ମାଟ୍ରିକ ପରୀକ୍ଷା: ଏ୧ ଗ୍ରେଡର ଛାତ୍ରଛାତ୍ରୀଙ୍କୁ ପ୍ରଶାସନର ସମ୍ବର୍ଦ୍ଧନା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ୨୦୧୮ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏ୧ରେ ଉତ୍ତୀଣ୍ଣ ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦାଶରଥି ଶତପଥୀ, ପିଡି ଡିଆରଡିଏ ସୂର୍ଯ୍ୟନାରାୟଣ ଦାଶ, ଶିକ୍ଷାବିତ ହରପ୍ରସାଦ ରଥ, ସିଡିଏମଓ ଡା. ବିଜୟଲକ୍ଷ୍ମୀ ଗୁରୁ, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଂଜ, ଡିପିସି ବେଣୁଧର ବେହେରା, ଡିପିଏମ ଡ.ମୌସୁମୀ ମିଶ୍ର, ଡିସିପିଓ ଚତୁର୍ଭୁଜ ଦାଶ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ହିମାଂଶୁ ଭୂଷଣ କର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ସୋନପୁର ଶିଶୁଗୃହରେ ରହି ମାଟ୍ରିକ ପାସ କରିଥିବା ଛାତ୍ର ଦୁର୍ଯ୍ୟୋଧନ ଉର୍ମା ଏବଂ ଲଛିପୁର ସେବାଶ୍ରମରେ ପଢୁଥିବା ତନୁଶ୍ରୀ ମହାକୁଡଙ୍କୁ ବିଜୁ ସୁରକ୍ଷା ଯୋଜନାରେ ୨୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ବୈଠକରେ ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ତଥା ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଥାଉକି, ଏ୧ ପାଇଥିବା ଶାଶ୍ୱତ ଅମ୍ଳାନ ଦାଶ (୫୪୫) ଓ ସୌରଭ ସୁନ୍ଦର ପଣ୍ଡା (୫୪୦) ସୋନପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଅଟନ୍ତି। ମଙ୍ଗଳବାର ‘ସମ୍ବାଦ’ରେ ପ୍ରକାଶିତ ତାଲିକାରେ ସେମାନଙ୍କ ସ୍କୁଲ ନାଁରେ ତ୍ରୁଟି ରହିଯାଇଥିଲା।

ସମ୍ବନ୍ଧିତ ଖବର