ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମନ୍ବୟ ବୈଠକ 

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମ‌ୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲ୍ଲୀପ ପଣ୍ଡା ସଭା ପ୍ରାରମ୍ଭରେ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଫାଲେରିଆ ନିରାକରଣ ପାଇଁ ସମୂହ ‌ଔଷଧ ସେବନ, ମ୍ୟାଲେରିଆ ଏବଂ ଡେଙ୍ଗୁ ଇତ୍ୟାଦି ଭେକ୍ଟର ବର୍ଣ୍ଣ ରୋଗର ମୂଳୋତ୍ପାଟନ ଏବଂ ଔଷଧ ଉପଚାରିତ ମଶାରିର ସମୂହ ବଣ୍ଟନ ଉପରେ ଆଲୋକପାତ କରିଥିଲେ।

ରାଜ୍ୟ ଏକ୍ସପର୍ଟ ଡା. ମଦନ ମୋହନ ପ୍ରଧାନ ଔଷଧ ଉପଚାରିତ ମଶାରିର ଉପକାରିତା ଏବଂ ଏହାର ସୁଷମ ବଣ୍ଟନର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ୍ସପର୍ଟ ଡା.ଏସ୍‌. ବି. ରଥ ଫାଲେରିଆର ବିନାଶ ପାଇଁ ସାମୂହିକ ଔଷଧ ସେବନର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନବକିଶୋର ବେହେରା ମ୍ୟାଲେରିଆ ନିରାକରଣ ଦିଗରେ ଜିଲ୍ଲାର ସଫଳତା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ୨୦୧୮ ତୁଳନାରେ ୨୦୧୯ରେ ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣ ୬୫.୫ ପ୍ରତିଶତ କମିଛି। ଜିଲ୍ଲାର ୮୯ଟି ଉପକେନ୍ଦ୍ରରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଚାଲୁଅଛି। ଫେବ୍ରୁଆରି ୨୦୨୧ରେ ଜିଲ୍ଲାରେ ଫାଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନର ବ୍ୟବସ୍ଥା କରାଯିବ। ଏହି କାର୍ଯ୍ୟକ୍ରମ ନିରବଛିନ୍ନ ଭାବରେ ୫ ବର୍ଷ ପାଇଁ ଚାଲିବ ବୋଲି ସୂଚନା ଦିଆଯାଇଥିଲା। ସଭାକୁ ସମ୍ବୋଧନ କରି ଟାସ୍କ କମିଟିର ଅଧ୍ୟକ୍ଷା ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ପ୍ରତି ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀମାନଙ୍କର ସକ୍ରିୟ ସହାୟତା ନିଆଯାଉ ଏବଂ ସ୍ଥାନୀୟ ସରପଞ୍ଚମାନଙ୍କୁ ଦାୟିତ୍ବ ଦିଆଯାଉ ବୋଲି କହିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ସମସ୍ତ ବ୍ଲକ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ। ଅଜୟ ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର