ଅତୀତର ଗୌରବ ହରାଉଛିି ଚିରେସ୍ରାତା ମହନଦୀ:ସୁରକ୍ଷା ନେଇ ଚିନ୍ତା ନାହିଁ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଦେଇ କେଉଁକାଳରୁ ପ୍ରବାହିତ ହେଉଛି ଚିରସ୍ରୋତା ମହାନଦୀ। ଜିଲ୍ଲା ଦେଇ ପ୍ରାୟ ୧୦୫ କିଲୋମିଟର ଏହି ନଦୀ ପ୍ରବାହିତ ହୋଉଛି। ପୁର୍ବରୁ ମହାନଦୀ ଯେମିତି ଥିଲା ଏବେ ତାହାର ଅତୀତକୁ ଖୋଜିଲେ ମଧ୍ୟ ମିଳୁନାହିଁ। ସୋନପୁର ସହର ମଧ୍ୟରେ ଗୋକର୍ଣ୍ଣେଶ୍ୱର ପଡା ଘାଟ, କଲେଜ ଘାଟ, ବାମନ ଘାଟ, ଇନ୍ଦିରା ଘାଟ, ଗୁରୁ ଘାଟ, ମହାରଣା ଘାଟ, ଦଶମତି ଘାଟ, ରଜାପଡ଼ା ଘାଟ, ଖଣ୍ଡାଧୁଆ ଘାଟ, ମଲ୍ଲିକ ଘାଟ, ଟିକିରିପଡ଼ା ଘାଟ, ତେନ୍ତୁଳି ଘାଟ, ତରିଆପଡ଼ା ଘାଟ, କୁମ୍ଭାର ପଡା ଘାଟ, ବ୍ରାହ୍ମଣୀ ଘାଟ, ଆମ୍ବ ଘାଟ, ରାମେଶ୍ୱର ଘାଟ ରହିଛି। ଏହି ବ୍ୟତୀତ ଜିଲ୍ଲାରେ ଅନେକ ଘାଟ ରହିଛି। ଆଗରୁ ଏହି ଘାଟ ଗୁଡିକର ବ୍ୟବହାର କଲୋକଙ୍କ ଦ୍ୱାରା ଠିକ ଭାବରେ ହେଉଥିଲା। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଏବଂ ନିମ୍ନ ମାନସିକତା ଯୋଗୁଁ ଏହି ଚିରେସ୍ରତା ନଦୀ କେବଳ ଅବହେଳାର ଶିକାର ପାଲଟି ନାହିଁ ତାହାର ଅତୀତକୁ ମଧ୍ୟ ହଜାଇ ବସିଛି।

ମହନଦୀ ତଟରେ ବହୁ ପୁର୍ବରୁ ବହୁ ପରିମାଣରେ ଲାଗିଥିଲା ଆମ୍ବ, ବର ଏବଂ ପିପଳ ଗଛ ଯାହାକି ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରୁଥିଲା, ତେବେ ସମୟାନୁକ୍ରମେ ଆଜି ତାହା ଦେଖିବାକୁ ମିଳୁ ନାହିଁ। ନଦୀ ତଟରୁ ମୃତ୍ତିକା କ୍ଷୟ ବଢିବା ସାଂଗକୁ ଦିନକୁ ଦିନ ନଦୀରେ ବାଲି ପୋତି ହେବା ଫଳରେ ଏହାର ଅବସ୍ଥା ଦୟନୀୟ ହେବାରେ ଲାଗିଛି। ସେପଟେ ଗୋକର୍ଣ୍ଣେଶ୍ୱର ପଡ଼ା ତଥା ମଝିପଡ଼ା ବିଶାଗର ବନ୍ଧ ଦେଇ ଟିକିରିପଡା ନୂଆ ବନ୍ଧ ଦେଇ ସହରର ଦୂଷିତ ପାଣି ଏଠାରେ ପଡୁଛି । ଯାହାକି ମହନଦୀକୁ ଅଧିକ ପ୍ରଦୂଷଣ କରୁଛି। ଏହି ମହାନଦୀ ମତ୍ସ୍ୟଜୀବୀମାନଙ୍କର ଜୀବିକା ନିର୍ବାହର ମାଧ୍ୟମ ଥିଲା। ଏହି ନଦୀରେ ୧୦୮ ପ୍ରକାର ବିଭିନ୍ନ ପ୍ରଜାତିର ମାଛ ଭରି ରହିଥିଲେ। ଲଙ୍କେଶ୍ୱରୀ ଗଣ୍ଡରେ ବିଭିନ୍ନ ପ୍ରଜାତିର ମାଛ ଉକୁଟି ମାରୁଥିଲେ ଯାହାକି ଆଉ ଦେଖିବାକୁ ମିଳୁ ନାହିଁ। ଏଟାକାର ଚିଙ୍ଗୁଡିର ଚାହିଦା ମଧ୍ୟ ବହୁତ ଥିଲା ଏବଂ ଏହାକୁ ବାହାରକୁ ରପ୍ତାନି ହେଉଥିଲା।

ଏବେ ମାତ୍ର ୩୦ ପ୍ରକାରର ମାଛ ଦେଖିବାକୁ ମିଳୁଥିବା ବେଳେ ଚିଙ୍ଗୁଡି ମଧ୍ୟ ଦିିନକୁ ଦିନ ସ୍ୱପ୍ନ ପାଲଟିଲାଣି। ନଦୀକୁ ବିଭିନ୍ନ ଦୂଷିତ କେମିକାଲ ପାଣି, ବିସ୍ଫୋରକ ଦ୍ରବ୍ୟ ମାଧ୍ୟମରେ ଏବଂ ଅଣ ମତ୍ସ୍ୟଜିବୀମାନେ କୀଟନାଶକ ପ୍ରୟୋଗ କରି ମାଛ ମାରିବା ଫଳରେ ମାଛ ସଂଖ୍ୟା ହ୍ରାସ ପାଇଛି। ବର୍ତ୍ତମାନ ଜୀବିକା ହରାଇ ସଂକଟରେ ପଡଛନ୍ତି ମତ୍ସ୍ୟଜୀବୀ ପରିବାର। ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ନାହିଁ। ନଦୀଖଣ୍ଡରେ ଏବେବି ଲୋକେ ଝାଡା ଫେରିବା ନଦୀ ଜଳକୁ ଅଧିକ ଦୂଷିତ କରୁଛି। ସେପଟେ ମହନଦୀ ତଟରେ ରାମେଶ୍ୱର ଘାଟ ଏବଂ ଗୋକର୍ଣ୍ଣେଶ୍ୱର ପଡ଼ା ଘାଟରେ ଦୁଇଟି ଶବ ଦାହ ଗୃହ ଥିଲେ ମଧ୍ୟ ଏହାର ପରିଚାଳନରେ ତ୍ରୁଟି ଯୋଗୁଁ ଶବଦାହ ପରେ ପଡି ରହୁଥିବା ବିଭିନ୍ନ ଅସ୍ୱଚ୍ଛ ସାମଗ୍ରୀ ମଧ୍ୟ ନଦୀ ଗର୍ଭକୁ ଯାଇ ଦୂଷିତ କରୁଛି। ସେପଟେ କେଉଁକାଳରୁ ଥିବା ତେନ୍ତୁଳି ଘାଟରେ ୧୪ ବର୍ଷ ହେଲା ନୌକା ଯାତ୍ରା ଦେଖିବାକୁ ମିଳୁ ନାହିଁ। ମହାନଦୀ ସେତୁ ହେବା ପରେ ନାବିକମାନେ ମଧ୍ୟ ଜୀବିକା ହରାଇଛନ୍ତି। ବହୁ ଦିନ ହେଲା ମହାନଦୀ ବିଭିନ୍ନ ଲୋକଙ୍କର ଜୀବିକା ନିର୍ବାହର ମାଧ୍ୟମ ସାଜି ନିଜେ ଖୁସିରେ ରହିଥିଲା ଏଠାରେ ବୋଟିଂ ବ୍ୟବସ୍ଥା କରାଯାଇ ଏହି ନାବିକମାନଙ୍କର ଜୀବିକା ଫେରାଇ ଆଣିବାର ପର୍ଯ୍ୟାପ୍ତ ସୁବିଧା ଥିଲେ ମଧ୍ୟ ତାହା ସମ୍ଭବ ହେଉ ନାହିଁ। ଏପରିକି ଅନ୍ୟ ରାଜ୍ୟ ପରି ଏଠାରେ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରାଯାଇ ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବନଶୀଳ କରାଯାଇ ପାରନ୍ତା।

ଯାହାକି ଆଜି ପର୍ଯ୍ୟନ୍ତ ହୋଇ ନାହିଁ। ଏକଦା ନଦୀକୂଳରେ ମଳତ୍ୟାଗ ନ କରିବା ପାଇଁ ପ୍ରଶାସନିକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ତେବେ ପରବର୍ତ୍ତି ସମୟରେ ତାହା ବନ୍ଦ ହେବା ଏବଂ ଲୋକେ ନିଜେ ନଚାହିଁବା ଫଳରେ ମହାନଦୀ ଦିନକୁ ଦିନ ଅଧିକ ଅପରିଷ୍କାର ହେଉଛି। ସେହିପରି ମହାନଦୀ କୂଳରେ ସବୁଠାରୁ ଅଧିକ ଆବର୍ଜନା ଗଦା ହୋଇ ରହୁଛି। ପ୍ରଥମତଃ ନଦୀରୁ ବାଲି ଉଦ୍ଧାର କରିବା, ଗାଁ ଖଣ୍ଡିରୁ ମାଟି କଟାଯିବା ବନ୍ଦ କରିବା, ନଦୀର ଉଭୟ ତଟରେ ବୃକ୍ଷ ରୋପଣ କରାଯିବା ତଥା ମତ୍ସଜୀବୀମାନଙ୍କ ପାଇଁ ମତ୍ସ୍ୟ ଚାଷର ସୁବିଧା କରିପାରିଲେ ମହନଦୀ ନିଜର ପୂର୍ବ ସୁସ୍ଥତାକୁ ବଜାୟ ରଖିବ। ମହାନଦୀର ସୁସ୍ଥତାକୁ ବଂଚାଇବା ପାଇଁ ପ୍ରତ୍ୟେକ ପୂର୍ଣ୍ଣିମାରେ ତ୍ରିବେଣୀ ସଂଗମଠାରେ ସଚେତନତା ପାଇଁ ସଙ୍ଗମ ଆଳତୀ ମଧ୍ୟ ବୁଦ୍ଧିଜୀବୀ, ଜନସାଧାରଣଙ୍କ ଦ୍ୱାରା କରାଯାଉଛି। ତେବେ ଏନେଇ ପ୍ରଶାସନିକ ଏବଂ ସରକାରୀ ସ୍ତରରେ ସ୍ୱତନ୍ତ୍ର ଯୋଜନା ହାତକୁ ନେବା ଜରୁରି। ମହାନଦୀର ସୁରକ୍ଷା ପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ପ୍ରଶାସନ ହାତକୁ ନେବା ପାଇଁ ମଧ୍ୟ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଯେଉଁନଦୀ ଆମ ପାଇଁ ବହୁତ କିଛି ଦେଇଛି ତାହା ପାଇଁ ବର୍ତ୍ତମାନ ଆମେ କଣ କରିବା ତାହାର ଆତ୍ମ ସମୀକ୍ଷାର ସମୟ ମଧ୍ୟ ଆସିଛି। କେତେ ଦିନ ଧରି ଏହି ଚିରସ୍ରୋତା ନଦୀ ଯାତନା ତାଡ଼ନାରେ ସମୟ କାଟିବ ଏବଂ କେବେ ଏହି ତାଡ଼ନାର ଅନ୍ତ ହେବ ତାହା ଭବିଷ୍ୟତ କହିବ।

ସମ୍ବନ୍ଧିତ ଖବର