ରାମପୁର ବ୍ୟବସାୟୀ ସଂଘର ଥାନା ଘେରାଉ

ପୁଲିସ୍‌ ନିଷ୍କ୍ରିୟତାର ପ୍ରତିବାଦ

ଏସ୍‌ ରାମପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସର ନିଷ୍କିୟତା ଯୋଗୁଁ ସୋମବାର ବ୍ୟବସାୟୀ ସଂଘର ଆହ୍ବାନ କ୍ରମେ ରାମପୁର ଥାନା ଘେରାଉ କରାଯାଇ ଥିଲା। ପଣ୍ଡକିଟାଲ ସ୍ଥିତ ଏଟିଏମ୍‌ରୁ ଚୋରି ଉଦ୍ୟମ, ପୋଷ୍ଟ ଅଫିସ୍‌ ତାଲା ଭାଙ୍ଗି ଚୋରି ଉଦ୍ୟମ, ସସ୍ମିତା ସୁନା ଦୋକାନ, ସାହୁ ଏଗ୍ରୋ ସାର୍‌ଭିସ୍‌ ସେଣ୍ଟରରୁ ଚୋରି, ଜିଲ୍ଲାଜଜ୍‌ଙ୍କ ରାମପୁର କେମ୍ପ କୋର୍ଟ ପରିସରରୁ ପାଣିପମ୍ପ ଚୋରି ଘଟଣା ଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ଚୋରକୁ ଠାବ କରାଯାଇ ପାରି ନାହିଁ। ଏନେଇ ବ୍ୟବସାୟୀ ସଂଘର ଆହ୍ବାନକ୍ରମେ ସଂଘ ସଭାପତି ରାଜେଶ ଅଗ୍ରୱାଲଙ୍କ ଅନୁପସ୍ଥିତିରେ ଆବାହକ ପ୍ରକାଶ ଅଗ୍ରୱାଲଙ୍କ ସଭାପତିତ୍ବରେ ସମସ୍ତ ଦୋକାନ ମାଳିକ ଓ ସର୍ବସାଧାରଣଙ୍କ ଏକ ସଭା ରାମପୁର କଲ୍ୟାଣ ମଣ୍ଡପଠରେ ଅନୁଷ୍ଠିତ ହୋଇଥିଲା। ପରେ ଥାନାଧିକାରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଥାନା ପରିସରକୁ ଏକ ଶୋଭାଯାତ୍ରାରେ ଯାଇ ସାକ୍ଷାତ ଆଲୋଚନା ପାଇଁ ଦାବି କରାଯାଇ ଥିଲା। ଥାନାଧିକାରୀ ପ୍ରଦୀପ ପଧାନ ଏକ ପ୍ରତିନିଧି ଦଳ ସହିତ ଆଲୋଚନା ପାଇଁ ରାଜି ହୋଇଥିଲେ। ପ୍ରକାଶ ମାଝୀ, ପ୍ରଫୁଲ୍ଲ ମେହେର, ଅଶୋକ ବୈଠାରୁ, ସୁଶାନ୍ତ ସାହୁ, ଟିଟୁ ପୂଜାରୀ, ପ୍ରକାଶ ଅଗ୍ରୱାଲ ଏବଂ ପ୍ରମୋଦ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କ୍ରିଷ୍ଣା ମୋବାଇଲ୍‌ ଦୋକାନ ଚୋରି ଘଟଣା ଶ୍ରୀ ପ୍ରଧାନଙ୍କ ଦାୟିତ୍ବ ଗ୍ରହଣ ପରେ ଘଟିଥିବାରୁ ଏହାର ପର୍ଦାଫାସ୍‌ ଶୀଘ୍ର କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ଉଚ୍ଚ ଅଧିକାରୀ ତଥା ଡିଏସ୍‌ପିଙ୍କୁ ଡାକି ଆସନ୍ତା ବୁଧବାର ସଂଘ ଆଲୋଚନା ପାଇଁ ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର