ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ସୋନପୁର/ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ଭାଟବାହାଲି ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଦିଲ୍ଲୀପ ଜେନା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରକାଶ ଯେ, ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କପାସିରା ଗ୍ରାମର ବାଲ୍ମୀକି ପ୍ରଧାନଙ୍କ ଘରଡିହକୁ ନେଇ ପାରିବାରିକ ବିବାଦ ଲାଗି ରହିଥିଲା। ବାଲ୍ମୀକି ଜମି ଚିହ୍ନଟ ପାଇଁ ଭାଟବାହାଲି ଆରଆଇ ଶ୍ରୀ ଜେନାଙ୍କୁ ବାରମ୍ବାର ନିବେଦନ କରିଥିଲେ। ‌କିନ୍ତୁ ଆର୍‌ଆଇ ୨ ହଜାର ଟଙ୍କା ଦେଲେ ଜମି ଚିହ୍ନଟ କରିବେ ବୋଲି କହିଥିଲେ। ପରେ ୧୫ ଶହ ଟଙ୍କାରେ କଥା ଛିଣ୍ଡିଥିଲା। ଗତକାଲି ବାଲ୍ମୀକି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ବୁଧବାର ବାଲ୍ମୀକି ଆରଆଇଙ୍କୁ ୧୫ ଶହ ଟଙ୍କା ଦେଇଥିଲେ। ଆରଆଇ ଏହି ଟଙ୍କା ନେଇ ନିଜ ସାର୍ଟ ପକେଟ‌ରେ ରଖିବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ଆରଆଇଙ୍କ ଅଫିସ୍‌ ଏବଂ ରାମପୁର ତହସିଲ ଅଧୀନରେ ଥିବା ତାଙ୍କର ସରକାରୀ କ୍ବାର୍ଟର ମଧ୍ୟ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର