ସୋନପୁର: ସୁରେଶ୍ବରୀ,ସମଲେଶ୍ବରୀ,ଭଗବତୀ,ଦଶମତୀ,ନାରାୟଣୀ,ରାମଚଣ୍ଡୀ ଓ ବିମଳାକ୍ଷୀ ଆଦି ସମସ୍ତେ ଏକ । ମା ସୁରେଶ୍ବରୀ ହେଉଛନ୍ତି ସୋନପୁରର ଅଧିଷ୍ଠାତ୍ରୀ ଦେବୀ । ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସ ପଞ୍ଚଦଶ ଶତାବ୍ଦୀରେ ସ୍ବରଚିତ ଚଣ୍ଡୀପୁରାଣରେ ଦେବୀ ସୁରେଶ୍ବରୀଙ୍କୁ ୬୪ ଯୋଗିନୀ ମଧ୍ୟରୁ ଅନ୍ୟତମ ଯୋଗିନୀ ଭାବରେ ବର୍ଣ୍ଣନା କରିଛନ୍ତି । କିମ୍ବଦନ୍ତୀ ଅଛି ପର୍ଶୁରାମ ପୃଥିବୀରୁ ବହୁବାର ପରିକ୍ରମା କରି ଅଧିକାଂଶ କ୍ଷତ୍ରୀୟ ବୀରଙ୍କୁ ନିପାତ କରିବା ପରେ ସୋନପୁରରେ ଏକ ଯଜ୍ଞାନୁଷ୍ଠାନ ସଂପାଦନ କରିଥିଲେ ଏବଂ ମାତା ରେଣୁକାଙ୍କ ନିର୍ଦ୍ଦେଶକ୍ରମେ ଦେବୀ ସୁରେଶ୍ବରୀଙ୍କୁ ସ୍ଥାପନ କରିଥିଲେ। ଯଦିଓ ରାମେଶ୍ବର ସଙ୍ଗମସ୍ଥଳରେ ଏକ ଯଜ୍ଞକୁଣ୍ଡର ଭଗ୍ନାବଶେଷ ଆବିସ୍କୃତ ହୋଇଛି ତାହାଯେ ମହର୍ଷି ପର୍ଶୁରାମଙ୍କ ଯଜ୍ଞକୁଣ୍ଡ ସେ ସମ୍ବନ୍ଧରେ କୌଣସି ଐତିହାସିକ ପ୍ରମାଣ ନାହିଁ । କିନ୍ତୁ ଏହାକୁ ଲୋକେ ପର୍ଶୁରାମଙ୍କ ଯଜ୍ଞକୁଣ୍ଡ ହୋଇଥିବା ନେଇ ବିଶ୍ବାସ କରନ୍ତି ।
ସୋମବଂଶୀ ଶାସନ କାଳରେ ମଧ୍ୟ ସୁରେଶ୍ବରୀ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ରୁପେ ପୂଜା ପାଉଥିଲେ । ସେତେବେଳେ ଏହି ମନ୍ଦିର ନିକଟସ୍ଥ ସାତବନ୍ଧ ଥିଲା ସୋମବଂଶୀମାନଙ୍କର ଦୁର୍ଗ । ଏଣୁ ସୋମବଂଶୀ ଶାସକ ଧର୍ମରଥ ଦେବୀ ସୁରେଶ୍ବରୀଙ୍କୁ ସ୍ଥାପନ କରିବା ଖୁବ ସମ୍ଭବପର । ବହୁ ବର୍ଷ ପରେ ଚୌହାଣ ରାଜା ଅଚଳ ସିଂହଦେବ (ଖ୍ରୀ.୧୭୨୫-୧୭୫୦)ଙ୍କ ଶାସନ କାଳରେ ସୁରେଶ୍ବରୀ ମନ୍ଦିର ନିର୍ମିତ ହେଲା ଏବଂ ମହାରାଜା ବୀରମିତ୍ର ସିଂହଦେବ(୧୯୦୨-୧୯୩୭)ଙ୍କ ବେଳକୁ ଏହା ସଂପ୍ରସାରିତ ହେଲା । ମନ୍ଦିର ସ୍ଥାପିତ ଅଷ୍ଟଭୁଜା ମହିଷା ମର୍ଦ୍ଦିନୀ ଦୁର୍ଗା ବିଗ୍ରହ ସୁରେଶ୍ବରୀ ନାମେରେ ପୂଜିତା ହେଉଛନ୍ତି ମନ୍ଦିରର ପୂର୍ବ ଭାଗରେ ଅଷ୍ଟଭୁଜ ଗଣେଶ,ପଶ୍ଚିମରେ ଚତୁର୍ଭୁଜା ବଗଳା,ଉତ୍ତରରେ ଶିବମୂର୍ତ୍ତି ଓ ଦକ୍ଷିଣରେ ଦଶଭୁଜା ଦୁର୍ଗା ପାର୍ଶ୍ବ ଦେବତା ରୁପରେ ପୂଜା ପାଉଛନ୍ତି ।
ଏହା ଛଡ଼ା ମୁଖଶାଳା ମଣ୍ଡପ ଗାତ୍ରରେ ଦଶମହାବିଦ୍ୟା ଶୋଭା ପାଉଛନ୍ତି । ମନ୍ଦିର ପରିସରରେ ଅବସ୍ଥିତ ଯମଜ ଲିଙ୍ଗ ଓ ଭୈରବ ମନ୍ଦିର ମହାରାଜା ବୀରମତ୍ରଙ୍କ ସମୟରେ ନିର୍ମିତ । ଯମଜଲିଙ୍ଗ ଶୈବ ପୀଠରେ ଅମ୍ବେଶ୍ବର ଓ ଜମ୍ବେଶ୍ବର ନାମକ ଶକ୍ତି ଦ୍ବୟ ସ୍ଥାପିତ ହୋଇଥିବା ବେଳେ ମନ୍ଦିର ଚତୁଃପାର୍ଶ୍ବରେ ଷଡ଼ଭୁଜ କାର୍ତ୍ତିକ,ଚତୁର୍ଭୁଜ ଗଣେଶ ଓ ଚତୁର୍ଭୁଜା ପାର୍ବତୀ ବିଗ୍ରହ ସଂଯୋଜିତ ହୋଇଛନ୍ତି । ଏହାଛଡ଼ା ଶିମୁଳି ଗଛ ମୂଳରେ ଖଉଳେଶ୍ବରୀ ପ୍ରତିଷ୍ଠିତ ହୋଇଥିବା ବେଳେ ଶାହାଡ଼ା ଗଛମୂଳେ ତାରା, ନୃସିଂହ ଆଦି ପ୍ରାଚୀନ ମୂର୍ତ୍ତି ଅବସ୍ଥାନ କରିଛନ୍ତି । ଏହି ଖୌଳ ଗାଡ଼ ବୀରମୂର୍ଛା ନାମରେ ଅଭିହିତ । ପ୍ରସିଦ୍ଧ ବଳିଯାତ୍ରା ଉପଲକ୍ଷେ ବରୁଆ ଦେହରେ ଦୈବୀଶକ୍ତି ଆବିର୍ଭାବ ନିମେନ୍ତ ଏହି ଖଉଳମାଟି ବ୍ୟବହାର କରାଯାଏ । ପ୍ରତିଦିନ ପଞ୍ଚମକାରରେ ଚାମୁଣ୍ଡା ମନ୍ତ୍ରରେ ଦେବୀ ସୁରେଶ୍ବରୀଙ୍କୁ ପୂଜା କରାଯାଏ । ଦଶହରା ଦିନ ଏହି ମନ୍ଦିରରେ ମହବଳୀର ଚୁଳ ବନ୍ଧନ କରାଯାଏ । ଚୈତ୍ରର ରାମ ନବମୀରେ ବାସନ୍ତୀ ପୂଜା ଅନୁଷ୍ଠିତ ହୁଏ । ପ୍ରତି ମଙ୍ଗଳବାର,ଅମାବାସ୍ୟା ଓ ସଙ୍କ୍ରାନି ଦିନ ୧୦୮ ବତୀରେ ଦେବୀଙ୍କୁ ସଞ୍ଜ ଆଳତି କରାଯାଏ । ଏଥି ସହିତ ନବରାତ୍ର ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ ।