ସୋନପୁର: ଗୁରୁବାରଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ ଲାଗୁ ହୋଇଛି। ଏନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶରଥି ଶତପଥୀ ମୁଖ୍ୟ ଅତିଥି, ଏସ୍ପି ପ୍ରଫୁଲ୍ଲ ପାତ୍ର, ପିଡି ଡିଆର୍ଡିଏ ବିଶ୍ୱନାଥ ସାହୁ, ପୌର ନିର୍ବାହୀ ଅଧିକାରୀ ଅଶୋକ ମିଶ୍ର, ମୋଟର ଯାନ ନିରୀକ୍ଷକ ରବିନ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମୂହିକ ଶପଥ ପାଠ ମଧ୍ୟ କରାଯାଇଥିଲା। ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବେସରକାରୀ ବସ ମାଲିକ ସଂଘର ସଭାପତି ବିଭୁତି ଭୂଷଣ ଦାଶ, ସମ୍ପାଦକ ଦେବଦତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଦୁଇ ଚକିଆ ଯାନରେ ଆସିଲେ ହେଲମେଟ ପରିଧାନ କରି ଆସିବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି।
ତରଭା: ତେରଭାରେ ନୋ’ ହେଲ୍ମେଟ ନୋ’ ପେଟ୍ରୋଲ ନିୟମ ଲାଗୁ କରାଯାଇଛି। ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ତରଭା ପଞ୍ଚାୟତ ସମିତି, ପୁଲିସ, ଅଗ୍ନିଶମ ବିଭାଗ, ସରକାରୀ ବାଳକ ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଏଇଏସ୍ କଲେଜ ସହଯୋଗରେ ଏକ ସଚେତନତା ରାଲି ଗୁରୁବାର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ସହର ପରିକ୍ରମା କରିଥିଲା। ମୋଟର ସାଇକଲ୍ ଚଳାଇବା ସମୟରେ ହେଲ୍ମେଟ ନପିନ୍ଧିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ ବୋଲି ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ତରଭାରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକୁ ବିନା ହେଲ୍ମେଟ୍ରେ ପେଟ୍ରୋଲ ନଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାଯାଇଛି। ଆଜିର କାର୍ଯ୍ୟକ୍ରମରେ ବିଡିଓ ପ୍ରସନ୍ନ ପାଣ୍ଡେ, ଆଇଆଇସି ସୁରୁବାବୁ ଛତ୍ରିଆ, ଅଗ୍ନିଶମ ବିଭାଗ ଓଆଇସି ସୁଧାକର ନାଏକ, ଅଧ୍ୟାପିକା ମୀନତି ମିଶ୍ର, ଶିକ୍ଷକ ସୁରଜ ସେଠୀ, ଏଇଏସ୍ କଲେଜ ପିଇଟି ସଂଜୀବ ସେଠୀ, ଅର୍ଜୁନ ମହାପାତ୍ରଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଓ ସରକାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ସାମିଲ ହୋଇଥିଲେ।
ବୀରମହାରାଜପୁର: ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାନ ଦ୍ୱାରା ହେଲ୍ମେଟ୍ ବ୍ୟବହାର ଓ ହେଲ୍ମେଟ ନିୟମ ଉପରେ ଏକ ସଚେତନତା ରାଲି ବୀରମହାରାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିକୁ ଉପଜିଲ୍ଲାପାଳ ଗୋପୀନାଥ ସାରକା, ରାଜସ୍ୱ ଅଧିକାରୀ ଅମୂଲ୍ୟ ସାହୁ ଉଦ୍ଘାଟନ କରିଥିଲେ। ବୀରମହାରାଜପୁର ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ହେଲ୍ମେଟ୍ ବ୍ୟବହାର ଓ ନିୟମ ଉପରେ ଲେଖା ଥିବା ବିଭିନ୍ନ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସୁବ୍ରତ ମିଶ୍ର, ଚିତ୍ତରଂଜନ ପଟ୍ଟନାୟକଙ୍କ ସମେତ ଉମାଶଙ୍କର ଥନାପତି, ଉଦ୍ଧବ ମେହେର, ମନୋରଂଜନ ମେହେର ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି କୁଶ ପାଣିଗ୍ରାହୀଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀ ପକ୍ଷରୁ ଗୁରୁବାର ଡୁଙ୍ଗୁରିପାଲିରେ ହେଲମେଟ୍ ବ୍ୟବହାର ଏକ ସଚେତନତା ଶେଭାଯାତ୍ରା ସହର ପରିକ୍ରମା କରିଛି। ଡୁଙ୍ଗୁରିପାଲି ବିଡିଓ ରିପୁନାଥ ସୁନା ଏହାର ଶୁଭାରମ୍ଭ କରିଥିଲେ। ଉକ୍ତ ସଚେତନତା ଶୋଭାଯାତ୍ରାରେ ଓଏମଭିଡି ଜନପ୍ରତାପ କୁଲ୍ଲ, ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜ୍ୟୋତି ପ୍ରକାଶ ମିଶ୍ର, ଲାଲା ଶର୍ମା, ଥାନା ଅଧିକାରୀ ପ୍ରଦୀପ ପଧାନ, ଥାନାର କର୍ମଚାରୀ, ବିଭିନ୍ନ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଏଥିରେ ସାମିଲ ଥିଲେ।
ଉଲୁଣ୍ଡା: ଗୁରୁବାର ଦିନ ଉଲୁଣ୍ଡାଠାରେ ଯୁବ ଆଇନଜୀବୀଙ୍କ ନେତୃତ୍ୱରେ ହେଲ୍ମେଟ ନାହିଁ ତ’ ପେଟ୍ରୋଲ ନାହିଁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୌଜନ୍ୟରୁ ଆୟୋଜିତ ଏହି ରାଲିକୁ ଉଲୁଣ୍ଡା ବିଡିଓ ବିଜୟ ସଏ ଉଦ୍ଘାଟନ କରିଥିଲେ। ଆଇଆଇସି ରୀନା ବେହେରା ସହଯୋଗ କରିଥିଲେ। ଉଲୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ରାଲିରେ ଯୋଗ ଦେଇଥିଲେ। ଯୁବ ମହାସଂଘ ସଦସ୍ୟମାନେ ବାଇକ ରାଲି କରିଥିଲେ। ଯୁବ ମହାସଂଘର ମହେଶ ପୁରୋହିତ, ମାନସରଂଜନ ସାହୁ, ପ୍ରମୋଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
ନୋ ହେଲମେଟ୍, ନୋ ପେଟ୍ରୋଲ:ସଚେତନତା କାର୍ଯ୍ୟକ୍ରମରେ ସମୂହ ଶପଥ
/sambad/media/post_attachments/wp-content/uploads/2018/02/sonepur.jpg)