ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଶୀର୍ଷକ କର୍ମଶାଳା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ‘ପଏଁରୀ’ ପକ୍ଷରୁ ସୋନପୁର କୋଶଳ ହାଇସ୍କୁଲରେ ଏକ ସାରସ୍ୱତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ‘ପଶ୍ଚିମ ଓଡିଶାର ଲୋକବାଦ୍ୟ’ ଶୀର୍ଷକ ଏହି କର୍ମଶାଳାରେ ଲୋକବାଦ୍ୟର ଗବେଷକ କୃଷ୍ଣଚନ୍ଦ୍ର ସିନ୍ଦିରିଆ ଏବଂ ଢୋଲବାଦକ ତଥା ଭୀମଭୋଇ କଳା ପରିଷଦର ନିର୍ଦ୍ଦେଶକ ଉମେଶ କୁମ୍ଭାର ଆଲୋଚକ ଭାବରେ ଯୋଗ ଦେଇ ଅବକ୍ଷୟମୁଖୀ ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଉପରେ ନିଜର ଗବେଷଣାତ୍ମକ ବକ୍ତବ୍ୟ ପ୍ରଦାନ ପୂର୍ବକ ପୁରାତନ ଲୋକବାଦ୍ୟ ଅବକ୍ଷୟ ପାଇଁ କ୍ଷୋଭ ପ୍ରକାଶ କରିଥିଲେ। ପ୍ରଥମେ ଲୋକକଳାର ଗବେଷକ ତଥା ପଏଁରୀ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାର ‘ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ’ ଶୀର୍ଷକ ଏକ ପ୍ରବନ୍ଧ ସହିତ ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦେଶ୍ୟ ଉପସ୍ଥାପନ କରିଥିଲେ। କେତେଗୁଡିଏ ବାଦ୍ୟଯନ୍ତ୍ର ଉପରେ ତଥା ଘୁଡ୍‌କା, ଢାପ, ମାନ୍ଦଳ, ଶିଙ୍ଗବାଦ୍ୟ, ଢୋଲ, ନିଶାନ, ମହୁରୀ, ତାସା, ମୁଠାଝୁମକା, ଘୁମୁରା, ତ୍ରିଗିଡି, ତାମାକୋଡୋ, ଢୋଲକି, ବ୍ରହ୍ମବିଣା, କୁନକୁନିଆ, ସାରଂଗୀ, ବଂଶୀ, ରଂଗୀନ ଖୋଲ, ସଂଚାର ଖୋଲ, ଉଦଣ୍ଡ ଖୋଲ, ମରଦଲ, ମାଟି ଢୋଲ, ଡଁଡ ଢୋଲ, କାଠଢୋଲ, ସମ୍ପର୍ଦା ଖୋଲ, ଘୁଁ ଘୁଁ ନାଦିଆ ଢୋଲ, ସରମଙ୍ଗଳା ଢୋଲ, ଖଂଜନୀ, ଚାଗୁଁ, ଧୁନକେଲ, ବିରକାହାଲି, ଭାଲୁବଏଁଶି, ସିଂଘା, ଜୁଡିମୁହିରୀ, କେନ୍ଦ୍ରା, ରାମକାଠି, କାଠିଆ ଇତ୍ୟାଦି ଉପରେ ଆଲୋଚନା କରିଥିଲେ।

ଏହି କର୍ମଶାଳାକୁ ସଂଯୋଜନା କରିଥିଲେ କୋଶଳ ଉଚ୍ଚ ବିଦ୍ୟାଳୟର ନିର୍ଦ୍ଦେଶକ ସଂଜୟ ସାହୁ। କର୍ମଶାଳା ଆରମ୍ଭରେ ‘ପଏଁରୀ’ ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସ୍ୱାଗତ ସଂଗୀତ ପରିବେଷ କରିଥିଲେ କୋଶଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀବୃନ୍ଦ। ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଦେଇଥିଲେ। ପଏଁରୀ ଅନୁଷ୍ଠାନର ଶ୍ରୀବତ୍ସ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ପୃଥୀରାଜ ବାଗ, ସନ୍ତୋଷ ପାଢ଼ୀ, ନିରାକାର ନାଏକ, ରାଘବ ସୁନା, ସୁଶାନ୍ତ ସାହୁ, ବିନୋଦ ଗଡ଼ିଆ, ହରିବୋଲ ମଲ୍ଲିକ, ମୁସକାନ ମଲ୍ଲିକ, ରଂଜନ ମଲ୍ଲିକ ଏବଂ କୋଶଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର