ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବେପରୁଆ ଜନସ୍ୱାସ୍ଥ୍ୟ ବିଭାଗ

ଅଧପନ୍ତରିଆ ଜଳ ଯୋଗାଣ ପ୍ରକଳ୍ପ, ବଢୁଛି ଜଳକଷ୍ଟ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢିବାରେ ଲାଗିଛି। ପାରଦ ୪୦ ଡିଗ୍ରି ଛୁଇଁଲାଣି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ସୋନପୁରବାସୀଙ୍କ ପାଇଁ କଳକଷ୍ଟ ସାଧାରଣ ଜୀବନଯାପନକୁ ଅସ୍ତବ୍ୟସ୍ତ କରିଦେଇଛି। ସୋନପୁରରେ ଚିରସ୍ରେତା ମହାନଦୀ ଅନ୍ୟପଟରେ ତେଲନଦୀ ପ୍ରବାହିତ ହେଉଥିଲେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ମିଳିବା ସ୍ୱପ୍ନ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ ବର୍ଷ ପୂର୍ବରୁ ଶୁଭ ଦିଆଯାଇଥିବା ୬ କୋଟି ୫୦ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଛି। ଆଗରୁ କାମ କରୁଥିବା ଠିକାଦାର ଅଧାରୁ କାମ ଛାଡି ଦେଇଥିଲେ। ପରେ ପୁଣି ଟେଣ୍ଡର କରାଯାଇ କାମ ଆରମ୍ଭ ହୋଇଥିଲା। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଖୋଦ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଜନସ୍ୱାସ୍ଥ୍ୟ ବିଭାଗର ଏପରି ବେପାରୁଆ ମନୋଭାବ ଯୋଗୁଁ ଅସନ୍ତୋଷ ବଢିବାରେ ଲାଗିଛି।
ପ୍ରକାଶ ଯେ, ସୋନପୁର ସହରର ଜନସଂଖ୍ୟା ୨୧ ହଜାରରୁ ଅଧିକ। ଦୈନିକ ସୋନପୁରବାସୀଙ୍କ ପାଇଁ ୩.୪୮ ମିଲିଲିଟର ପାନୀୟ ଜଳ ଆବଶ୍ୟକ। ମାତ୍ର ଜନସ୍ୱାସ୍ଥ୍ୟ ବିଭାଗ ଏତିକି ଦେଇ ପାରୁନାହିଁ । ସହରର ସମଲେଶ୍ୱରୀ ମନ୍ଦିର ନିକଟରେ ଗୋଟିଏ ଓଭରହେଡ ପାଣି ଟାଙ୍କି ରହିଛି। ତାହା ଜଳ ସଂରକ୍ଷଣ ପାଇଁ ଯଥେଷ୍ଟ ନୁହେଁ। ଖରାଦିନ ଜଳସ୍ତର ହ୍ରାସ ପାଉଥିବାରୁ ଠିକ ଭାବରେ ପାଣି ଉଠାଣ ହୋଇପାରୁନାହିଁ। ମହାନଦୀରେ ଇନଟେକେଓ୍ଵଲ ନିର୍ମାଣ ହୋଇନାହିଁ। ସିଧାସଳଖ ମହାନଦୀରୁ ଟ୍ରିଟ୍‌ମେନ୍ଟ ପ୍ଲାଣ୍ଟକୁ ପାଣି ଯାଉଛି। ଏଥିପାଇଁ ବିଭିନ୍ନ ପଡାକୁ ମାତ୍ର ଘଣ୍ଟାଏ ପାନୀୟ ଜଳ ଯୋଗାଣ ହେଉଛି। ଉକ୍ତ ପାଣି ମଧ୍ୟ ଉପଯୁକ୍ତ ନଥିବା ସହରବାସୀ ଅଭିଯୋଗ କରିଛନ୍ତି। ୧୯୮୪ରୁ ସୋନପୁର ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଦଶମତିଘାଟରୁ ଜଳ ଉତ୍ତୋଳନ କରାଯାଇ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିସହିତ ୨୯୩ଟି ନଳକୂଅ କାର୍ଯ୍ୟକ୍ଷମ ଥିବା ଜଣାପଡିଛି। ପୌରାଂଚଳରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣର ଉନ୍ନତିକରଣ ଚିନ୍ତା କରାଯାଇଥିଲା।

ପରିଷଦ ପକ୍ଷରୁ ୨୦୧୨ ମସିହାରେ ଏଥିପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦିଆଯାଇଥିଲା। ପଟାଭାଡି ଓବଂ ଏମଏଲଏ ପଡାରେ ଆଉ ଦୁଇଟି ଓଭରହେଡ ଟ୍ୟାଙ୍କ ନିର୍ମାଣ, ଇନ୍‌ଟେକେଓ୍ଵଲ ଓ ପମ୍ପିଂ ପାଇଁ ଯୋଜନା ରହିଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସହରବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ୫ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ଦୁଇଟି ଓଭରହେଡ ଟ୍ୟାଙ୍କ ନିର୍ମାଣ ସହିତ ପାଇପ ବିଛା କାର୍ଯ୍ୟ ସରିଛି। ଏହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ଏବଂ ସହରବାସୀ କେବେ କଳକଷ୍ଟରୁ ରକ୍ଷା ପାଇବେ ତାହା ଏକ ଅସମାହିତ ପ୍ରଶ୍ନ ପାଲଟିଛି। ଗ୍ରିଡକୋ କଲୋନି, ବିବେକାନନ୍ଦ ନଗର, ରାମଜୀ ନଗର, ଶାନ୍ତି ନଗର ତଥା ୧ ନଂ ଓ୍ଵାର୍ଡ, ପଟାଭାଡି, କୁଳପଡା ଆଦି ଅଂଚଳକୁ ପାଇପ ଜଳ ପହଂଚିବା ସମ୍ଭବ ହୋଇନାହିଁ। ସେହିପରି ପୌରାଂଚଳରେ ନୂଆବନ୍ଧ, ସାତବନ୍ଧ, କନକୁଟ ମୁଡା ପୋଖରୀ, ସିଙ୍ଗଡା ବନ୍ଧ, ବଡ ଗୁଢାଲି ବନ୍ଧ, ଭଗବତୀ ବନ୍ଧ, ବିସାଗର ବନ୍ଧ, ପାତ୍ର ବନ୍ଧ, ବୁଢାରାଜା ବନ୍ଧ ଆଦି ୧୭ଟି ଜଳାଶୟ ରହିଛି। ହେଲେ ଏହି ଜଳାଶୟ ଗୁଡିକ ଦିନକୁ ଦିନ ପୋତି ହେବାରେ ଲାଗିଛି। ଏହାର ପୁନରୁଦ୍ଧାର କରାଯାଉ ନଥିବାରୁ ଲୋକେ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ, ଅଚଳ ନଳକୂଅ ସଜାଡିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର