ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି:ଶବ ରଖି ରାସ୍ତାରୋକ

ଏସ୍‌.ରାମପୁର: ସଡ଼କ ଦୁର୍ଘଟଣାରେ ମଙ୍ଗଳବାର ପ୍ରାଣ ହରାଇଥିବା ପ୍ରଦୀପ ସାହୁ (୨୫)ଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ବୁଧବାର ଉତ୍ତ୍ୟକ୍ତ ଲୋକେ ଶବ ରଖି ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡକିଟାଲ ଛକରେ ରାସ୍ତାରୋକ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପଟେ ବହୁ ଯାନବାହନ ଅଟକି ରହିଥିଲା। ମଙ୍ଗଳବାର ବରଗଡ଼ ମୁଖ୍ୟ କେନାଲ ବଡ଼କର୍ଲେ ଦାଉଦପଡ଼ାଠାରେ ଟ୍ରାକ୍ଟର ଉପରେ ଟ୍ରକ୍‌ ମାଡ଼ି ଯିବାରୁ ଟ୍ରାକ୍ଟର ଚାଳକ ପ୍ରଦୀପ ସାହୁଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହା ପରେ ବନ୍ଧପାଲିର ଟିଙ୍କୁ ବେହେରା, ତୁଳସୀରାମ ସାହୁ, ଯୁଧିଷ୍ଠିର ସାହୁ, ଚୂଡ଼ାମଣି ସାହୁ, ବିଶ୍ୱ ସାହୁ, ଧୀରେନ ବଗର୍ତ୍ତି, ବଡ଼କର୍ଲେ ଓ ପଣ୍ଡକିଟାଲ ଅଞ୍ଚଳର ରୂପଧର ପଧାନ, କମ୍ବୁପାଣି ପାତ୍ର, ବିହାରୀ ପଧାନ, ଭାରତ ସାହୁ, ରୋହିତ ସାହୁ, ସୁଦାମ ସାହୁ, ଜଗନ୍ନାଥ ଭୋଇ ପ୍ରମୁଖ ପଣ୍ଡକିଟାଲ ଛକରେ ପ୍ରଦୀପଙ୍କ ଶବ ରଖି ରାସ୍ତାରୋକ କରିଥିଲେ। ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା, ଉପଖଣ୍ଡ ଅଧିକାରୀ ବଳରାମ ମଲ୍ଲିକ, ରାମପୁର ତହସିଲଦାର ବିନୋଦ ବିହାରୀ ଦାଶ, ରାମପୁର ଥାନାଧିକାରୀ କାହ୍ନଚରଣ ରାଉଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଟ୍ରକ୍‌ ଚାଳକ ଓ ମାଲିକଙ୍କୁ ଗିରଫ କରିବା ଓ ମୃତକଙ୍କ ପରିବାରକୁ ଲକ୍ଷାଧିକ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଡ଼ି ବସିଥିଲେ। ଏହା ପରେ ଅଧିକାରୀମାନେ ସେଠାରୁ ଚାଲି ଯାଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶବ ଉଠାଯିବ ନାହିଁ ବୋଲି ପିରବାର ଲୋକେ ଓ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସି ରହିଛନ୍ତି।

ସମ୍ବନ୍ଧିତ ଖବର