ତରଭା: ସୁବର୍ଣ୍ଣପୁର ଜିଲ୍ଲା ଗଠନର ବହୁ ପୂର୍ବରୁ ତରଭାକୁ ଏକ ସବ୍ଡିଭିଜନରେ ପରିଣତ କରିବାକୁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ତରଭାରେ ସବ୍ଟ୍ରେଜେରି କାର୍ଯ୍ୟାଳୟ, ଜେଏମ୍ଏଫ୍ସି କୋର୍ଟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏଫ୍ଆରୟୁ ମାନ୍ୟତା ସହ ରକ୍ତ ଭଣ୍ଡାର ସ୍ଥାପନ, ଦ୍ୱିତୀୟ ଖେଳ ପଡ଼ିଆ ନିର୍ମାଣ ଆଦି ଦାବି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଞ୍ଚରେ ଜନସାଧାରଣଙ୍କ ତରଫରୁ କରାଯାଉଛି।
ତରଭାରେ ଜେଏମ୍ଏଫ୍ସି କୋର୍ଟ, ସବ୍ଟ୍ରେଜେରି କାର୍ଯ୍ୟାଳୟ, ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏଫ୍ଆର୍ୟୁ ମାନ୍ୟତା ଦାବିରେ ଓକିଲ ସଂଘ, ସାମ୍ବାଦିକ ସଂଘ, ନାଗରିକ କମିଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ୭.୧୧.୨୦୧୭ରୁ ତରଭା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଧାରଣାର ଚତୁର୍ଥ ଦିନ ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଂଜନ ପୂଜାରୀ ଧାରଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ସବ୍ଟ୍ରେଜେରି କାର୍ଯ୍ୟାଳୟକୁ ବାଦ୍ ଦେଇ ଅନ୍ୟ ସମସ୍ତ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟ ତିନୋଟି ଦାବି ମଧ୍ୟରୁ ଗୋଟିଏ ଦାବି ପୂରଣ ହୋଇଛି। ମଙ୍ଗଳବାର ଅପରାହ୍ଣ ୩ଟାରେ ତରଭା ତହସିଲଦାର ଏକ ପ୍ରେସ୍ମିଟ ଡାକି ତରଭାରେ ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଖୋଲିଲା ବୋଲି ଘୋଷଣା କରିଥିଲେ।
ତରଭା ବ୍ଲକ୍ର ୧୮୯ ଖଣ୍ଡ ରାଜସ୍ୱ ଗ୍ରାମର ଜନସାଧାରଣ ଏଥିଯୋଗୁଁ ଉପକୃତ ହେବେ। ଜମିବାଡ଼ି ରେଜିଷ୍ଟ୍ରେସନ ପାଇଁ ଆଉ ସୋନପୁର ଦୌଡ଼ିବାକୁ ପଡ଼ିବ ନାହିଁ। ଅତିରିକ୍ତ ତହସିଲଦାର ସୂର୍ଯ୍ୟାଂଶୁ ରୁତ, ବରିଷ୍ଠ କିରାଣି ଗଂଗାଧର ମହାପାତ୍ର ମଞ୍ଚାସୀନ ଥିଲେ। ସୋନପୁର ରେଜିଷ୍ଟ୍ରି ଅଫିସରୁ ସମସ୍ତ ରେକର୍ଡ ଆସିବା ପରେ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ ବଙ୍ଗଳାରେ ତରଭା ରେଜିଷ୍ଟ୍ରି ଅଫିସ ଆରମ୍ଭ ହେବ ଏବଂ ତହସିଲଦାର ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଣ୍ଡେ ସୂଚନା ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ବର୍ଷର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ତରଭା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଅନ୍ୟାନ୍ୟ ଦାବିଗୁଡ଼ିକ ମନ୍ତ୍ରୀ ଶ୍ରୀ ପୂଜାରୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବେ ବୋଲି ଜନସାଧାରଣ ଆଶା ବାନ୍ଧିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/committee-meating.jpg)