ସ୍ମାର୍ଟଫୋନ୍ ନ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନ ଶିକ୍ଷକଙ୍କ ନିଆରା ଉପାୟ, ‘କାର୍ଯ୍ୟଫର୍ଦ୍ଦ ବାକ୍ସ’ ଜରିଆରେ ଦୂର ହେଉଛି ସମସ୍ୟା

ଶିକ୍ଷକ ରାମଗୋପାଲ ଭୋଇଙ୍କ ଅଭିନବ ପ୍ରୟାସ

ଏସ୍‌. ରାମପୁର: କରୋନା ଯୋଗୁଁ ଚଳିତ ଶିକ୍ଷାବର୍ଷରେ ସ୍କୁଲ, କଲେଜ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସକାଶେ ସରକାର ଅନ୍‌ଲାଇନ ପାଠପଢ଼ା ବ୍ୟବସ୍ଥା କରିଛନ୍ତି। ମାତ୍ର ବହୁତ ଗରିବ ପରିବାର ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ୍‌ (ଏଣ୍ଡ୍ରଏଡ୍‌ ମୋବାଇଲ୍‌) କିଣିବାକୁ ସକ୍ଷମ ହେଉ ନଥିବାରୁ ସେମାନଙ୍କର ଅନ୍‌ଲାଇନ୍‌ ପାଠପଢ଼ା ହୋଇପାରୁ ନାହିଁ। ଆଉ କେତେକ ସ୍ଥାନରେ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମସ୍ୟାର ସମାଧାନର ବାଟ ବାହାର କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ବଡକର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଗୋପାଲ ଭୋଇ। ଶ୍ରୀ ଭୋଇ ନିଜସ୍ବ ଜ୍ଞାନକୌଶଳରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି। ସେ ନିଜ ଉଦ୍ୟମରେ ଏକ ‘କାର୍ଯ୍ୟଫର୍ଦ୍ଦ ବାକ୍ସ’ ନିର୍ମାଣ କରିଛନ୍ତି। ସେ ଗାଁର ଏକ ଖୋଲା ଜାଗାରେ ଏହି ବାକ୍ସକୁ ଲଗାଇଛନ୍ତି। ପ୍ରତିଦିନ ସଂଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ହୋମ୍‌ୱାର୍କ ପ୍ରସ୍ତୁତ କରି କରି ସେଥିରେ ଦେଇଥାନ୍ତି। ସକାଳୁ ଛାତ୍ରଛାତ୍ରୀ ସେଇ ବାକ୍ସରୁ ନିଜର ନାମ ଉଲ୍ଲେଖ ଥିବା କାର୍ଯ୍ୟଫର୍ଦକୁ ନେଇ ହୋମ୍ ୱାର୍କ କରିଥାନ୍ତି। ତେବେ ଶ୍ରୀ ଭୋଇ ପ୍ରତି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ତାହା ଯାଞ୍ଚ କରିବା ସହ ଅବିଭାକଙ୍କ ସହ ଅଲୋଚନା କରିଥାନ୍ତି।

ପ୍ରଧାନ ଶିକ୍ଷକ ଶ୍ରୀ ଭୋଇଙ୍କ ଉଦ୍ୟମରେ ପ୍ରତି ବର୍ଷ ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା, ଆଦର୍ଶ ବିଦ୍ୟାଳୟ ପ୍ରବେଶିକା, ପଠାଣି ସାମନ୍ତ, ପଞ୍ଚମ ବୃତ୍ତି, ତୃତୀୟ ବୃତ୍ତି ଆଦି ପରୀକ୍ଷାଗୁଡ଼ିକରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଉଛନ୍ତି। ତାଙ୍କର ମହତ୍‌ ଉଦ୍ଦେଶ୍ୟ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଷ୍ଠ ବିଦ୍ୟାଳୟ ଓ ଶ୍ରେଷ୍ଠ ପରିଚାଳନା କମିଟିର ପୁରସ୍କାର ପାଇ ସାରିଛି। ତେବେ ଶ୍ରୀ ଭୋଇଙ୍କୁ ଏହି ମହତ୍‌ କାର୍ଯ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥାନ୍ତି। ଏଥିପାଇଁ ତାଙ୍କୁ ମଧ୍ୟ ଅଭିଭାବକ ମହଲରୁ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର