ହାରିବାର କାରଣ ଖୋଜୁଛନ୍ତି ବିରୋଧୀ:ଗୋଷ୍ଠୀ କନ୍ଦଳ ପରାଜୟର ମୁଖ୍ୟ କାରଣ!

ସୋନପୁର: ୨୦୧୯ ସାଧାରଣ ନିର୍ବାଚନ ସରିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଫଳାଫଳ ବିଜେଡି ସପକ୍ଷରେ ଯାଇଛି। ଏହି ଜିଲ୍ଲାର ସୋନପୁର ନିର୍ବାଚନମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇ ଅର୍ଥ ଏବଂ ଅବକାରୀ ବିଭା‌ଗର କ୍ୟାବିନେଟ ମନ୍ତ୍ରୀ ହୋଇଥିବାବେଳେ ବୀରମହାହାରାଜପୁର ନିର୍ବାଚନମଣ୍ଡଳୀରୁ ବିଜେଡିର ପଦ୍ମନାଭ ବେହେରା ନିର୍ବାଚିତ ହୋଇ ବାଣିଜ୍ୟ ଓ ପରିବହନ ଏବଂ ଯୋଜନା ଏବଂ ସଂଯୋଜନା ବିଭାଗର କ୍ୟାବିନେଟ ମନ୍ତ୍ରୀ ପାଇଛନ୍ତି।
୨୦୧୪ ନିର୍ବାଚନରେ ସୋନପୁର ନିର୍ବାଚନମଣ୍ଡଳୀରୁ ବିଜେଡିର ନିରଞ୍ଜନ ପୂଜାରୀ ୯୩ ହଜାର ୫୩୪ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ନିର୍ବାଚନରେ ସେ ୯୯ ହଜାର ୭୩ ଖଣ୍ଡ ଭୋଟ ପାଇଛନ୍ତି। ଏଥିସହିତ ଏଥର ନିର୍ବାଚନରେ ସେ ଗତଥର ନିର୍ବାଚନରୁ ୫ ହଜାର ୫୩୯ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ‌ତେବେ ଗତ ୨୦୧୪ ସାଧାରଣ ନିର୍ବାଚନରେ ସେ ୯୩ ହଜାର ୫୩୪ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ରଙ୍କଠାରୁ ୫୧ ହଜାର ୪୮୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଏଥର ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କଠାରୁ ୨୫ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ବିଜୟ ବ୍ୟବଧାନ କ୍ରମାଗତ ଦୁଇଟି ନିର୍ବାଚନ ଯଥା ୨୦୦୯ ଏବଂ ୨୦୧୪ରେ ବଢିଥିବା ବେଳେ ଏଥର ବିଜୟ ବ୍ୟବଧାନ କମିଛି। ୨୦୧୪ ନିର୍ବାଚନରେ ଏହି ଆ‌ସନରୁ ବିଜେପିର ପ୍ରମୋଦ ମହାପାତ୍ର ୪୨୦୪୯ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ସର୍ବେଶ୍ବର ପୁରୋହିତ ୩୫ ହଜାର ୭୯୫ ଖଣ୍ଡ ଭୋଟ ପାଇଥିଲେ। ଏଥର ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ବଦଳ କରିଥିଲେ। ବିଜେପିର ଅଶୋକ ପୂଜାରୀ ଏବଂ କଂଗ୍ରେସର ଚିତ୍ତରଞ୍ଜନ ମିଶ୍ର ପ୍ରାର୍ଥୀ ହୋଇଥିଲେ। ବିଜେପିର ଅଶୋକ ପୂଜାରୀ ୭୩ ହଜାର ୩୪୭ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୪ ନିର୍ବାଚନରେ ବିଜେପିର ପ୍ରମୋଦ ମହାପାତ୍ର ପାଇଥିବା ଭୋଟରୁ ୩୧ ହଜାର ୨୯୮ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ଚିତ୍ତରଞ୍ଜନ ମିଶ୍ର ଏଥର ନିର୍ବାଚନରେ ୨୩ ହଜାର ୩୨୬ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସର୍ବେଶ୍ବର ପୁରୋହିତଙ୍କଠାରୁ ୧୨ ହଜାର ୪୬୯ ଖଣ୍ଡ କମ ଭୋଟ ପାଇଛନ୍ତି। ସୋନପୁର ନିର୍ବାଚନମଣ୍ଡଳ‌ୀରେ ବିଜେଡି ଏବଂ ବିଜେପିର ଭୋଟ ହାର ବଢିଥିବା ବେଳେ କଂଗ୍ରେସର କମିଛି। ସେହିପରି ଏହି ନିର୍ବାଚନମଣ୍ଡଳୀରେ ସାଂସଦ ପ୍ରାର୍ଥୀ କଳିକେଶନାରାୟଣ ସିଂହଦେଓ ୯୬ ହଜାର ୬୨୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡିର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ‌ଯେତିକି ଭୋଟ ପାଇଛନ୍ତି ତାଠାରୁ ୨ ହଜାର ୪୫୩ ଖଣ୍ଡ ଭୋଟ କମ ପାଇଛନ୍ତି। ସେହିପରି ବିଜେପିର ସାଂସଦ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ୮୦ ହଜାର ୭୭୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥା ଅଶୋକ ପୂଜାରୀଙ୍କଠାରୁ ୭ ହଜାର ୪୨୪ ଖଣ୍ଡ ଅଧିକ ପାଇଛନ୍ତି। କଂଗ୍ରେସର ସାଂସଦ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୨୨ହଜାର ୬୯ ଖଣ୍ଡ ଭୋଟ ପାଇଥିବା ବେ‌ଳେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଚିତ୍ତରଞ୍ଜନ ମିଶ୍ରଙ୍କଠାରୁ ୧ ହଜାର ୨୫୭ ଖଣ୍ଡ କମ ଭୋଟ ପାଇଛନ୍ତି।
ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ୬୭ ହଜାର ୫୬୧ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ନିର୍ବାଚନରେ ୬୫ ହଜାର ୪୬ ଖଣ୍ଡ ଭୋଟ ପାଇଛନ୍ତି ଅର୍ଥାତ ଗତ ନିର୍ବାଚନରୁ ସେ ୨ହଜାର ୫୧୫ ଖଣ୍ଡ କମ ଭୋଟ ପାଇଛନ୍ତି। ଗତ ନିର୍ବାଚନରେ ଶ୍ରୀ ବେହେରା ୩୧ ହଜାର ୧୧୪ ଖଣ୍ଡ ଭୋଟ ପାଇ ବିଜେପିର ଆନନ୍ଦ ବାରିକଙ୍କଠାରୁ ବିଜୟୀ ହୋଇଥିବା ବେଳେ ଏଥର ନିର୍ବାଚନରେ ଶ୍ରୀ ବେହେରା ବିଜେପିର ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କଠାରୁ ୧୩ ହଜାର ୧୨୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଶ୍ରୀ ବେହେରାଙ୍କ ମଧ୍ୟ ବିଜୟ ବ୍ୟବଧାନ କମିଛି। ୨୦୧୪ ନିର୍ବାଚନରେ ବିଜେପିରୁ ଆନନ୍ଦ ବାରିକ ୩୬ ହଜାର ୪୪୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକ ପ୍ରସାଦ ତରିଆ ୩୪ ହଜାର ୫୧୫ ଖଣ୍ଡ ଭୋଟ ପାଇଥିଲେ। ଏହି ନିର୍ବାଚନମଣ୍ଡଳୀରେ ବିଜେପି ଏବଂ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ। ବିଜେପିରୁ ରଘୁନାଥ ଜଗଦଲା ଏବଂ କଂଗ୍ରେସରୁ ବିନୋଦ ପାତ୍ର ପ୍ରତିଦ୍ବନ୍ଦିତା କରୁଥିଲେ। ବିଜେପିର ରଘୁନାଥ ଜଗଦଲା ୫୧ ହଜାର ୯୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଗତ ଥରର ପ୍ରାର୍ଥୀ ଆନନ୍ଦ ବାରିକଙ୍କଠାରୁ ୧୫ ହଜାର ୪୭୩ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ବିନୋଦ ପାତ୍ର ଏଥର ନିର୍ବାଚନରେ ୪୦ ହଜାର ୬୪୯ ଖଣ୍ଡ ଭୋଟ ପାଇଥିବା ବେଳେ ଗତଥର ପ୍ରାର୍ଥୀ କାର୍ତ୍ତିକପ୍ରସାଦ ତରିଆଙ୍କଠାରୁ ୬ ହଜାର ୧୩୪ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ସେହିପରି ବିଜେଡିର ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୬୬ ହଜାର ୧୪୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଧାୟକ ପ୍ରାର୍ଥୀ ଥିବା ପଦ୍ମନାଭ ବେହେରାଙ୍କଠାରୁ ୧ ହଜାର ୧୩୪ ଖଣ୍ଡ ଭ‌ୋଟ ଅଧିକ ପାଇଛନ୍ତି। ସେହିପରି ବିଜେପିର ସାସଂଦ ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ୫୯ ହଜାର ୫୦୫ ଖଣ୍ଡ ଭୋଟ ପାଇଥିବା ‌ବେଳେ ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲାଙ୍କଠାରୁ ୭ ହଜାର ୫୮୫ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୩୫ ହଜାର ୮୦୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଧାୟକ ପ୍ରାର୍ଥୀ ବିନୋଦ ପାତ୍ରଙ୍କଠାରୁ ୪ହଜାର ୮୪୫ ଖଣ୍ଡ କମ ଭ‌ୋଟ ପାଇଛନ୍ତି। ଜିଲ୍ଲାରେ ଗତ ଏପ୍ରିଲ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର କରିଥିବା ବେଳେ ଏପ୍ରିଲ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିଲେ। ତେବେ ମୋଦିଙ୍କ ପ୍ରଭାବରେ ବିଜେପିର ଭୋଟ ବଢିଥିଲେ ମଧ୍ୟ ବିଜେଡଇକୁ ଅଟକାଇ ପାରିନଥଲେ। ବି‌ଜେପି ଏବଂ କଂଗ୍ରେସର ଗୋଷ୍ଠୀ କନ୍ଦଳ ହିଁ ପରାଜୟର ମୁଖ୍ୟ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ ନିର୍ବାଚନ ସରିଛି ଏବେ ବିରେଧୀ କଂଗ୍ରେସ ଏବଂ ବିଜେପି ଶିବିରରେ ପରାଜୟର ମାନସ ମନ୍ଥନ ଚାଲିଛି।

ସମ୍ବନ୍ଧିତ ଖବର