସି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ମାନି ନଥିଲେ। ସଂଧ୍ୟା ୫ଟାରେ ତହସିଲଦାର ଶ୍ରୀ ପାତ୍ର ରାମପୁର ଅଫିସ୍‌କୁ ଡାକିବା ପରେ ଚାଷୀମାନଙ୍କ ମଧ୍ୟରୁ ଦେବ ବୁଡ଼େକ,ଡାକ୍ତର ସା, ଦୟାନିଧି ବୁଡ଼େକ, ଗଣେଶ୍ୱର ବୁଡ଼େକ, ବଳିଷ୍ଠ ବାରିକ, ଉଜ୍ୱଳ ବୁଡ଼େକ, ଦୁର୍ଲଭ ବଗର୍ତ୍ତି, ଯାଦବ ବୁଡ଼େକ, ହରିଶ୍ଚନ୍ଦ୍ର ନାୟକ, ସାଗର ବୁଡ଼େକ, ଦେବରାଜ ବଗର୍ତ୍ତି ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମହଲା ଆଲୋଚନା ପାଇଁ ଯାଇଥିବା ଜଣାଯାଇଛି। ତେବେ କ୍ଷତିପୂରଣ ଦେବା ନେଇ ଟାଳଟୁଳ ନୀତି କଲେ ପୁଣି ଆସନ୍ତାକାଲି ଆନ୍ଦାଳନକୁ ବ୍ୟାପକ କରାଯିବ ବୋଲି ଚାଷୀ ଦେବ ବୁଡ଼େକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର