ଗର୍ଭବତୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ବିନା ଶବ ଘରକୁ ପଠାଗଲା

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ସିଡିଏମ୍‌ଓ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳା ବୀରମହାରାଜପୁର ଥାନା ହନୁମାନପାଲି ଗାଁର ସରସ୍ବତୀ ମେହେର (୧୯)ଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନକରାଇ ତରବରିଆ ଭାବେ ଘରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ହନୁମାନପାଲି ଗ୍ରାମର ଯଦୁମଣି ମେହେରଙ୍କ ପତ୍ନୀ ସରସ୍ବତୀଙ୍କ ପ୍ରସବ ପାଇଁ ଗୁରୁବାର ସକାଳ ୯.୨୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରସୂତି ଓ ସ୍ତ୍ରୀ ବିଶେଷଜ୍ଞ ଡା. ପ୍ରକାଶ ଦଣ୍ଡସେନା ଅସ୍ତ୍ରୋପଚାର କରି ପ୍ରସବ କରିବା ପାଇଁ ପରାମର୍ଶ ଦେଇଥିଲେ। ସନ୍ଧ୍ୟାରେ ସରସ୍ବତୀଙ୍କୁ ଲେବର ରୁମକୁ ନିଆଯାଇଥିଲା ଏବଂ ଡା. ସୁବାସ ପଣ୍ଡା ତାଙ୍କୁ ନିଶ୍ଚେତକ ଦେଇଥିଲେ। ରାତି ୮.୧୦ରେ ସରସ୍ବତୀ ଲେବର ରୁମରେ ପ୍ରାଣ ହରାଇଥିଲେ। ଚିକିତ୍ସା କରୁଥିବା ଡାକ୍ତର କାହିଁକି ଶବ ବ୍ୟବଚ୍ଛେଦ ପାଇଁ ପରାମର୍ଶ ନଦେଇ ଘରକୁ ପଠାଇଲେ ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏନେଇ ଚିକିତ୍ସା କରୁଥିବା ଡା. ପ୍ରକାଶ ଦଣ୍ଡସେନାଙ୍କୁ ଯୋଗାଯୋଗ କରାଯିବାରେ ନିଶ୍ଚେତକ ଦେବା ପରେ ଏନଫାଇଲେଟିକ ରିଏକ୍ସନ ହେବାରୁ ତାଙ୍କର ମୃତ୍ୟୁ ଘଟିଥି‌ଲା ଏବଂ ଏଥିରେ ଶବ ବ୍ୟବଚ୍ଛେଦ କରିବାର ଆବଶ୍ୟକତା ନାହିଁ ବୋଲି ପ୍ରକାଶ କରିଥିଲେ। ଭାରାପ୍ରାପ୍ତ ସିଡିଏମଓ ଡା. ଶୋଭାଚନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରାଯିବାରେ ଏହି ଘଟଣା ଏକ ସମ୍ବେଦନଶୀଳ ଘଟଣା, କେଉଁ ପରିସ୍ଥିତିରେ ସରସ୍ବତୀଙ୍କ ମୃତ୍ୟୁ ଘଟିଲା ତଥା ଶବ ବ୍ୟବଚ୍ଛେଦ କାହିଁକି କରା ନଗଲା ତାହାର ତଦନ୍ତ ପାଇଁ ଡିଏମଓଏମଏସ, ଜଣେ ଭେଷଜ ବିଶେଷଜ୍ଞ, ଜଣେ ଶଲ୍ୟ ବିଶେଷଜ୍ଞଙ୍କୁ ନେଇ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି, ସେମାନଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର