ସୋନପୁର: ଆବଶ୍ୟକ କଞ୍ଚାମାଲ ନଥିବାରୁ ପୁଣି ସୋନପୁର ବାଲାଜୀ ଗଣପତି ସ୍ପିନିଂ ମିଲ ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ସ୍ପିନିଂ ମିଲକୁ ସରକାର ବେସରକାରୀ ସଂସ୍ଥା ହାତରେ ଟେକି ଦେବା ପରେ ଏଭଳି ଅବସ୍ଥା ଲାଗି ରହିଛି । କେତେବେଳେ ବିଦ୍ୟୁତ ଦେୟ ପୈଠ ନକରିବା ତ କେତେବେଳେ କଂଚାମାଲ ଅଭାବରୁ ସ୍ପିନିଂ ମିଲ ବନ୍ଦ ରହୁଛି। ୯୦ ଦଶକ ପରେ ପରେ ବିଭିନ୍ନ କାରଣରୁ ସ୍ପିନିଂ ମିଲ କ୍ଷତିରେ ଚାଲିବାରୁ ଏହାକୁ ସରକାର କଲିକତାର ବାଲାଜୀ ଗଣପତି ସ୍ପିନିଂ ମିଲ ହାତକୁ ଟେକିଦେଲେ। ତେବେ ଏହାର ମାଲିକ ଏଠାରେ ଥିବା ପୁରୁଣା ଯନ୍ତ୍ରପାତି ଅନ୍ୟତ୍ର ବିକ୍ରି କରିବା ସହିତ ଏହି ସ୍ପିନିଂ ମିଲକୁ ଠିକ ଭାବରେ କାର୍ଯ୍ୟକ୍ଷମ କରି ନାହାନ୍ତି। ଫଳରେ ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ୧ ହଜାର ଶ୍ରମିକରୁ ଏବେ ୧୨୦କୁ ଖସି ଆସିଛି। ଏହାଛଡ଼ା ୩ ସିଫ୍ଟ ବଦଳରେ ଗୋଟିଏ ସିଫ୍ଟ ଚାଲୁଛି ।
ଶ୍ରମିକମାନଙ୍କ ଠାରୁ ପ୍ରକାଶ ଯେ, ବର୍ତ୍ତମାନ ସ୍ପିନିଂ ମିଲରେ ଯେତିକି କଂଚାମାଲ ଅଛି ତାହା ୨-୩ ଦିନ ଯିବ। ଏହି ଅବଧି ମଧ୍ୟରେ କଂଚାମାଲ ପହଂଚିବା ମଧ୍ୟ ଅସମ୍ଭବ। ଫଳରେ ମିଲ ପୁନର୍ବାର ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ମିଲ ମାଲିକ ପର୍ଯ୍ୟାପ୍ତ ପରିମାଣ କଂଚାମାଲ ଗଚ୍ଛିତ ରଖୁନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଅନ୍ୟପକ୍ଷେ ଜିଲ୍ଲାରେ ଶହ ଶହ ଚାଷୀ କପା ଚାଷ କରୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସ୍ପିନିଂ ମିଲ କଞ୍ଚାମାଲ କ୍ରୟ କରୁନାହିଁ। ସ୍ପିନିଂ ମିଲରେ ପୂର୍ବରୁ ଥିବା ଜିନିଂ ମେସିନ ବର୍ତ୍ତମାନ ନାହିଁ। ସେଥିପାଇଁ ମିଲ ମାଲିକ ସୁବର୍ଣ୍ଣପୁର ଜିଲ୍ଲାର କପା ଚାଷୀଙ୍କଠାରୁ କପା କ୍ରୟ କରୁନାହାନ୍ତି। ଫଳରେ ସ୍ପିନିଂ ମିଲ ଥାଇ ମଧ୍ୟ କପା ଚାଷୀ ଦଲାଲଙ୍କୁ କମ ମୂଲ୍ୟରେ କପା ବିକ୍ରି କରିଛନ୍ତି। ଯଦି ସ୍ପିନିଂ ମିଲ ଜିଲ୍ଲାର ଚାଷୀଙ୍କଠାରୁ କପା କ୍ରୟ କରନ୍ତେ ତାହେଲେ କଞ୍ଚାମାଲ ଅଭାବ ରହନ୍ତା ନାହିଁ। ଗୋଟିଏ ପଟରେ ସ୍ପିନିଂ ମିଲ୍ କର୍ତ୍ତୃପକ୍ଷ ଆବଶ୍ୟକ କଞ୍ଚାମାଲ ଗଚ୍ଛିତ ନରଖିବା ଅନ୍ୟ ପଟରେ ସ୍ପିନିଂ ମିଲ ଥାଇବି କପା ଚାଷୀ ଉପକୃତ ନହେବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।
ଏ ସମ୍ପର୍କରେ ବାଲାଜୀ ଗଣପତି ଶ୍ରମିକ ସଂଘର ସମ୍ପାଦକ ଯୋଗେନ୍ଦ୍ର ପଣ୍ଡା କୁହନ୍ତି ସ୍ପିନିଂ ମିଲ୍ରେ ଯେତିକି କଞ୍ଚାମାଲ ଅଛି ୨-୩ ଦିନ ଯିବ। ଆବଶ୍ୟକ କଂଚାମାଲ ଅଭାବରୁ ପ୍ରତିବର୍ଷ ବର୍ଷା ୪ ମାସ ସ୍ପିନିଂ ମିଲ ଠିକ ଭାବରେ ଚାଲିପାରେ ନାହିଁ। ଏଣୁ ଶ୍ରମିକମାନେ ରୋଜଗାର ହରାଇ ଅସୁବିଧାରେ ପଡନ୍ତି। ହେଲେ ମିଲ୍ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ସ୍ପିନିଂ ମିଲର ନିର୍ଦେଶକ ଅଶୋକ ଦାଶଙ୍କୁ ଯୋଗାଯୋଗ କରାଯିବାରେ କଂଚାମାଲ କଲିକତାରୁ ଆସିଥାଏ। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବର୍ଷା ଯୋଗୁଁ ସେଠାରୁ କଞ୍ଚାମାଲ ଆସିବା କଷ୍ଟସାଧ୍ୟ ହୋଇଥାଏ। ଚଳିତ ବର୍ଷ ଆମେ ଏହାକୁ ଦୂର କରିବାକୁ ଚେଷ୍ଟା କରୁଛୁ ଏବଂ ଆଗକୁ ଏଥିପାଇଁ ଯେମିତି ସ୍ପିନିଂ ମିଲ ବନ୍ଦ ନହେବ ସେଥିପ୍ରତି ଧ୍ୟାନ ଦେଉଛୁ ବୋଲି କହିଥିଲେ।
କଞ୍ଚାମାଲ ଅଭାବ : ବନ୍ଦ ହେବ ସ୍ପିନିଂ ମିଲ୍!
/sambad/media/post_attachments/wp-content/uploads/2018/07/sonepur5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)