ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ଜହ୍ନାପଙ୍କ: ଜମିବାଡ଼ିକୁ କେନ୍ଦ୍ର କରି ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ସୁରେଶ ମେହେର(୫୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ଏନେଇ ସୁରେଶ ପୁଲିସରେ ଅଭିଯୋଗ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁରେଶ ମେହେର ଓ ରାଧାରମଣ ମେହେରଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବହୁଦିନ ବିବାଦ ଲାଗି ରହିଛି। ୨୦୧୬ ମହିହାରେ ବୌଦ୍ଧ ଥାନାରେ ମଧ୍ୟ କେସ ରୁଜୁ ହୋଇଥିଲା। ପରେ ଗାଁରେ ଏକ ବୈଠକ ବସି ବଡ଼ ଭାଇ ରାଧାରମଣ ଓ ମଝିଆ ଭାଇ ସୁରେଶଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ସମାନ ଭାବରେ ବଣ୍ଟା ଯାଇଥିଲା। କିନ୍ତୁ ଏଥିରେ ରାଧାରମଣ ସନ୍ତୁଷ୍ଟ ନଥିଲେ। ସେ ସମ୍ମୁଖ ପଟରୁ ସବୁତକ ଜମି ନେବାକୁ ଜିଦ୍‌ରେ ଥିଲେ। ରବିବାର ଅପରାହ୍ନରେ ରାଧାରମଣ ଓ ତାଙ୍କ ୩ ପୁଅ କିଶୋର, ହୃଦାନନ୍ଦ ଓ ରଞ୍ଜିତ ମିଳିତ ଭାବେ ସୁରେଶଙ୍କୁ ଠେଙ୍ଗା ବାଡ଼ି ଧରି ଆକ୍ରମଣ କରିଥିଲେ। ଠେଙ୍ଗାରେ ପିଟିବାରୁ ସୁରେଶଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଡାହାଣ ହାତ ଭାଙ୍ଗି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର