ରାଉରକେଲା: ବିଭିନ୍ନ କାମକୁ ନେଇ ସର୍ବଦା ବିବାଦରେ ରହିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)। ପ୍ରତିବର୍ଷ ବିଭିନ୍ନ ପାଣ୍ଠିରୁ ଯେତିକି କାମ ହେଉଛି, ତା’ର ୯୫% କାମ ବିନା ଟେଣ୍ଡରରେ କରାଯାଉଛି। ୫ ଲକ୍ଷରୁ ଅଧିକ ଟଙ୍କାରେ କୌଣସି କାମ ହେଲେ ଟେଣ୍ଡର କରାଯିବା ସରକାରୀ ନିୟମ ରହିଛି। ପାନପୋଷ ଆଇଟିଡିଏରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଟେଣ୍ଡର ଏଡ଼ାଇବାକୁ ଚତୁରତାର ସହ ପ୍ରତ୍ୟେକ କାମକୁ ବିଭାଗ ଅର୍ଥାତ୍ (କନିଷ୍ଠଯନ୍ତ୍ରୀ)ଙ୍କ ଦ୍ବାରା କରାଯାଉଛି। ପ୍ରତି କାମକୁ ୩ରୁ ୫ ଲକ୍ଷ ଟଙ୍କା କରି ଠିକାଦାରଙ୍କୁ ବାଣ୍ଟି ଦିଆଯାଇଛି। ଆଶ୍ଚର୍ଯ୍ୟ କଥା, ୫ ଲକ୍ଷରୁ ଅଧିକ ଟଙ୍କା କାମ ହୋଇଥିଲେ ହେଁ, ଟେଣ୍ଡର କରାଯାଇନି। ଆଇଟିଡିଏରୁ ମିଳିଥିବା ଏମିତି ସାଂଘାତିକ ତଥ୍ୟରୁ ସ୍ପଷ୍ଟ ହୋଇଛି। ଗତ ୨୦୨୨-୨୩ରେ ପାନପୋଷ ଆଇଟିଡିଏକୁ ବିଭିନ୍ନ ପାଣ୍ଠିରୁ ୧୧୨ କୋଟି ୨୮ ଲକ୍ଷ ୮୨ ହଜାର ଟଙ୍କା ଆସିଥିଲା। ଖର୍ଚ୍ଚ ହୋଇପାରିଛି ମାତ୍ର ୪୪ କୋଟି ୫୦ ଲକ୍ଷ ଟଙ୍କା। ବର୍ତ୍ତମାନ ସୁଦ୍ଧା ଖର୍ଚ୍ଚ ନ ହୋ ୭୦ କୋଟି ୫୫ ଲକ୍ଷ ୫୭ ହଜାର ପଡିଛି। ୨୦୨୨-୨୩ ଅର୍ଥାତ୍ ବର୍ଷକରେ ମୋଟ ୧୨୬ ଟି କାମ କରାଯାଇଛି। ଏଥିରୁ ମାତ୍ର ୫ ପ୍ରତିଶତ ଟେଣ୍ଡର ଜରିଆରେ କରାଯାଇଛି। ବାକି ୯୫% କାମକୁ କନିଷ୍ଠଯନ୍ତ୍ରୀଙ୍କ ଦ୍ବାରା ବାଣ୍ଟି ଦିଆଯାଇଛି। ଏମିତିକି ୧୦ ଲକ୍ଷ ଟଙ୍କାର କାମକୁ ମଧ୍ୟ ବିନା ଟେଣ୍ଡର କରାଯାଇଥିଲେ ହେଁ, କାର୍ଯ୍ୟାନୁଷ୍ଠାନ ଶୂନ୍। ୧୦ ଲକ୍ଷ ଟଙ୍କାରେ ଲାଠିକଟା ବ୍ଲକ ଅନ୍ତର୍ଗତ ରଙ୍ଗମାଟିର ରୋଷେଇ ଓ ଷ୍ଟୋରରୁମ୍ କାମ ବିନା ଟେଣ୍ଡରରେ କରାଯାଇଛି। ସେମିତି ୧୦ଲକ୍ଷ ଟଙ୍କା ବ୍ୟୟରେ ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ଉଚ୍ଚ ବିଦ୍ୟାଳୟ କର୍ମଚାରୀଙ୍କ ଗୃହ ମଧ୍ୟ ବିନା ଟେଣ୍ଡରରେ ନିର୍ମାଣ ହୋଇଛି। ୫ ଲକ୍ଷ ଟଙ୍କା ବ୍ୟୟରେ ନୂଆଗାଁ ବ୍ଲକ୍ ବାଳିକା ଉଚ୍ଚ ବିଦ୍ୟାଳୟ ସୁରକ୍ଷା କର୍ମଚାରୀ ସେଡ୍ ୨୦୨୨ରୁ କାମ ଚାଲିଥିଲେ ହେଁ ଆଜି ପର୍ଯ୍ୟନ୍ତ ସରିନି। ୫ ଲକ୍ଷ ଟଙ୍କା ବ୍ୟୟରେ କୁଆରମୁଣ୍ଡା ବ୍ଲକ୍ ଦଲକି ଉଚ୍ଚ ବିଦ୍ୟାଳୟ କର୍ମଚାରୀଙ୍କ କ୍ବାର୍ଟର୍ସ ମରାମତି କାମ ଦୁଇ ବର୍ଷ ଧରି ଚାଲିଛି। ଝାରବେଡ଼ାର ଶୁକ୍ରା ଓରାମ ଘରୁଠୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ୪ ଲକ୍ଷର ସିମେଣ୍ଟ କଂକ୍ରିଟ ରାସ୍ତା ଦୁଇ ବର୍ଷ ଧରି ଚାଲିଛି, ସରୁନି। ୫ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ରାଏବୋଗାର ପିଡବ୍ଲ୍ୟୁଡି ରାସ୍ତାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତାରେ ବି ସମାନ ସ୍ଥିତି। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ୯ ଲକ୍ଷ ଟଙ୍କା ବ୍ୟୟରେ ଗୋପପୁର ଆର୍ଡି ରାସ୍ତାରୁ କୁମ୍ଭାର ବସ୍ତି ଦେବୀ ମନ୍ଦିର ପର୍ଯ୍ୟନ୍ତ ସିସି ରାସ୍ତା ବିନା ଟେଣ୍ଡରରେ କରାଯାଇଛି। ୧୭ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟରେ ରାଉରକେଲା ମହାନଗର ନିଗମ ୱାର୍ଡ ନଂ ୩୭ ଅନ୍ତର୍ଗତ ଶକ୍ତିନଗର କମ୍ୟୁନିଟି ସେଣ୍ଟର ମଧ୍ୟ ବିନାଟେଣ୍ଡରରେ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାମ ଚାଲିଛି। ଅନୁରୂପ ଭାବେ ୯ ଲକ୍ଷ ଟଙ୍କା ବ୍ୟୟରେ ନୂଆଗାଁ ବ୍ଲକ ଗୋଲ୍ଦାରୁ ଆର୍ଡି ରାସ୍ତାରୁ ନୂଆଗାଁ ଉପରଟୋଲି ପୋଖରା ପର୍ଯ୍ୟନ୍ତ ସିସି ରୋଡ ବିନା ଟେଣ୍ଡର କରାଯାଇଛି। ଏଠି ପ୍ରାୟ ବର୍ଷେ ହେଲା କାମ ସରୁନି। ଲାଠିକଟା, କୁଆରମୁଣ୍ଡା, ନୂଆଗାଁ, ବିଶ୍ରା, ବୀରମିତ୍ରପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଏମିତି ଅନେକ କାମଗୁଡ଼ିକ ବିନାଟେଣ୍ଡର କରାଯାଇଥିବା ଆଇଟିଡିଏ ପକ୍ଷରୁ ମିଳିଥିବା ତଥ୍ୟରେ ଦର୍ଶାଯାଇଛି। ଏସବୁ କାମର ଭିଜିଲାନ୍ତ ତଦନ୍ତ ହେଲେ ବଡ଼ଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଆଲୋଚନା ହେଉଛି।
ପାନପୋଷ ଆଇଟିଡିଏରେ ଦୁର୍ନୀତିର ଗନ୍ଧ: ୪୪ କୋଟି ୫୦ ଲକ୍ଷରେ ହୋଇଛି ୧୨୬ଟି କାମ
(ସଂ) ବିନା ଟେଣ୍ଡରରେ ହୋଇଛି ୯୫% କାମ!
/sambad/media/post_attachments/wp-content/uploads/2024/07/6ccaf4d0-0ba8-4dad-a7f8-ad26bd76c820.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)